ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅସୁସ୍ଥ ପାରଳା ମହାରାଜା ଗଜପତି ଗୋପିନାଥ ନାରାୟଣ ଦେଓଙ୍କ ପ୍ରତି ମଣିଷପଣିଆ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସିତ ମହାରାଜାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଚେନ୍ନାଇରେ ପହଂଚି ସିଧାସଳଖ ଯାଇଥିଲେ ମହାରାଜାଙ୍କ ପାଖକୁ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ମହାରାଜାଙ୍କ ଚିକିତ୍ସାରେ ଯେଭଳି କୌଣସି ବି ଅବହେଳା ନ ହୁଏ, ସେଥିପ୍ରତି ଦୃଷ୍ଟିଦେବାକୁ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ମହାରାଜାଙ୍କ ପାଖରେ ଥିବା ତାଙ୍କ ଝିଅଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରି ରାଜ୍ୟ ସରକାରଙ୍କ ସଦିଚ୍ଛା ଓ ସହଯୋଗର ହାତ ବଢ଼ାଇଛନ୍ତି।
ପୂର୍ବରୁ ସକାଳେ ନିଜେ ମୁଖ୍ୟମନ୍ତ୍ରୀ ମହାରାଜାଙ୍କ ଝିଅ ସହ ଟେଲିଫୋନ୍ ରେ କଥାବାର୍ତା କରି ସ୍ୱାସ୍ଥ୍ୟାବସ୍ଥାର ଟିକନିକ୍ ଖବର ବୁଝିଥିଲେ। ମହାରାଜାଙ୍କ ଚିକିତ୍ସା ପାଇଁ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ମହାରାଜାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଏପଟେ ମହାରାଜାଙ୍କ ସମ୍ପତି ହଡ଼ପ ଷଡ଼ଯନ୍ତ୍ରର ମୁଖ୍ୟ ଖଳନାୟକ ତଥା ମ୍ୟାନେଜର ଅନଙ୍ଗ ମଂଜରୀ ପାତ୍ର ଓ ପିଏ ସଂଜୟ ପାତ୍ରଙ୍କୁ ଚାକିରିରୁ ବିଦା କରିଦିଆଇଛି। ମହାରାଜାଙ୍କ ୫୦୦ କୋଟି ସମ୍ପତି ଉପରେ ଆଖେଇଥିବା ଏହି ଦୁଇ ଖଳନାୟକ ରାଜବାଟୀରୁ ବିଦା ହେଲା ପରେ ପାରାଳାଖେମୁଣ୍ଡିରେ ସୃଷ୍ଟ ଉତେଜନା କମିଯାଇଛି। ଅସୁସ୍ଥ ମହାରାଜାଙ୍କୁ ତାଙ୍କର ଏହି ଦୁଇ କର୍ମଚାରୀ ଦୀର୍ଘ ଦିନ ଧରି ପଣବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା।