ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ଶ୍ରମିକ ଅଜୟଙ୍କ ପରିବାରକୁ ସେ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଥିବା ବେଳେ ଆହତ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ଷଣି ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ଘଟଣା ଘଟିଲା ତାହାର ଛାନଭିନ୍ ଆରମ୍ଭ ହୋଇଛି । ଓଭରବ୍ରିଜ୍ କାମ ନିମ୍ନମାନର ହୋଇଥିବାରୁ ସେପ୍ଟେମ୍ବର ମାସରେ ଏହା ଭୂଷୁଡ଼ି ପଡ଼ି ଜଣଙ୍କର ମୁଣ୍ଡ ନେଇଥିଲା । ୮ ମାସ ପରେ ତାହାର ପୁନରାବୃତ୍ତି ହୋଇଛି । ପ୍ରଥମ ଦୁର୍ଘଟଣା ପରେ ପଣ୍ଡା ଇନଫ୍ରା ମାଲିକ ଗିରଫ ହୋଇଥିଲେ ଏବଂ ତାଙ୍କ ସଂସ୍ଥାକୁ ସରକାର କଳା ତାଲିକାଭୁକ୍ତ କରିଥିଲେ । ତେବେ ସେହି ସଂସ୍ଥା ଦ୍ୱାରା ଓଭରବ୍ରିଜ୍ ର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରାଇବାକୁ ପୁଣି କିଏ ନିଷ୍ପତ୍ତି ନେଲେ ତାହାର ଖୋଳତାଡ଼ ଚାଲିଛି ।
ଚର୍ଚ୍ଚା ହେଉଛି, ସରକାରୀ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ଟଙ୍କା ଲାଗିଛି ପଣ୍ଡା ଇନଫ୍ରା ସଂସ୍ଥାରେ । ସଂସ୍ଥାର ସେ ଜଣେ ଅଦୃଶ୍ୟ ମାଲିକ । ତାଙ୍କରି ଚାପରେ କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରା ହାତରେ ପୁଣି କାମ ଟେକି ଦିଆଯାଇଥିଲା । ସେହିଭଳି ପଣ୍ଡା ଇନଫ୍ରା ସଂସ୍ଥା ପ୍ରତି ଖୋଦ୍ ପୂର୍ତ୍ତ ସଚିବଙ୍କ ପ୍ରବଳ ଅନୁକମ୍ପା ଥିବାର ଚର୍ଚ୍ଚା ହେଉଛି । ତଦନ୍ତ କରି ଏହାର ସତ୍ୟାସତ୍ୟ ବାହାର କରାଯାଉ ଏବଂ ଦୋଷୀ ଯିଏ ବି ହୋଇଥାଉ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
ଅରୁଣ ସାହୁ ଙ୍କ ଏଥିରେ କିଛି ଭୂମିକା ନାହିଁ?