କଟକ: ଶେଷରେ ଦୁଇ ଓକିଲ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଛି । ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ମାଡ଼ ଖାଇଛନ୍ତି । ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ହୋଇଥିବା ସେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି । ଓକିଲ ମାରପିଟ୍ କୁ ରୋକିବା ପାଇଁ ଉଦ୍ୟମ କରୁଥିବା ଦୁଇ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଏହିଭଳି ଭାବେ ଲାଲବାଗ ଥାନାରେ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ପୃଥକ୍ ଭାବେ ୪ଟି ଏତଲା ହୋଇଥିବା ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି ।
ଆନ୍ଦୋଳନରୁ ଓହରି ଆଜିଠାରୁ କାର୍ଯ୍ୟରେ ଯୋଗଦେବାକୁ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ଘୋଷଣା କରିଥିଲା । ସେପଟେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଘୋଷଣା କରାଯାଇଥିଲା । ଉଭୟପକ୍ଷ ମଧ୍ୟରେ ଛକାପଂଝା ଦୃଷ୍ଟିରୁ ହାଇକୋର୍ଟ ପରିସରକୁ ଆଜି ସକାଳୁ ପୁଲିସ ଛାଉଣି କରିଦେଇଥିଲା । ୨୫ ପ୍ଲାଟୁନ୍ ପୁଲିସ ସେଠାରେ ଜଗିରହିଥିଲେ । ସକାଳୁ ବାର୍ ଆସୋସିଏସନ୍ ର ଓକିଲମାନେ ହାଇକୋର୍ଟର ବିଭିନ୍ନ ଫାଟକ ବନ୍ଦ କରି ଭିତରକୁ କାହାରିକୁ ଛାଡ଼ି ନ ଥିଲେ । ମାତ୍ର ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟର ଓକିଲମାନେ ଭିତରକୁ ଯାଇ କାର୍ଯ୍ୟରେ ଯୋଗଦେବାକୁ ଉଦ୍ୟମ କରିଥିଲେ । ସେଇଥିରୁ ଆରମ୍ଭ ହୋଇଥିଲା ଠେଲାପେଲା, ଧସ୍ତାଧସ୍ତି । ଏଥିରେ ବିଜେଡ଼ି ଆଇଜଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ଆହତ ହୋଇଥିବା ଅଭିଯୋଗ ହୋଇଛି । ଓକିଲଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଥିବା ଥାନାରେ ଏତଲା ହୋଇଛି ।
ସେହିଭଳି ଆନ୍ଦୋଳନକାରୀ ହାଇକୋର୍ଟ ବାର୍ ଆସୋସିଏସନ୍ ଓକିଲମାନେ ବିକ୍ଷୋଭ କରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଯୁବକମାନେ ବିଜୁ ଯୁବ ବାହିନୀର ବୋଲି କିଛି ଓକିଲ ଅଭିଯୋଗ କରିଛନ୍ତି । ଦୁଇଜଣ ଯୁବକଙ୍କୁ ସେମାନେ କାବୁ କରି ପୁଲିସ ଜିମା ଦେଇଥିବା କୁହାଯାଇଛି ।
ଦୁଇ ଓକିଲଗୋଷ୍ଠୀ ମଧ୍ୟରେ ଏଭଳି ମୁହାଁମୁହିଁ ଅବସ୍ଥା ଆନ୍ଦୋଳନକୁ ରୋଚକମୋଡ଼ ଦେଇଛି । ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ନିଜକୁ ନିବୃତ୍ତ ରଖିଥିଲେ ମଧ୍ୟ ତାହାର ସେଭଳି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ରାଜ୍ୟର ତଳ କୋର୍ଟ ଗୁଡ଼ିକରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ କୋର୍ଟ କାର୍ଯ୍ୟ ଅଚଳ ରହିଛି । ଅଧିକାଂଶ ଜାଗାରେ ଦୁଇଗୋଷ୍ଠୀ ଓକିଲଙ୍କ ମଧ୍ୟରେ ଛକାପଂଝା ଲାଗିରହିଛି ।
ରାଜ୍ୟ ସରକାର ଓକିଲଙ୍କ ମଧ୍ୟରେ ରାଜନୀତି ପୂରାଇ ଆନ୍ଦୋଳନକୁ ଭିନ୍ନ ମୋଡ଼ ଦେଉଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅପାରଗ କହି ତୀବ୍ର ସମାଲୋଚନା କରିଛନ୍ତି । ସେପଟେ ଓକିଲ ଆନ୍ଦୋଳନ ପଛରେ ରାଜନୀତିର ଦ୍ୱାହି ଆଣି ବିଜେଡ଼ି ପାଲଟା ଅଭିଯୋଗ କରିଛି । ଓକିଲଙ୍କ ଆନ୍ଦୋଳନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ଇଙ୍ଗିତ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ । ବରିଷ୍ଠ ନେତା ବିଜୟ ମହାପାତ୍ର ଓକିଲ ଆନ୍ଦୋଳନକୁ ତୀବ୍ର ସମାଲୋଚନା କରିଛନ୍ତି । ଓକିଲମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ସମସ୍ୟା ସୃଷ୍ଟି କରିଛନ୍ତି । ଏହା ହାଇକୋର୍ଟ ବାର୍ ର ମର୍ଯ୍ୟାଦା ଓ ଗାରିମା ନଷ୍ଟ କରୁଛି । ଆନ୍ଦୋଳନ ସବୁ ସୀମା ଟପିଗଲାଣି ବୋଲି ଶ୍ରୀ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଆଉ କାଳବିଳମ୍ବ ନକରି ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି ।