ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ନବୀନଙ୍କ ୭୨ ବର୍ଷ ପଦାର୍ପଣରେ ବିଜୁ ଜନତା ଦଳ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ନବୀନ ନିବାସ ଯାଇ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରୁ ବିଶିଷ୍ଟ ବ୍ୟକ୍ତିମାନେ ଟ୍ୱିଟରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଡ. ଏସ.ସି.ଜମିର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ନବୀନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ଶୁଭେଚ୍ଛୁ ଓ ସମର୍ଥକମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ରାଜ୍ୟବାସୀଙ୍କ ସେବାରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଓଡ଼ିଶାର ବିକାଶ ପାଇଁ ତାଙ୍କ କାର୍ଯ୍ୟ ଜାରି ରହିବ ଏବଂ ସେ କଠିନ ପରିଶ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଆଜି ସକାଳୁ ନବୀନ ନିବାସରେ ପ୍ରବଳ ଭିଡ଼ ହୋଇଥିଲା । ବିଜେଡ଼ିର ସବୁବର୍ଗ ନେତା, ମନ୍ତ୍ରୀ,ବିଧାୟକ,ମେୟର, କର୍ପୋରେଟର,ସରକାରୀ ଉଚ୍ଚପଦାଧିକାରୀ, ରାଜଧାନୀର ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜନ୍ମିଦନର ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କଠାରୁ ଫୁଲତୋଡ଼ା ଗ୍ରହଣ କରି କୃତଜ୍ଞତା ଜଣାଇଥିଲେ । ଦଳୀୟ ନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଜନ୍ମଦିନ କେକ୍ କାଟି ସେଲିବ୍ରେସନ୍ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ବିଜେଡ଼ି ଅଫିସ ଯାଇ ମେଗା ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀ ଯାଇଥିଲେ ସଚିବାଳୟ । ସଚିବାଳୟରେ ବିଭିନ୍ନ ବିଭାଗର ଅଫିସର ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।