ନୂଆଦିଲ୍ଲୀ: ପୁଣି ଶୀର୍ଷରେ ନବୀନ ପଟ୍ଟନାୟକ । ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ । ସି ଭୋଟର ଜନମତ ସର୍ଭେ( ଷ୍ଟେଟ୍ ଅଫ୍ ଦ ନେସନ୍ ୨୦୨୦)ରୁ ଏହି ଫଳ ଆସିଛି । ନବୀନଙ୍କ କାର୍ଯ୍ୟରେ ୮୨.୯୬% ଲୋକ ସନ୍ତୁଷ୍ଟ ଅଛନ୍ତି ।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ୍ । ତାଙ୍କୁ ୮୧.୦୬% ସମର୍ଥନ କରିଛନ୍ତି । ତୃତୀୟ ସ୍ଥାନରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ । ତାଙ୍କୁ ୮୦.୨୮% ଲୋକ ଗ୍ରହଣ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୭୮.୦୧% ଗ୍ରହଣୀୟତା ପାଇ ଚତୁର୍ଥ ସ୍ଥାନରେ ଅଛନ୍ତି । ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର (୭୬.୫୨%), ଷଷ୍ଠ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ (୭୪.୧୮%), ସପ୍ତମ ସ୍ଥାନରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର (୭୩.୯୬%) ଏବଂ ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ୬୭.୨୧% ସମର୍ଥନ(ରେଟିଂ) ପାଇଛନ୍ତି ।
ଲୋକପ୍ରିୟ ତାଲିକାର ସବା ତଳେ ଅଛନ୍ତି ବିଜେପି ଶାସିତ ହରିଆନା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର । ତାଙ୍କ ଉପରେ ମାତ୍ର ୪.୪୭% ଲୋକ ସନ୍ତୁଷ୍ଟ ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱାତ୍ । ୧୭.୭୨% ଲୋକ ତାଙ୍କୁ ପସନ୍ଦ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟରେ ୫୨.୦୬% ସନ୍ତୁଷ୍ଟ ।
ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ୬୫.୬୯% ଲୋକ ସନ୍ତୁଷ୍ଟ ଅଛନ୍ତି । ସବୁଠାରୁ ଅଧିକ ସନ୍ତୁଷ୍ଟ ଅଛନ୍ତି ଓଡ଼ିଶାବାସୀ । ଓଡ଼ିଶାର ୯୫.୬% ଲୋକ ମୋଦିଙ୍କୁ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୮୪.୮୭% ଅତ୍ୟନ୍ତ ପ୍ରୀତ ଥିବା ବେଳେ ମାତ୍ର ୨.୨% ଖୁସି ନାହାନ୍ତି । ଓଡ଼ିଶା ପରେ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶରେ ମୋଦି ଅଧିକ ଗ୍ରହଣୀୟ ରହିଛନ୍ତି ।
ହିମାଚଳ ପ୍ରଦେଶରେ ୯୩.୯୫%, ଛତିଶଗଡ଼ରେ ୯୨.୭୩%, ଆନ୍ଧ୍ର ପ୍ରଦେଶରେ ୮୩.୬% ମୋଦିଙ୍କୁ ଗ୍ରହଣ କରିଛନ୍ତି । ଝାଡ଼ଖଣ୍ଡରେ ୮୨.୯୭%, କର୍ଣ୍ଣାଟକ ୮୨.୫୬%, ଗୁଜୁରାଟ ୭୨.୬୨%, ଆସାମ ୭୪.୫୯%, ତେଲେଙ୍ଗାନା ୭୧.୫୧% ଏବଂ ମହାରାଷ୍ଟ୍ରରେ ୭୧.୪୮% ଗ୍ରହଣୀୟ ହୋଇଛନ୍ତି ମୋଦି ।
ତାମିଲନାଡୁରେ ମୋଦିଙ୍କ ଗ୍ରହଣୀୟତା ସବୁଠାରୁ କମ । ମାତ୍ର ୩୨.୧୫% ଲୋକ ମୋଦିଙ୍କୁ ଗ୍ରହଣ କରିଛନ୍ତି । କେରଳରେ ମଧ୍ୟ ମୋଦିଙ୍କ ଗ୍ରହଣୀୟତା ନାହିଁ । ମାତ୍ର ୩୨.୮୯% ସମର୍ଥନ କରିଛନ୍ତି । ଜାମ୍ମୁ କାଶ୍ମୀରରେ ୫୦.୨୩%, ହରିଆନା ୫୧.୨୫%, ଗୋଆ ୫୨.୫୪%, ଉତ୍ତରାଖଣ୍ଡ ୫୩.୫୩%, ବିହାର ୫୮.୪୮%, ଦିଲ୍ଲୀ ୬୦.୩୫%, ଉତ୍ତର ପ୍ରଦେଶ ୬୦.୬୮% ଏବଂ ପଶ୍ଚିମବଙ୍ଗରୁ ୬୪.୦୬% ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି ।