ଆର୍ଥିକ କଟକଣା ଲଗାଇଲେ ରାଜ୍ୟ ସରକାର
ଭୁୁବନେଶ୍ୱର: କରୋନା ମହାମାରୀଜନିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ଖର୍ଚ୍ଚକାଟ ବ୍ୟବସ୍ଥା ଆପଣେଇଛନ୍ତି । ସରକାରୀ ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଖର୍ଚ୍ଚ ଉପରେ କଠୋର କଟକଣା ଲାଗୁ ହୋଇଛି । ଆଜି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଏ ମର୍ମରେ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଦେଶବ୍ୟାପୀ କରୋନା ଲକଡାଉନ୍ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । ଗୋଟେ ପଟେ କୋଭିଡ୍ ପରିଚାଳନା ବ୍ୟାପକ ଖର୍ଚ୍ଚର ଆବଶ୍ୟକତା ତ ଅନ୍ୟପଟେ କର୍ମନିଯୁକ୍ତି ଓ ଜୀବିକା ସଂସ୍ଥାପନ ପାଇଁ ବ୍ୟାପକ ଖର୍ଚ୍ଚର ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ସରକାରୀ ବିଭାଗଗୁଡ଼ିକରେ ଖର୍ଚ୍ଚକାଟ ଏବଂ କଟକଣା ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।
କଟକଣା-୧: ଗସ୍ତ ଏବଂ ଗାଡ଼ି
(କ) ଦୁଇ ବର୍ଷ ଯାଏ କୌଣସି ନୂଆ ଗାଡ଼ି କିଣାଯିବ ନାହିଁ ।
(ଖ) ସାଧାରଣ ଭାବେ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ଯଥାସମ୍ଭବ ଏଡ଼ାଯିବ । ଭିଡ଼ିଓ କନଫରେନ୍ସିଂ/ ଆଇଟି ବ୍ୟବହାର ଜରିଆରେ ଅଫିସ୍ କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱ ।
(ଗ) ସରକାରୀ ଖର୍ଚ୍ଚରେ ଦେଶ ବାହାରକୁ ଯିବା ସମ୍ପୂର୍ଣ୍ଣ ମନା । ଦରକାର ହେଲେ ଭିଡ଼ିଓ କନଫରେନ୍ସିଂରେ ମିଟିଂ କରାଯିବ । ବିମାନ ଯାତ୍ରାକୁ ଏଡ଼ାଇବା ଉପରେ ଗୁରୁତ୍ୱ । ନିହାତି ଆବଶ୍ୟକ ପଡ଼ିଲେ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣି ବିମାନ ଯାତ୍ରା କରିପାରିବେ ।
(ଘ) ସରକାରୀ ଅଧିକାରୀମାନଙ୍କୁ ଫାଷ୍ଟ କ୍ଲାସ୍ ଏସି ଟ୍ରେନ୍ ଯାତ୍ରା ମନା ।
(ଙ) ନୂଆ ଗାଡ଼ି କିଣିବାକୁ ହେଲେ ଅର୍ଥ ବିଭାଗର ଅନୁମତି ଆଣିବାକୁ ପଡ଼ିବ ।
(ଚ) ଦିଲ୍ଲୀ, କୋଲକତା, ମୁମ୍ବାଇ ଏବଂ ଚେନ୍ନାଇକୁ ସରକାରୀ କାର୍ଯ୍ୟରେ ଯାଉଥିବା ଅଧିକାରୀମାନେ ହୋଟେଲରେ ରହିଲେ ସରକାର ସେହିି ଖର୍ଚ୍ଚ ବହନ କରିବେ ନାହିଁ । ସେଠାରେ ଥିବା ସରକାରୀ ଭବନ କିମ୍ବା ନିବାସରେ ଯଦି ରୁମ୍ ଖାଲି ନ ଥିବ ତେବେ ଯାଇ ସରକାର ସେମାନଙ୍କ ହୋଟେଲ ରହଣୀ ଖର୍ଚ୍ଚ ବୁଝିବେ ।
କଟକଣା-୨: ଏଷ୍ଟାବ୍ଲିସମେଣ୍ଟ
(କ) ମେଡ଼ିକାଲ୍ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବାବଦ ସାମଗ୍ରୀକୁ ଛାଡ଼ିଦେଲେ ଆଉ କୌଣସି ସାମଗ୍ରୀ କିଣାଯିବନି । ତେବେ ଡିଜିଟାଲ୍ ଯୋଗାଯୋଗ ସମ୍ବନ୍ଧିତ ସାମଗ୍ରୀ କିଣିବାକୁ ହେଲେ ଅର୍ଥ ବିଭାଗର ଅନୁମତି ନେବାକୁ ପଡ଼ିବ ।
(ଖ) ସରକାରୀ ଅଫିସର ମରାମତି, ଆଧୁନିକୀକରଣ କିମ୍ବା ଅନ୍ୟ ସେଭଳି କୌଣସି କାର୍ଯ୍ୟକୁ ମନା । ଅଫିସ ପାଇଁ ଫର୍ଣ୍ଣିଚର ବି କିଣାଯିବ ନାହିଁ ।
(ଗ) ସରକାରୀ ଖର୍ଚ୍ଚରେ କୌଣସି ହୋଟେଲ୍ ରେ ମିଟିଂ, ୱାର୍କସପ୍, ସେମିନାର ହୋଇପାରିବ ନାହିଁ ।
(ଘ) କର୍ମଚାରୀଙ୍କୁ ଦୀର୍ଘ ମିଆଦୀ ଆଡଭାନସ୍ ଦିଆଯିବ ନାହିଁ ।
(ଙ) ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଏଲଟିସି ଦିଆଯିବ ନାହିଁ ।
(ଚ) ଅଫିସରେ କାଗଜ ଏବଂ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବ୍ୟବହାର ଯେତେ କମ୍ କରାଯିବ ।
(ଛ) ‘ଅଦର୍ କଣ୍ଟିଜେନ୍ସୀ’ ବ୍ୟବସ୍ଥାରୁ ଖର୍ଚ୍ଚକୁ ସର୍ବନିମ୍ନ ସ୍ତରରେ ରଖାଯିବ ।
(ଜ) ଟେଲିଫୋନ୍ ଖର୍ଚ୍ଚ କମ୍ କରାଯିବ ।
କଟକଣା-୩: ନିଯୁକ୍ତି ଏବଂ ମାନବ ସମ୍ବଳର ଉପଯୋଗ
(କ) କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ ଅନ୍ୟ ସବୁ ବିଭାଗରେ ନୂଆ ପଦବୀ ସୃଷ୍ଟି ଉପରେ ସମ୍ପୂର୍ଣ୍ଣ କଟକଣା । ପ୍ରଶାସନିକ ଦୃଷ୍ଟିରୁ ନିହାତି ଆବଶ୍ୟକ ପଡ଼ିଲେ ଅର୍ଥ ବିଭାଗର ଅନୁମତିକ୍ରମେ ସମ ପରିମାଣର ପଦବୀ ଉଚ୍ଛେଦ କରାଯାଇ ନୂତନ ନିଯୁକ୍ତି ହୋଇପାରିବ ।
(ଖ) ୫ ବର୍ଷରୁ ଅଧିକ ବର୍ଷ ଧରି ଖାଲି ପଡ଼ିଥିବା ପଦବୀଗୁଡ଼ିକ ଆପେ ଉଚ୍ଛେଦ ହୋଇଯିବ ।
(ଗ) ନୂଆ କନସଲଟାଣ୍ଟସ୍, ଆଉଟସୋର୍ସିଂ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ବନ୍ଦ ।
କଟକଣା-୪: ସରକାରୀ ସ୍କିମ୍
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ ରାଜ୍ୟସ୍ତରୀୟ କୌଣସି ନୂଆ ସ୍କିମ୍/ ପ୍ରକଳ୍ପ କରାଯିବ ନାହିଁ । ନିହାତି ଆବଶ୍ୟକ ହେଲେ ଇଏଫସି/ଏସଏଫସିର ଆପ୍ରେଜାଲ୍ ସହ ଅର୍ଥ ବିଭାଗର ସ୍ପେସିଫିକ୍ କନକରେନ୍ସ ଆଣିବାକୁ ପଡ଼ିବ ।