ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତ ରାଜନୈତିକ ପ୍ରସଙ୍ଗ ରୋଚକ ମୋଡ଼ ନେଇଛି । ପାରାଦ୍ୱୀପରୁ ଲଢ଼ି ସେ ନିଶ୍ଚିତ ବିଜୟୀ ହେବେ ବୋଲି ଦମ୍ଭ ଦେଖାଉଥିବା ବେଳେ ଆଗ ନିଜ ଘରୁ ହିଁ ତାଙ୍କର ପ୍ରତିଦ୍ୱନ୍ଦୀ ବାହାରିଛନ୍ତି । ପୁଅ ସମ୍ବିତ ବିଜେଡ଼ି ଟିକେଟ ପାଇବାକୁ କିଛି ଦିନ ତଳୁ ଆଶା ବାନ୍ଧିଛନ୍ତି । ହେଲେ ଏବେ ସାମନାକୁ ଆସିଛନ୍ତି ଭାଇ ଡାକ୍ତର ବାମଦେବ ରାଉତ । ବିଜେଡ଼ି ତାଙ୍କୁ ଟିକେଟ ଦେଲେ ସେ ପାରାଦ୍ୱୀପରେ ଲଢ଼ିବେ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି । ବାମଙ୍କ ଏହି ଘୋଷଣା ପରେ ନିଜ ପରିବାରରେ ଦାମ ଅଛୁଆଁ ହୋଇଥିବା ବାରି ହେଉଛି ।
ଆଜି ଗଣମାଧ୍ୟମରେ ଦାମ ରାଉତଙ୍କ ଏହି ସାନଭାଇ ବାମଦେବ ନିଜର ମତ ରଖିଛନ୍ତି । କହିଛନ୍ତି, ମୁଁ ଏବେ ବିଜେପିରେ ଅଛି । ବିଜେଡ଼ି ମତେ ଯଦି ଉପଯୁକ୍ତ ଭାବି ପାରାଦ୍ୱୀପରୁ ଟିକେଟ ଦିଏ ତେବେ ମୁଁ ନିଶ୍ଚିତ ଲଢ଼ିବି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବର୍ତ୍ତମାନ ବିଜେପିରେ ଅଛି । ବିଜେପି ବି ଯଦି ଟିକେଟ ଦିଏ ମୁଁ ପାରାଦ୍ୱୀପରୁ ଲଢ଼ିବି । ସୁତରାଂ ବିଜେପି ହେଉ କି ବିଜେଡ଼ି ହେଉ, ଯେଉଁ ଦଳ ତାଙ୍କୁ ପ୍ରାର୍ଥୀ କରିବ ସେ ପାରାଦ୍ୱୀପରୁ ନିର୍ବାଚନ ଲଢ଼ିବେ । ତାଙ୍କ ଝିଆରୀ( ଦାମବାବୁ ଓ ବାମବାବୁଙ୍କ ବଡ଼ଭାଇଙ୍କ ଝିଅ) ବିଜେଡ଼ି ଟିକେଟରୁ ପାରାଦ୍ୱୀପରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଉପରେ ମଧ୍ୟ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯଦି ଝିଆରୀକୁ ବିଜେଡ଼ି ଉପଯୁକ୍ତ ମନେ କରେ ତେବେ ପ୍ରାର୍ଥୀ କରିବାରେ ଅସୁବିଧା ନାହିଁ । ଝିଆରୀଙ୍କ ପଛରେ ତାଙ୍କ ସମର୍ଥନ ଅଛି ବୋଲି ମଧ୍ୟ ବାମଦେବ କହିଛନ୍ତି ।
ବଡ଼ଭାଇଙ୍କୁ ବିଜେଡ଼ିରୁ ବହିଷ୍କାର କରାଯିବା ସମ୍ପର୍କରେ ମତ ଦେଇ ସେ କହିଛନ୍ତି, ବିଜେଡ଼ି ତାଙ୍କୁ ବହୁତ କିଛି ଦେଇଛି । ମାତ୍ର ସେହି ଦଳରେ ଥାଇ ଭାଇ ଯେଉଁଭଳି ବୟାନବାଜି କଲେ ତାହା ଠିକ୍ ହୋଇନାହିଁ । ସେ କହିଛନ୍ତି, ଭାଇ ସବୁବେଳେ ପରବୋଲିଆ । କିଏ ତାଙ୍କୁ ଉସୁକାଇଦେଲେ ସେ ସେଥିରେ ମାତିଯାଆନ୍ତି । ନିଜକୁ ସବୁବେଳେ ଅଧିକ ଜ୍ଞାନୀ,ଗୁଣୀ ଭାବି ଅନ୍ୟମାନଙ୍କୁ ନୀଚ୍ଚା ଦେଖନ୍ତି । ସେ ଅନେକଥର ଭାଇଙ୍କୁ ତାଙ୍କର ଦୋଷ ଦୁର୍ବଳତା କହିଛନ୍ତି । ମାତ୍ର ବଡ଼ଭାଇ ଖାତିରରେ ସେ ତାହାକୁ ହେୟଜ୍ଞାନ କରିଛନ୍ତି । ବର୍ତ୍ତମାନର ସ୍ଥିତି ଉପରେ ସେ ଅଧିକ କହିବାକୁ ମନା କରି ଅନେକ ଦିନ ହେଲା ତାଙ୍କ ସାଙ୍ଗରେ ସମ୍ପର୍କରେ ନାହାନ୍ତି ବୋଲି କହିଛନ୍ତି । ତେବେ ଭାଇଙ୍କୁ ବିଜେଡ଼ିରୁ ବାହାର କରିବାର ପୂରା ସପକ୍ଷରେ ସେ ନାହାନ୍ତି ବୋଲି ବାମଦେବ କହିଛନ୍ତି ।
ବାମଦେବ କହିଛନ୍ତି ଯେ ସେ ନିଜେ ପ୍ରଥମେ ବିଜେଡ଼ିରେ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ କିଛି ଜିଲ୍ଲାର ଦାୟିତ୍ୱ ମଧ୍ୟ ଦେଇଥିଲେ । ପ୍ୟାରୀବାବୁ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ୨୦୦୪ରେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଭାବେ ତାଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟି ଦିଆଗଲା । ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଓ ପ୍ୟାରୀବାବୁଙ୍କୁ ପଚାରିଥିଲେ । ମାତ୍ର ଏକଥା ଦାମବାବୁଙ୍କୁ ପଚାର ବୋଲି ସେମାନେ ମତେ କହିଥିଲେ ।
ଭାଇଙ୍କର ରାଜନୈତିକ ଉତଥାନ ପଛରେ ବିଜୁବାବୁ ଓ ନବୀନ ବାବୁଙ୍କ ଆର୍ଶିବାଦ ଥିବା ବାମଦେବ ସ୍ୱୀକାର କରିଛନ୍ତି । ଭାଇ ରାଜନୀତିରୁ ବହୁତ କିଛି ପାଇଛନ୍ତି । ହେଲେ ଯାହା ସେ ପାଇଛନ୍ତି ନିଜ ପାଇଁ । ପରିବାର ପ୍ରତି ତାଙ୍କର କାଣିଚାଏ ଅବଦାନ ନାହିଁ । ବରଂ ତାଙ୍କର ରାଜନୈତିକ ଉତଥାନ ପାଇଁ ପରିବାରର ବହୁତ ଅବଦାନ ରହିଛି ବୋଲି ବାମଦେବ କହିଛନ୍ତି ।
ଦାମଙ୍କ ପ୍ରତିକ୍ରିୟା: ପାରାଦ୍ୱୀପରୁ ଭାଇ ବାମଦେବ ବିଜେଡ଼ି ଟିକେଟରେ ଲଢ଼ିବାକୁ ଆଗ୍ରହୀ ବୋଲି ଗଣମାଧ୍ୟମର ଖବର ଉପରେ ଦାମବାବୁ ପ୍ରତିକ୍ରିୟା ରଖିଛନ୍ତି । ତାତ୍ସଲ୍ୟ କରି କହିଛନ୍ତି, ବିଜେଡ଼ି ବାଲା ମୋ ଭାଇକୁ କାହିଁକି ଟିକେଟ ଦେବେ । ମୋ ପୁଅ ପରା ବିଜେଡ଼ିରେ ଅଛି । ତାକୁ ଟିକେଟ ଦେଉନାହାନ୍ତି ।