ଦିଲୀପ ସାବତ
ପଶ୍ଚିମବଙ୍ଗରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳିଗୁଡିକ ମଧ୍ୟରୁ ମନ୍ଦାରମଣି ହେଉଛି ଅନ୍ୟତମ । ବଙ୍ଗୋପସାଗର କୂଳରେ ଥିବା ଏହି ସ୍ଥାନଟିକୁ ଦୂରରୁ ଦେଖିଲେ ଏକ ଦ୍ୱୀପ ଭଳି ଦେଖାଯାଏ । ଲାଗେ ଯେମିତି ସମୁଦ୍ର ଭିତରେ ଏହି ଅଞ୍ଚଳଟି ବୁଡି ରହିଛି । ତେଣୁ ବର୍ଷ ତମାମ ପର୍ଯ୍ୟଟକମାନେ ଏଠାକୁ ଆସନ୍ତି । ତେବେ ଗ୍ରୀଷ୍ମ ଋତୁରେ ଏ ଅଞ୍ଚଳଟି ଅଧିକ ଚଳଚଞ୍ଚଳ ଲାଗେ । ଜୁନ ମାସ ଖରାଛୁଟି ହେଲେ ଆଖ ପାଖ ରାଜ୍ୟରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଠିକ୍ ଏହି ସମୟରେ ସେଠାକାର ପିଲାମାନେ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳେ । ଅଧିକାଂଶ ଘର ବାରଣ୍ଡାରେ ପିଲାମାନେ ବସି ରଥନିର୍ମାଣ କରୁଥାନ୍ତି । କାଠ, ବାଉଁଶ, କଟୁରୀ ଧରି ସଭିଏ ବ୍ୟସ୍ତ ରଥ ତିଆରିରେ । ସେମାନଙ୍କ ମଧ୍ୟରୁ ରଥ କାରିଗର ହେଉଛନ୍ତି ତପନ । ଆଉ ସେ ହିଁ ପିଲାଙ୍କ ପାଖରେ ରଥଯାତ୍ରାର ପରମ୍ପରାକୁ ପରିଚିତ କରିଛି । ଯାହାଦ୍ୱାରା ମନ୍ଦାରମଣିରେ ପିଲାଙ୍କ ରଥ ସମାଗମ ଦେଖିବାକୁ ମିଳେ ।
ତପନ ହେଉଛି ନବମ ଶ୍ରେଣୀର ଛାତ୍ର । ସେ ପୁରୀ କେବେ ଆସିବା ସୁଯୋଗ ପାଇନି । ଚତୁର୍ଥ ଶ୍ରେଣୀରେ ପଢ଼ିବା ବେଳେ ବାପାଙ୍କ ସହିତ ରଥଯାତ୍ରା ଦେଖିବାକୁ ଦିଘା ଯାଇଥିଲା । ସେଠାରେ ଜଗନ୍ନାଥଙ୍କ ରଥଯାତ୍ରା ତାକୁ ବିମୁହିତ କରିଥିଲା । ଅତ୍ୟନ୍ତ ଉତ୍ସୁକତାର ସହିତ ସେଠାରୁ ଫେରି ବିଭିନ୍ନ ଡବା ଖୋଳ ଓ ପେଟି ଖୋଳ ଆଣି ସେଥିରେ ରଥ ତିଆରି କରିଥିଲା । ଆଉ ସେଥିରେ ଜଗନ୍ନାଥଙ୍କ ଫଟୋକୁ ରଖିଥିଲା । ତା’ପର ବର୍ଷ ଠାରୁ ଆରମ୍ଭ କଲା କାଠ ତିଆରି ରଥ ଆଉ ରଖିଲା ଜଗନ୍ନାଥଙ୍କ ମୂର୍ତ୍ତି । ଛୋଟ ପିଲାଙ୍କ ଖେଳରେ ଜଗନ୍ନାଥଙ୍କ ଭକ୍ତି ଭରା ଆବେଗ ଧିରେ ଧିରେ ମନ୍ଦାରମଣିର ଚାରିଆଡେ ବ୍ୟାପିଗଲା । ଉତ୍ସବରେ ସାମିଲ୍ ହେଲେ ତା’ର ସମସ୍ତ ସହପାଠୀ । ପରବର୍ତ୍ତୀ ସମୟରେ ସହପାଠୀମାନେ ନିଜେ ରଥ ନିର୍ମାଣ କଲେ ଉତ୍ସବ ପାଳିଲେ । ଏଭଳି ପର୍ଯ୍ୟାୟକ୍ରମେ ଅନ୍ୟ ପିଲାମାନେ ମଧ୍ୟ ରଥ ଗଢ଼ିବା ଆରମ୍ଭ କଲେ ।
ଖରାଛୁଟି ଆସିଲେ କାଠ-ବାଉଁଶ ଏକାଠି କରି ଲାଗିପଡ଼ନ୍ତି ରଥ ତିଆରିରେ । ସ୍କୁଲ ଖୋଲିବା ପୂର୍ବରୁ ରଥ କାମ ପ୍ରାୟ ଶେଷ ହୋଇଯାଇଥାଏ । ଖାଲି ବାକିଥାଏ ରଙ୍ଗ ବେରଙ୍ଗ କପଡା ଓ କାଗଜରେ ରଥକୁ ସଜେଇବା । ଆଉ ରଥଯାତ୍ରା ଆସିଲେ ରାସ୍ତା ଉପରକୁ ଆସେ ରଥ । କାହାର ମୂର୍ତ୍ତି ତ କିଏ ତିନି ଠାକୁରଙ୍କ ଫଟୋ ରଥରେ ରଖି ରାସ୍ତାରେ ଗଡାଉଥାନ୍ତ । ଅପରାହ୍ଣରୁ ସଂଜ ଯାଏଁ ଚାଲେ ରଥ ଟଣା । କିଏ କେମିତି ରଂଗ ଓ ଢ଼ଂଗରେ ରଥ ସଜାଡିଛି ତା’କୁ ନେଇ ଚାଲେ ଚର୍ଚ୍ଚା ।