ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ତିଆରି କରି ତାକୁ ପ୍ରଚାର କରିଥିଲେ ବିଜେଡ଼ି ସାଂସଦ । ଓଡ଼ିଶାରେ ନୁହେଁ ଦିଲ୍ଲୀରେ ଖେଳ ଖେଳିଥିଲେ । ଦିଲ୍ଲୀରେ କାଟତି ରଖିଥିବା ଏହି ସାଂସଦ କୁଆଡ଼େ ବୈଜୟନ୍ତ ପଣ୍ଡା । ସୋସିଆଲ୍ ମିଡ଼ିଆରେ ତାଙ୍କ ନାଁ ଆସିଲା ପରେ ଆଜି ବୈଜୟନ୍ତଙ୍କୁ ତର ସହିନି । ଟୁଇଟ୍ ଯୋଗେ ସ୍ପଷ୍ଟୀକରଣ ରଖିଛନ୍ତି । ତାଙ୍କ ନେତାଙ୍କ ମୁଣ୍ଡରେ ସନ୍ଦେହ ପୂରାଇବା ପାଇଁ ଏହା ତାଙ୍କ ବିରୋଧରେ ଚକ୍ରାନ୍ତ ଏବଂ ତିନି ବର୍ଷ ହେଲା ଏହି ଚକ୍ରାନ୍ତ ଚାଲିଥିବା ବୈଜୟନ୍ତ ଲେଖିଛନ୍ତି । ତେବେ ବୈଜୟନ୍ତଙ୍କ ସ୍ପଷ୍ଟୀକରଣରୁ ତାଙ୍କ ପାପୀ ମନ ଧରାପଡ଼ିଯାଇଥିବା ବିଜେଡ଼ି ମହଲରେ ଆଲୋଚନା ହେଉଛି । ଚକ୍ରାନ୍ତ ଧରାପଡ଼ିଗଲା ପରେ ଲୋକଙ୍କ ରୋଷରୁ ବଞ୍ଚିବା ପାଇଁ ଏଭଳି ଟିପ୍ପଣୀ ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ଦଳର ଅନେକ ନେତା କହିଛନ୍ତି ।
ଗତବର୍ଷ ଫେବୃଆରୀ ୧୭ ତାରିଖରେ ନାରଦନିଉଜ୍ ଡଟ୍ କମ ନାମକ ଏକ ଇଂରାଜୀ ନିଉଜ ପୋର୍ଟାଲ୍ ରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଖବର ପ୍ରକାଶ ପାଇଥିଲା । ନବୀନ ଭୀଷଣ ଅସୁସ୍ଥ ଏବଂ ଅପରେସନ୍ ପାଇଁ ମାର୍ଚ୍ଚ ୫ ତାରିଖରେ ଆମେରିକା ଯିବେ ବୋଲି କୁହାଯାଇଥିଲା । ସତ ତୋଳି ଆଣିଲା ଭଳି ଖବରଟି ଥିଲା । ଖବରଟି ସମ୍ପର୍କରେ କାହାରିକୁ ଜଣା ନ ଥିଲା । ମାତ୍ର ମାର୍ଚ୍ଚ ୨ ତାରିଖରେ ହଠାତ୍ ତାହା ସୋସିଆଲ୍ ମିଡ଼ିଆରେ ଘୂରି ବୁଲିଲା । ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇଗଲା । ତେବେ ପରଦିନ ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗୁଜବ ବୋଲି ସ୍ପଷ୍ଟ କରିଥିଲେ । ସେ ସମ୍ପୂର୍ଣ୍ଣ ଫିଟ୍ ଏବଂ ଫାଇନ୍ ଥିବା କହିଥିଲେ । ଗୁଜବକାରୀଙ୍କ ଚକ୍ରାନ୍ତ ଫସର ଫାଟିଗଲା ।
ଗତ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ୟାରେଡ ଅଭିଭାବନ ଗ୍ରହଣ କରୁଥିଲା ବେଳେ ଅତ୍ୟନ୍ତ ଗୁଳୁଗୁଳି ସହିପାରି ନ ଥିଲେ । ଅଶ୍ୱସ୍ତି ଅନୁଭବ କରି ବସିପଡ଼ିଥିଲେ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରି ନିର୍ଦ୍ଧାରିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତାଙ୍କର ସୁସ୍ଥତା ଜାଣିଲା ପରେ ବି ଏକା ବୈଜୟନ୍ତ ପଣ୍ଡା ତାଙ୍କର ଆଶୁ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରି ଟୁଇଟ୍ ଛାଡ଼ିଥିଲେ । ତାଙ୍କ ଭାଷାରେ ଆଶଙ୍କାର ଛାପ ରହିଥିଲା । ସାଙ୍ଗକୁ ତାଙ୍କ ଚାନେଲ୍ ନବୀନ ନିବାସ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖବରକୁ ଲାଇଭ୍ ଚଲାଇଲା । ଏମିତି ପ୍ରଚାର କଲା ଯେ ଲୋକେ ଭ୍ରମରେ ପଡ଼ିଗଲେ । ଆଉ ଏହା ହିଁ ବୈଜୟନ୍ତଙ୍କ ଭୂମିକା ସନ୍ଦେହକୁ ଆଣିଲା । ବୈଜୟନ୍ତ ଓ ତାଙ୍କ ଟିଭି ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥ ଖବର ପ୍ରଚାର ପାଇଁ ଏତେ ଉତ୍ସାହିତ କାହିଁକି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଆସିଲା ।
ଡେରିରେ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଗୁଜବ ପ୍ରଚାର ପଛରେ ବୈଜୟନ୍ତଙ୍କ ନାଁ ଚର୍ଚ୍ଚାକୁ ଆସିଛି । ବୈଜୟନ୍ତ ଏହାକୁ ଅଟର୍ ନନସେନସ୍ କହିଥିଲେ ମଧ୍ୟ ତାଙ୍କ ଉଚ୍ଚକାଂକ୍ଷୀ ରାଜନୀତିକୁ ଜାଣିଥିବା ଦଳୀୟ ନେତା ଓ କର୍ମୀ ତାହାକୁ ଗ୍ରହଣ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଗୁଜବ ପ୍ରଚାର କରି ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରିବାକୁ ତାଙ୍କର ଯୋଜନା ଥିଲା ବୋଲି ସେମାନଙ୍କ ବିଶ୍ୱାସ । ଏହି ଜରିଆରେ ସେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ରଖିଥିଲେ ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା ତାତ୍ସଲ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଭକ୍ତିରେ ଭକ୍ତିରେ ଚିତା କାଟୁଛନ୍ତି ବୈଜୟନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିବାର ସାହାସ ନ ପାଇ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି । ନିଶ୍ଚିନ୍ତକୋଇଲିରେ ତାଙ୍କର ପାଣିଟାଙ୍କି ଉଦଘାଟନକୁ ସ୍ଥାନୀୟ ବିଜେଡ଼ି ନେତାଙ୍କ ବିରୋଧ ପରେ ସେ ପ୍ରତିହିଂସାପରାୟଣ ହୋଇଛନ୍ତି । ତେବେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମୀମାନେ ଫେରାଦ ହେବା ଆରମ୍ଭ କରିଛନ୍ତି । ନିଶ୍ଚିନ୍ତକୋଇଲି ଓ ମହାକାଳପଡ଼ା ପରେ ଆଜି ସାଲେପୁରର ବିଜେଡ଼ି କର୍ମୀମାନେ ନବୀନ ନିବାସ ଆସି ବୈଜୟନ୍ତଙ୍କୁ ଦଳବିରୋଧୀ ଆଖ୍ୟା ଦେଇଛନ୍ତି । ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବୈଜୟନ୍ତଙ୍କ ଶିବିର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କରି ପ୍ରତି ଆକ୍ରମଣ ଆଭିମୁଖ୍ୟ ନେଇଛନ୍ତି । ଓଡ଼ିଆ ଚାନେଲରେ ମୁହଁ ଦେଖାଇବାକୁ ନାକ ଟେକୁଥିବା ବୈଜୟନ୍ତ ନିଜର ଅଣଓଡ଼ିଆ ରାଜନୈତିକ ସଚିବଙ୍କ ମୁହଁରେ ପ୍ରତିକ୍ରିୟା ଛାଡ଼ିଛନ୍ତି ।