ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ୍ । ମହିଳାମାନଙ୍କ ପାଇଁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ନବୀନ । ପୁଣି ଥରେ କ୍ଷମତାକୁ ଆସିଲେ ସବୁ ଝିଅଙ୍କୁ ମାଗଣାରେ ପାଠ ପଢ଼ାଇବେ ବିଜେଡ଼ି ସରକାର । କେଜିରୁ କଲେଜ, ମେଡ଼ିକାଲ, ଇଂଜିନିୟରିଂ ସବୁ ମାଗଣା । ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ଦିଆଯିବ । ଖାଲି ସେତିକି ନୁହେଁ, ମିଶନ ଶକ୍ତିର ମା’ ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କାର କାମ, ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ, ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ଦୁର୍ଘଟଣା ବୀମା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କର ଚିକିତ୍ସା ସୁବିଧାକୁ ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି ।
ମହିଳାଙ୍କ ଭୋଟ ହାତେଇବା ପାଇଁ ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ନବୀନଙ୍କ ଏଭଳି ପ୍ରତିଶ୍ରୁତି ଅନ୍ୟମାନଙ୍କୁ ପଛରେ ପକାଇ ଦେଇଛି । ବିଜୁ ଜନତା ଦଳ ମହିଳାମାନଙ୍କୁ ଗୁରୁତ୍ୱ ଦେଉଛି, ଏକଥା ନବୀନ ବାରମ୍ବାର ତାଙ୍କ ଭାଷଣରେ କହି ଆସୁଛନ୍ତି । ୩୩% ମହିଳାଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ରକ୍ଷା କରିଥିବା ନବୀନ ଆଉ ଦୁଇପାଦ ଆଗକୁ ବଢ଼ିଛନ୍ତି । ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ପୂର୍ବରୁ ଯତ୍ନଶୀଳ ଥିଲା ଏବଂ ଆଗକୁ ଆହୁରି ଅଧିକ ଯତ୍ନଶୀଳ ହେବ ବୋଲି ନବୀନ ବାର୍ତ୍ତା ଦେଉଛନ୍ତି । ମହିଳାମାନଙ୍କ ପାଇଁ ପ୍ରତିଶ୍ରୁତି ଘୋଷଣା କରିବା ଅବସରରେ ବିଜେପିକୁ ଜବାବ ଦେବାକୁ ଭୁଲିନାହାନ୍ତି ନବୀନ । ମନେପକାଇ ଦେଇଛନ୍ତି.. ମା’ ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ୍ ।
ଏଥିସହ କେନ୍ଦ୍ର ସରକାରଙ୍କ ଉପରେ ପୂର୍ବ ଆକ୍ରମଣ ଜାରି ରଖିଛନ୍ତି ନବୀନ । କୋମନା ନିର୍ବାଚନ ପ୍ରଚାର ସଭାରେ ନବୀନ କହିଛନ୍ତି, ନିର୍ବାଚନ ହେଲେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ନୂଆପଡ଼ା, କଳାହାଣ୍ଡି କଥା ମନେପଡ଼େ । ସେମାନଙ୍କୁ ପଚାରନ୍ତୁ, ଭବାନୀପାଟଣା ରେଲ ୱାଗନ୍ କାରଖାନା କୁଆଡ଼େ ଗଲା? ଦୁଇଗୁଣା ଏମଏସପି କୁଆଡ଼େ ଗଲା? କେବିକେ ଯୋଜନା କାହିଁକି ବନ୍ଦ ହେଲା? ଏସସି/ଏସଟି ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା? ବୀମା କରି ଚାଷୀ ହଇରାଣ କିନ୍ତୁ କମ୍ପାନୀ ଲାଭବାନ କାହିଁକି? କିଏ ସୁଯୋଗ ଦେଲା?
ଭୋଟରଙ୍କୁ ଭୋଟଭିକ୍ଷା କରି ନବୀନ କହିଥିଲେ, ସାଢ଼େ ଚାରିକୋଟି ଓଡ଼ିଶାବାସୀ ମୋର ପରିବାର । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସେବା କରି ଚାଲିବି । ଆପଣମାନେ ମୋତେ ଆର୍ଶିବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ।
୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର କାର୍ଯ୍ୟ ଆସନ୍ତାକାଲି ଶେଷ ହେଉଥିବା ବେଳେ ଦୁଇଦିନିଆ ନୂଆପଡ଼ା ଓ କଳାହାଣ୍ଡି ଗସ୍ତ କରୁଛନ୍ତି ନବୀନ । ନୂଆପଡ଼ା ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ପର୍ଯ୍ୟନ୍ତ୧୦୦ରୁ ଅଧିକ କିଲୋମିଟର ରାସ୍ତାରେ ରୋଡ ସୋ ଓ ସାଧାରଣ ସଭା କରୁଛନ୍ତି ନବୀନ । ହାଇଟେକ୍ ବସ୍ ରେ ନବୀନଙ୍କ ରୋଡ ସୋ ଜନସାଧାରଣଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଛି । ଆଜି ରାତିରେ ଭବାନୀପାଟଣାରେ ରାତ୍ରି ରହଣୀ କରିବେ ବିଜେଡ଼ି ସୁପ୍ରିମୋ ।