ଭୁବନେଶ୍ୱର: ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନୟାଗଡ଼ରେ ତାଙ୍କର ପ୍ରଥମ ସଭାରେ ସେ ପ୍ରବଳ ଆତ୍ମବିଶ୍ୱାସ ଦେଖାଇଛନ୍ତି । ଭାଷଣ ଛଳରେ ବହୁତ କଥା କହିଛନ୍ତି । ନିଜ ସରକାରଙ୍କ ସଫଳତା ଦେଖାଇବା ସହ ବିରୋଧୀ ଦଳଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଛନ୍ତି । ପଞ୍ଚମ ଥର ପାଇଁ ବିଜେଡ଼ି ଏଠି ସରକାର ଗଠନ କରିବ ଏହି ଦମ୍ଭ ଦେଖାଇଛନ୍ତି । ଏଥର କେନ୍ଦ୍ର ସରକାର ଗଠନରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ନବୀନ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି, ‘କେନ୍ଦ୍ରରେ ଏଥର କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ । ସରକାର ଗଠନରେ ଆମର ବଡ଼ ଭୂମିକା ରହିବ । ଏହା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାରେ ୨୧ ରୁ ୨୧ ଟି ଲୋକସଭା ଆସନ ବିଜେଡ଼ି ହାସଲ କରିବ’ ।
ଏମିତି ଥିଲା ନୟାଗଡ଼ ସଭାରେ ଆଜି ନବୀନଙ୍କ ଦୃଢ଼ୋକ୍ତି । ନବୀନ ତାଙ୍କ ଭାଷଣରେ ବିଜେପିର ଡବଲ୍ ଇଂଜିନ୍ ଥିଓରିକୁ ଭୁଲ୍ ବୋଲି ଜଣାଇ ଦେଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ରିମୋଟ୍ କଣ୍ଟ୍ରୋଲ୍ ଆକ୍ଷେପର ଜବାବ ଦେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ରିମୋଟ୍ କଣ୍ଟ୍ରୋଲ ନବୀନ ପଟ୍ଟନାୟକ ବୋଲି ରାହୁଲ କହୁଥିବାରୁ ନବୀନ ତାର ଜବାବରେ କହିଛନ୍ତି, ଆମର କେହି ରିମୋଟ୍ କଣ୍ଟ୍ରୋଲ ନାହାନ୍ତି କି ଆମେ କାହାରି ନୁହେଁ । ଆମ ରିମୋଟ୍ କଣ୍ଟ୍ରୋଟଲ ଅଛି ଓଡ଼ିଶାବାସୀଙ୍କ ପାଖରେ ।
କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ ନବୀନ । ବିଜେପି ତାଙ୍କ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେହି ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ପାଇଲେ ଓଡ଼ିଶାର ବିକାଶ ଡବଲ ହେବ, ରୋଜଗାର ଓ କର୍ମନିଯୁକ୍ତି ବଢ଼ିବ ସେ କଥା ଜଣାଇ ଦେଇଥିଲେ । କୋଇଲା ରୟାଲିଟି, ରେଳବାଇ, ପୋଲାଭାରମ୍ ଓ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରି ନବୀନ କହିଥିଲେ, ଓଡ଼ିଶାର ବିଜେପି ନେତାମାନେ ଏହା ଭଲଭାବେ ଜାଣି ମଧ୍ୟ ହାଇକମାଣ୍ଡଙ୍କ ଭୟରେ କହିପାରୁନାହାନ୍ତି । ଓଡ଼ିଶାର ହକ୍ ପାଇଁ ସେମାନେ ଲଢ଼ିପାରିବେ ନାହିଁ । ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଶାବାସୀ, ଆମେ ଲଢ଼େଇ କରୁଛୁ ଓ କରିବୁ ।
ନୟାଗଡ଼ ପ୍ରଥମ ନିର୍ବାଚନ ପ୍ରଚାର ମଞ୍ଚରେ ପ୍ରମିଳା ବିଶୋୟୀଙ୍କ ଉଦାହରଣରୁ ନବୀନ ତାଙ୍କ ଭାଷଣ ଆରମ୍ଭ କରିଥିଲେ । କହିଥିଲେ, ମିଶନ ଶକ୍ତିର ମା ପ୍ରମିଳା ବିଶୋୟୀଙ୍କୁ ଆସିକାରେ ପ୍ରାର୍ଥୀ କରିଛି । ଆପଣ ମାନେ ଏଥିରେ ଖୁସି ତ? ମୁଁ ବି ଖୁସି । ସାରା ଦେଶରେ ବିଜେଡ଼ି ହେଉଛି ପ୍ରଥମ ଦଳ ଯେ କି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଛି । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସଶକ୍ତି କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଚିକିତ୍ସା ପାଇଁ ୭ ଲକ୍ଷ ଟଙ୍କା ସହାୟତା ବ୍ୟବସ୍ଥା କରାଯାଇଛି । ବିନା ସୁଧରେ ମିଶନ ଶକ୍ତି ମହିଳାଙ୍କୁ ଋଣ ଦିଆଯାଉଛି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ସମ୍ପର୍କରେ ନବୀନ କହିଥିଲେ, ସାରା ଦେଶରେ ପ୍ରଥମ ଥର ପାଇଁ ଏଭଳି ଯୋଜନା କରାଯାଇଛି । ଏହି ଯୋଜନାରୁ ୩୫ ଲକ୍ଷ ଚାଷୀ ପରିବାର ସହାୟତା ପାଇଛନ୍ତି । ୨୦ ଲକ୍ଷ ଚାଷୀଙ୍କୁ ତାଲିକାଭୁକ୍ତ କରାଯାଇଛି । କିଛି ବିରୋଧୀ ଦଳ ‘କାଳିଆ’ କୁ ନେଇ ଅପପ୍ରଚାର କରୁଛନ୍ତି ହେଲେ କେହି ଏହାକୁ ଅଟକାଇପାରିବେ ନାହିଁ ବୋଲି ନବୀନ ଦୃଢ଼ୋକ୍ତି ଦେଖାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଭାକୁ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲୋକ ଆସିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ସମେତ ବିଜେଡ଼ି ବିଧାୟକମାନେ ଉପସ୍ଥିତ ଥିଲେ ।