ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ଦେଶର ଜଣାଶୁଣା ବୁଦ୍ଧିଜୀବୀ ଡ. ସୁବ୍ରମଣ୍ୟମ ସ୍ୱାମୀଙ୍କ ନଜରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୃଦୟ ବିଶାଳ । ଅଭିଜିତ୍ ଆୟର ମିତ୍ରଙ୍କୁ ସରକାର କ୍ଷମା କରିଦେଇ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ନିଷ୍ପତ୍ତି ନେଲା ପରେ ଡ. ସ୍ୱାମୀ ଟୁଇଟ୍ କରି ନବୀନଙ୍କର ଉଚ୍ଚପ୍ରଶଂସା କରିଛନ୍ତି । ଅଭିଜିତ୍ ଙ୍କ ପାଇଁ ଜେଲ୍ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇ ତାଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ କରିବା ସତ୍ତ୍ୱେ ଓଡିଶା ସରକାର ତାଙ୍କ ବିରୋଧରେ ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକର ଏହା ବିଶାଳ ହୃଦୟ ଓ ଓଡ଼ିଶା ବିଧାନସଭାର ବୁଦ୍ଧିମତା ବୋଲି ଡ. ସ୍ୱାମୀ ଲେଖିଛନ୍ତି । ଚାରି ଅକ୍ଷରର ଫାଉଲ୍ ଶଦ୍ଦ ସଂସ୍କୃତି ନୁହଁ, ଏକଥା ଅଭିଜିତ୍ ଶିଖିବା ଦରକାର ବୋଲି ସେ ଲେଖିଛନ୍ତି ।
କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ଓଡ଼ିଶାର ଅସ୍ମିତା, ଓଡ଼ିଶାର ବିଧାୟକଙ୍କ ପ୍ରତି ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇ ପୁଲିସ ମାମଲାରେ ପଡ଼ିଥିଲେ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର । ବୈଜୟନ୍ତ ତାଙ୍କୁ ଓଡ଼ିଶା ଆଣି ନିଜ ହେଲିକପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ବୁଲାଇବା ଖବର ଚର୍ଚ୍ଚାରେ ଥିବା ବେଳେ ସୋସିଆଲ୍ ମିଡ଼ିଆରେ ଅଭିଜିତ୍ ଙ୍କ ଏହି କାରନାମା ଆସିଥିଲା । ଅଭିଜିତ୍ ଙ୍କ ଅରୁଚିକର ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ଆଘାତ ଆଣି ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଓଡ଼ିଶା ବିଧାନସଭାରେ ମଧ୍ୟ ଉଦବେଗ ପ୍ରକାଶ ପାଇ ଗୃହ କମିଟି ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବର ୨୩ ତାରିଖରେ ଅଭିଜିତ୍ ଗିରଫ ହୋଇ ଜେଲ୍ ଯାଇଥିଲେ । ଇତିମଧ୍ୟରେ ଗୃହ କମିଟିରେ ହାଜର ହୋଇ ଅଭିଜିତ୍ ନିଜ ଭୁଲ୍ ପାଇଁ କ୍ଷମା ମାଗିବା ପରେ ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲା । ଶେଷରେ ସରକାର ମଧ୍ୟ ତାଙ୍କ କ୍ଷମାପ୍ରାର୍ଥନା ଗ୍ରହଣ କରିଛନ୍ତି ଏବଂ ତାଙ୍କ ବିରୋଧରେ ହୋଇଥିବା ମାମଲାଗୁଡ଼ିକର ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଅଭିଜିତ୍ ଙ୍କ ମନ୍ତବ୍ୟ ଝଡ଼ ସୃଷ୍ଟି କଲାଦିନୁ ତାଙ୍କର ବନ୍ଧୁ ବୈଜୟନ୍ତ ପଣ୍ଡା ଉପରଠାଉରିଆ ଭାବେ ଡେରିରେ ଘଟଣାକୁ ନିନ୍ଦା କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଦଣ୍ଡବିଧାନକୁ ସମାଲୋଚନା କରି ଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ତାଙ୍କ କଳକୁ ଲଗାଇ ଦେଇଥିବା ଚର୍ଚ୍ଚା ହୋଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବୈଜୟନ୍ତଙ୍କ ସ୍ତାବକମାନେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଅଭିଜିତ୍ ଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଥିଲେ । କୁହାଯାଉଥିଲା, ଅଭିଜିତ୍ ଙ୍କ ଜାମିନ୍ ପାଇଁ ଡ. ସୁବ୍ରମଣ୍ୟମ ସ୍ୱାମୀଙ୍କ ଓକିଲ ଟିମ୍ ଲାଗିଥିଲେ । ତେବେ ଅଭିଜିତ୍ ଙ୍କୁ ସରକାର କ୍ଷମା ଦେବା ପରେ ପ୍ରଥମ ବ୍ୟକ୍ତି ଭାବେ ଡ. ସ୍ୱାମୀ ନବୀନଙ୍କୁ ପ୍ରଶଂସା କରି ତାଙ୍କ ହୃଦୟ ବିଶାଳ ବୋଲି କହିବା ବିରୋଧୀମାନଙ୍କୁ ଶକ୍ତ ଚାପୁଡ଼ା ଭଳି ହୋଇଛି ।