ଭୁୁବନେଶ୍ୱର: ୨୦୨୧ ଜନଗଣନା ସହ ସାମାଜିକ, ଅର୍ଥନୈତି, ଶିକ୍ଷାଗତ ଏବଂ ଭୌଗୋଳିକ ଦୃଷ୍ଟିରୁ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହି ପଛୁଆବର୍ଗଙ୍କ ସଂଖ୍ୟାଗଣନା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖାଯିବ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ସଂକଳ୍ପ ପାରିତ କରାଯାଇଛି । ଜାତିଭିତ୍ତିକ ପଛୁଆ ବର୍ଗ ତାଲିକା ଧରି ସେମାନଙ୍କ ବିକାଶ ଉପରେ ଅଧିକ ଧ୍ୟାନ ଦେବାକୁ ଯୋଜନା କରାଯାଇଛି ।
ଏକକାଳୀନ ଭାବେ ସାଧାରଣ ଜନଗଣନା ସହ ଏହି ସ୍ୱତନ୍ତ୍ର ଗଣନାର ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଅନୁମତି ମଗାଯାଇଛି । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନର ୧୫୦ତମ ପୂର୍ତ୍ତି ଅବସରରେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କ୍ୟାବିନେଟ୍ ବୈଠକରେ କୁହାଯାଇଛି ।
ସମସ୍ତଙ୍କର ସମାନ ଅଧିକାର ରହିଲେ ଯାଇ ଅର୍ଥନୈତିକ ସମାନତା ସମ୍ଭବ ହୋଇପାରିବ ଯାହାକି ସ୍ୱାଧୀନତାର ମୁଖ୍ୟ ଚାବିକାଠି ବୋଲି ଗାନ୍ଧୀ ବିଚାର କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ଅର୍ଥନୈତିକ ସ୍ୱାଧୀନତା ବିଚାରକୁ ରାଜ୍ୟ ସରକାର ଆଦର୍ଶ ମାନିଛନ୍ତି । ତେବେ ସାମାଜିକ ବିବିଧତା ସମ୍ପନ୍ନ ଓଡ଼ିଶା ବିଭିନ୍ନ କ୍ଷେତ୍ର ବିଶେଷ କରି ମାନବ ସମ୍ବଳ ବିକାଶରେ ଅଗ୍ରଗତି କରିଥିବା ରାଜ୍ୟ ସରକାର ଦାବି କରିଥିଲେ ମଧ୍ୟ ଫଳାଫଳ ନେଇ ସନ୍ତୁଷ୍ଟ ନାହାନ୍ତି । ଏହାକୁ ଅଧିକ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ଅନୁଭବ କରିଛନ୍ତି ।
ରାଜ୍ୟ ସରକାରଙ୍କ ଅଭିଯୋଗ, ୧୯୩୧ ପରଠାରୁ ହୋଇଥିବା ଜନଗଣନାରେ ନିର୍ଦ୍ଦିଷ୍ଟ ଭାବେ ଜାତିଗତ ସମ୍ପୂର୍ଣ୍ଣ ବିବରଣୀ ରହୁନାହିଁ । ଯାହା ଫୋକସ୍ ଅଞ୍ଚଳ ନିର୍ଦ୍ଧାରଣରେ ଅନ୍ତରାୟ ସୃଷ୍ଟି କରୁଛି । ସାମାଜିକ, ଶିକ୍ଷାଗତ ଓ ଅନ୍ୟାନ୍ୟ ଜାତିଭିତ୍ତିକ ପଛୁଆ ବର୍ଗଙ୍କ ତାଲିକା ସମ୍ପର୍କରେ ନିର୍ଦ୍ଦିଷ୍ଟ ତଥ୍ୟ ନ ଥିବାରୁ ବିକାଶମୂଳକ ଯୋଜନାର ରୂପରେଖ ପ୍ରଭାବିତ ହେଉଛି । ୨୦୧୧ ସାମାଜିକ, ଅର୍ଥନୈତିକ ଜାତିଗତ ଗଣନା ରିପୋର୍ଟ ରୁ କେନ୍ଦ୍ର ସରକାର ଏହାର ଆବଶ୍ୟକତା ଅନୁଭବ କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ୨୦୨୧ ଜନଗଣନାରେ ମଧ୍ୟ ପଛୁଆ ଜାତିବର୍ଗଙ୍କ ନିରୂପଣ ବ୍ୟବସ୍ଥା କରାଯାଇନାହିଁ ।
ସୁତରାଂ ୨୦୨୧ ଜନଗଣନା ସହ ସାମାଜିକ-ଅର୍ଥନୈତିକ ଜାତିଗଣନା କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରର ହସ୍ତକ୍ଷେପ ଚାହିଁଛନ୍ତି । ସେଥିପାଇଁ ଅଲଗା ଫର୍ମାଟ୍ କିମ୍ବା ସ୍ୱତନ୍ତ୍ର ସ୍ତମ୍ଭ ରଖିବାକୁ ଅନୁରୋଧ କରାଯିବ । ଗଣନା ପରେ ଏହି ତଥ୍ୟ ତୁରନ୍ତ ପ୍ରକାଶ ସଂକଳ୍ପରେ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାରଙ୍କ ବିଚାରରେ, ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।