ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଫେରାଦ ହେଲା ବିଜେଡ଼ି
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ଲୋକପ୍ରିୟ କାଳିଆ ଯୋଜନା ବନ୍ଦକୁ ନେଇ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡ଼ି । ବିଜେପି ଚାପରେ ପଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଯୋଜନାକୁ ବନ୍ଦ କରିଥିବା ବିଜେଡ଼ି ପ୍ରତିନିଧି ଦଳ ଦର୍ଶାଇବା ସହ ବନ୍ଦ କଟକଣା ଉଠାଇବାକୁ କମିଶନଙ୍କ ପାଖରେ ଦାବି କରିଛନ୍ତି । କାଳିଆ ଯୋଜନା ବନ୍ଦ ହେବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ କମିଶନଙ୍କୁ ତଥ୍ୟପ୍ରମାଣ ସହ ଜଣାଇଛନ୍ତି । ଏହା ଉପରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କମିଶନ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏପଟେ ଜୟପୁରରେ ଏକ ନିର୍ବାଚନୀ ସଭାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କାଳିଆ ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପରେ ଅଟଳ ଅଛନ୍ତି । କାଳିଆ ଯୋଜନାକୁ କେହି ଅଟକାଇ ପାରିବେ ନାହିଁ ବୋଲି ପୁଣି ଥରେ ବାର୍ତ୍ତା ଦେଇଛନ୍ତି । ନବୀନ ପ୍ରତିଶ୍ରୁତି ଦେଇଛନ୍ତି, ବିଜେଡ଼ି ପୁଣି ଥରେ ସରକାରକୁ ଆସିଲେ ସରକାର ଗଠନର ପ୍ରଥମ ଦିନରେ ହିଁ କାଳିଆ ଯୋଜନାର ବକେୟା ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଏକାଥରକେ ଦିଆଯିବ । ତାଲିକାଭୁକ୍ତ ୨୫ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ନବୀନ ଦୋହରାଇଛନ୍ତି, ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ତିଆରି ହୋଇଛି । ତାଲିକାରେ ଥିବା ସବୁ ଚାଷୀ ଯୋଜନାର ଲାଭ ପାଇବେ । କାଳିଆ ଯୋଜନାରୁ କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ । ଏବେ ନୁହେଁ କି କେବେ ନୁହେଁ ।
ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ଜନସାଧାରଣଙ୍କ ପାଇଁ ଅପେକ୍ଷାରେ ଥିବା ବେଳେ ଜୟପୁର ସଭାରେ ଇସ୍ତାହାରର ପ୍ରଥମ ପଏଣ୍ଟ ଘୋଷଣା କରିଛନ୍ତି ସୁପ୍ରିମୋ । ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ ରଖିଛୁ ବୋଲି ନବୀନ କହିଛନ୍ତି । ବୁଧବାର ଦିନ ଗଂଜାମରେ ନିର୍ବାଚନ ପ୍ରଚାର ବେଳେ ନବୀନ ବିଜେପି ଉପରେ ଯେଭଳି ହମଲା କରିଥିଲେ ଜୟପୁରରେ ବି ସେହି ହମଲା ଜାରି ରଖିଥିଲେ ।
ବିଜେପିକୁ ଲକ୍ଷ୍ୟ କରି ନବୀନ କଟାକ୍ଷ କରିବା ସହ ପ୍ରଶ୍ନବାଣରେ ଛନ୍ଦିଥିଲେ । କହିଥିଲେ, ଫାଇଲିନ୍ ହେଲା.. ଆସିଲେ ନାହିଁ । ହୁଡ୍ ହୁଡ୍ ହେଲା..ଆସିଲେ ନାହିଁ । ପୋଲାଭରମ୍ ପ୍ରକଳ୍ପ କାହା ସ୍ୱାର୍ଥରେ? ଗରିବ ଆଦିବାସୀଙ୍କ କଥା ମନେ ପଡ଼ିଲାନି? କେବିକେ ଯୋଜନା କାହିଁକି ବନ୍ଦ କଲ? ଆଦିବାସୀଙ୍କ ପ୍ରତି, ପଛୁଆ ଅଞ୍ଚଳ ପ୍ରତି ତମର ଦରଦ ଏମିତି? ଗରିବ ଏସସି/ଏସଟି ପିଲାଙ୍କ ସ୍କଲାରସିପ୍ ବନ୍ଦ କଲ କାହିଁକି?