ଭୁୁବନେଶ୍ୱର: ଗତକାଲି ରାତିରେ ଚିହ୍ନଟ ହୋଇଥିବା ରାଜ୍ୟର ପଞ୍ଚିମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଆସିଛନ୍ତି ସମ୍ଭବତଃ ସ୍ପଷ୍ଟ ଚିତ୍ର ଆସିନାହିଁ । ତେବେ ୨୧ ଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଗଲାଣି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଏହି ସୂଚନା ଦେଇଛନ୍ତି ।
ଚତୁର୍ଥ ଆକ୍ରାନ୍ତ(ଭଦ୍ରକ)ଙ୍କ ସଂସ୍ପର୍ଶରେ ୩୩ ଜଣ ଆସିଥିଲା ବେଳେ ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ ଏବଂ ପ୍ରଥମ ଦୁଇଜଣଙ୍କ ସଂସ୍ପର୍ଶରେ ୫୫ ଜଣ ବ୍ୟକ୍ତି ଆସିଛନ୍ତି । ମୋଟ ୮୫ ଜଣ ସନ୍ଦିଗ୍ଧଙ୍କୁ ବିଭିନ୍ନ ହସ୍ପିଟାଲ୍ ରେ ଆଇସୋଲେସନ୍ ରେ ରଖାଯାଇଛି । ସରକାରଙ୍କ ୱେବସାଇଟ୍ ରେ ୧୫,୮୯୫ ଜଣ ପଞ୍ଜୀକୃତ କଲେଣି । ସେଥିମଧ୍ୟରୁ ୪,୩୬୬ ଜଣ ବିଦେଶରୁ ଆସିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ସମୁଦାୟ ୯ଶହ ନମୁନା ପରୀକ୍ଷା କରାଯାଇଛି ଏବଂ ୫ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହଜରତ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ଯାତ୍ରୀମାନଙ୍କ ମଧ୍ୟରୁ କୋଭିଡ୍-୧୯ ନମୁନା ପରୀକ୍ଷାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଶ୍ରୀ ବାଗଚୀ କହିଥିଲେ ।
ବିିଶ୍ୱ କରୋନା ସ୍ଥିତି: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୮,୬୨,୪୯୫ ଥିଲା । ଆଜି ସଂଖ୍ୟା ୯,୩୭,୯୩୬କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ୪୨,୫୧୦ ମୃତ୍ୟୁବରଣ କରିଥିଲେ । ଆଜି ସେହି ସଂଖ୍ୟା ୪୭,୫୧୦ କୁ ବଢ଼ିଯାଇଛି ।
ଲକ୍ଷଣ ଜାଣି ନିଜେ ହସ୍ପିଟାଲ୍ ନ ଯିବାକୁ ପରାମର୍ଶ: କରୋନାର କୌଣସି ଲକ୍ଷଣ ଦେଖିଲେ ନିଜେ ହସ୍ପିଟାଲ୍ ନ ଯିବାକୁ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ ପରାମର୍ଶ ଦେଇଛନ୍ତି । କୌଣସି ବ୍ୟକ୍ତି ବିଦେଶରୁ ବା ଅନ୍ୟ ରାଜ୍ୟରୁ ଫେରିଥିଲେ ୧୪ ଦିନ ପର୍ଯ୍ୟନ୍ତ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ୧୪ ଦିନ ପରେ ନିଜକୁ ନିଜକୁ ଆଉ ୧୪ ଦିନ ସର୍ବେକ୍ଷଣରେ ରୁହନ୍ତୁ । ଏହା ମଧ୍ୟରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖିଲେ ୧୦୪ କୁ ଫୋନ୍ କରନ୍ତୁ । ୧୦୪ ରେ ଥିବା ବିଶେଷଜ୍ଞ ଡାକ୍ତର ଯଦି ହସ୍ପିଟାଲ୍ ଆସିବାକୁ ପରାମର୍ଶ ଦେବେ ତେବେ ସରକାରଙ୍କ ଟିମ୍ ଘରକୁ ଯାଇ ହସ୍ପିଟାଲ୍ ଆଣିବେ । ଆପଣଙ୍କ ଘରକୁ ଆମ ଟିମ୍ ଯାଇ ଆପଣଙ୍କୁ ହସ୍ପିଟାଲ୍ ଆଣିବେ ବୋଲି ଶ୍ରୀମତୀ ପଣ୍ଡିତ ପରାମର୍ଶ ଦେଇଛନ୍ତି ।