ବର୍ଷକରେ ବିଦାହେଲେଣି ୭୭ ଦାଗୀ ଅଫିସର
ଭୁବନେଶ୍ୱର: ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହୋଇଥିବା ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗତ ସପ୍ତାହରେ ସରକାରୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଆଜି ଆଉ ଜଣେ ବାବୁ ପ୍ରଦୀପ କୁମାର ମହାନ୍ତିଙ୍କୁ ସମାନ ଦଣ୍ଡ ଭୋଗିବାକୁ ପଡ଼ିଛି । କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ବାବୁଙ୍କର ଦୁଇମାସ ତଳେ କୃଷି ଉପନିଦେ୍ର୍ଦଶକ ଭାବେ ଭୁବନେଶ୍ୱର ବଦଳି ହୋଇଥିଲା । କୋରାପୁଟରୁ ଭୁବନେଶ୍ୱର ସିଫ୍ଟିଂ ହେବା ବେଳେ ତାଙ୍କ ପାଖରୁ ୧୧ ଲକ୍ଷ ନଗଦ ଟଙ୍କା ଭିଜିଲାନସ୍ ଧରିଥିଲା । ଖୋଳତାଡ଼ରୁ ତାଙ୍କର ସର୍ବମୋଟ ୩ କୋଟି ୫୦ ଲକ୍ଷର ସମ୍ପତ୍ତି ଠାବ ହୋଇଥିଲା । ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଦେଇଛନ୍ତି ।
ବିଜେଡ଼ି ଶାସନର ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଓ କର୍ମଚାରୀଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମକୁ ଛାଟ କରାଯାଇଛି । ଜନସେବାରେ ଉଚ୍ଚ ନୈତିକତା ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି ଜିରୋ ଟଲେରାନ୍ସ ନୀତି ଆପଣେଇଛନ୍ତି । ଏହା ଦୁର୍ନୀତିଗ୍ରସ୍ତଙ୍କୁ ସାବାଡ଼ କରିବ ବୋଲି ସରକାର ଆଶା ରଖିଛନ୍ତି ।
ଗତବର୍ଷ ଅଗଷ୍ଟରୁ ଚଳିତ ଅଗଷ୍ଟ ମଧ୍ୟରେ ୬୦ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଗଲାଣି । ଏହି ସମୟ ମଧ୍ୟରେ ବିଭୁ ଷଡ଼ଙ୍ଗୀ ଏବଂ ପ୍ରଦୀପ ମହାନ୍ତିଙ୍କ ସମେତ ୧୭ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୨୨ ଜଣଙ୍କର ପେନସନ୍ ବନ୍ଦ କରାଯାଇଛି ।
ତେବେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅଭ୍ୟାସଗତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ପ୍ରଭାବ ପଡୁନାହିଁ ତାହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି କାୟାବିସ୍ତାର କରିସାରିଛି । ଆଜି ବି ବ୍ଲକ୍ କି ତହସିଲ ଅଫିସରେ ହାତଗୁଞ୍ଜା ନ ଦେଲେ କାମ ହୋଇପାରୁନି । ଭୁବନେଶ୍ୱର ମୁଖ୍ୟ ଅଫିସ୍ ଗୁଡ଼ିକରେ ବି ସମାନ ଅବସ୍ଥା । ବିନା ଲାଞ୍ଚରେ ଫାଇଲ୍ ହଲୁନି । ଜନସାଧାରଣଙ୍କଠାରୁ ପ୍ରତିଦିନ ଏଭଳି ମାଳ ମାଳ ଅଭିଯୋଗ ଆସୁଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ଷମତାରେ ଥିବା କିଛି ବାବୁ ଏପରିକି ତଳିଆ କର୍ମଚାରୀ ସମ୍ପତ୍ତିର ପାହାଡ଼ ଛିଡ଼ା କରିଥିଲେ ବି ସେମାନଙ୍କ ମନ ସନ୍ତୁଷ୍ଟ ହେଉନି । ନିକଟରେ ଭିଜଲାନସ୍ ଦ୍ୱାରା ଗିରଫ ହୋଇଥିବା ରାଜସ୍ୱ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଜୟ କୁମାର ଦାସଙ୍କର ୩ଟି କୋଠା, ୪ଟି ଫ୍ଲାଟ୍, ୯ଟି ପ୍ଲଟ୍, କେଜିଏରୁ ଅଧିକ ସୁନା ଠାବ ହୋଇଛି । ଶ୍ରୀ ଦାସଙ୍କ ଭଳି ଏମିତି ଅନେକ ଅଧିକାରୀ ଅଛନ୍ତି ଯେଉଁମାନେ ଅସାଧୁ ଉପାୟରେ ପଇସା କମେଇବାକୁ ଅଭ୍ୟାସ କରିଦେଇଛନ୍ତି ।
ଏହିଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ/ କର୍ମଚାରୀଙ୍କ ଯୋଗୁଁ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍, ମୋ ସରକାର, ୫-ଟି କାର୍ଯ୍ୟକ୍ରମ ସେମାନଙ୍କୁ କାଟୁ କରୁନି । ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ଜଣେ ପୂର୍ବତନ ପ୍ରଶାସକ । ତେବେ ସରକାରୀ କଳରେ ଏହା ଶୃଙ୍ଖଳା ବାତାବରଣ ସୃଷ୍ଟି କରିବା ସହ ଦୁର୍ନୀତି ବିରୋଧୀ ମାହୋଲ୍ ସୃଷ୍ଟି କରିବାରେ ସହାୟକ ହୋଇଥିବା ସେ କହିଛନ୍ତି । ଅବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କୁ ବ୍ୟବସ୍ଥାଗତ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି ।