ଆଉ ୧୦ ଜଣଙ୍କ ଜୀବନ ଗଲା, ମୃତ୍ୟୁସଂଖ୍ୟା ୧୪୩
ଭୁୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଯେ ଭୟଙ୍କର ରୂପ ନେଇସାରିଛି, ତାହା ସ୍ପଷ୍ଟ ହେଲାଣି । ଗତକାଲି ୪୭,୮୮୭ ଟେଷ୍ଟିଂରୁ ୨,୪୯୬ ପଜିଟିଭ୍ ବାହାରିଥିଲେ । ଆଜି ୫୨,୭୯୫ ଟେଷ୍ଟିଂରୁ ବାହାରିଛନ୍ତି ୨,୯୨୪ ପଜିଟିଭ୍ । ଗୋଟେ ଦିନରେ ଏତେ ସଂଖ୍ୟକ ଟେଷ୍ଟିଂ ହେବା ଏବଂ ଆକ୍ରାନ୍ତ ଚିହ୍ନଟ ହେବାରେ ଆଜି ନୂଆ ରେକର୍ଡ ସୃଷ୍ଟି ହୋଇଛି । ଆହୁରି ଉଦବେଗର କଥା ହେଉଛି, ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦୯ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ଦିନକରେ ସର୍ବାଧିକ ୪୮୮ ଚିହ୍ନଟ ହେବା ମଧ୍ୟ ରେକର୍ଡ ସୃଷ୍ଟି କରିଛି । ଯାଜପୁର(୨୦୦), କଟକ(୧୮୯), ସୁନ୍ଦରଗଡ଼(୧୬୧), ପୁରୀ(୧୪୪), ନୟାଗଡ଼(୧୪୨) ଜିଲ୍ଲାରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି । ଗଞ୍ଜାମ ସ୍ଥିତିରେ ଅପେକ୍ଷାକୃତ ସୁଧାର ଆସୁଛି । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୧୮ ପଜିଟିଭ୍ ।
ସେହିଭଳି ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଓ ଖୋର୍ଦ୍ଧା(ଭୁବନେଶ୍ୱର)ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ କଟକ, ଯାଜପୁର, ବଲାଙ୍ଗୀର, ଭଦ୍ରକ, ସୋନପୁର ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଆଜିକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୫୦ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪୦,୭୨୭ ଜଣ ସୁସ୍ଥ ହୋଇସାରିଲେଣି । ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୯୨୭ । ସେହିଭଳି କରୋନା ମୃତ୍ୟୁସଂଖ୍ୟା ୩୪୩ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୫୪ ମୃତ୍ୟୁବରଣ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪୪, ସୁନ୍ଦରଗଡ଼ରୁ ୨୧, କଟକରୁ ୧୭ ଜଣଙ୍କର ମୃତ୍ୟୁହେଲାଣି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୩୭, ବାଲେଶ୍ୱର-୧୨୭, ବରଗଡ଼-୪୮, ଭଦ୍ରକ-୧୦୭, ବଲାଙ୍ଗୀର-୨୭, ବୌଦ୍ଧ-୮, କଟକ-୧୮୯, ଦେବଗଡ଼-୧୬, ଢ଼େଙ୍କାନାଳ-୪୦, ଗଜପତି-୭୧, ଗଞ୍ଜାମ-୩୧୮, ଜଗତସିଂହପୁର-୪୭, ଯାଜପୁର-୨୦୦, ଝାରସୁଗୁଡ଼ା-୩୦, କଳାହାଣ୍ଡି-୨୭, କନ୍ଧମାଳ-୫୦, କେନ୍ଦ୍ରାପଡ଼ା-୬୦, କେଉଁଝର-୨୬, ଖୋର୍ଦ୍ଧା-୪୮୮, କୋରାପୁଟ-୯୫, ମାଲକାନଗିରି-୯୩, ମୟୁରଭଞ୍ଜ-୧୩୬, ନବରଙ୍ଗପୁର-୨୬, ନୟାଗଡ଼-୧୪୨, ନୂଆପଡ଼ା-୨୦, ପୁରୀ-୧୪୪, ରାୟଗଡ଼ା-୧୧୬, ସମ୍ବଲପୁର-୩୭, ସୋନପୁର-୩୮, ସୁନ୍ଦରଗଡ଼-୧୬୧ ।