ଭୁବନେଶ୍ୱର: ନବୀନଙ୍କ ପାଦତଳୁ ମାଟି ଖସି ଖସି ଯାଉଛି । ଯେଉଁ ନବୀନଙ୍କୁ ପ୍ରଶ୍ନ କରିବାକୁ ଦଳରେ କାହାର ଜୁ ନ ଥିଲା, ଏବେ ସେମାନେ ପ୍ରଶ୍ନବାଣରେ ଛନ୍ଦି ପକାଉଛନ୍ତି । ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ଦଳର ବରିଷ୍ଠ ନେତାମାନେ ସମାଲୋଚନା କରିବାକୁ ପଛାଉନାହାନ୍ତି । ସବୁଠାରୁ ବିଡ଼ମ୍ବନା, ଅଖଣ୍ଡ କ୍ଷମତାଧାରୀ ନବୀନ ତାହାକୁ ନିରବରେ ସହିବା ରାଜନୈତିକ ମହଲକୁ ଆନ୍ଦୋଳିତ କଲାଣି ।
ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡ଼ିର ସମର୍ଥନକୁ ତଥାଗତ ଶତପଥୀଙ୍କ ଖବରକାଗଜ ସମ୍ପାଦକୀୟରେ ପ୍ରଥମେ ସମାଲୋଚନା କରାଯାଇଥିଲା । ଆଜି ଭର୍ତ୍ତୃହରି ମହତାବ ତାଙ୍କ ଖବରକାଗଜର ଧ୍ୱନି ପ୍ରତିଧ୍ୱନି ସ୍ତମ୍ଭରେ ବିଜେଡ଼ିର ନିଷ୍ପତ୍ତିକୁ ଶାଣିତ କଟାକ୍ଷ କରିଛନ୍ତି । ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ଅବଲମ୍ବନ କଥା କହୁଥିବା ତାଙ୍କ ଦଳ କିଭଳି ରାମନାଥଙ୍କୁ ସମର୍ଥନ କଲା ତାହା ସେ ଜାଣିବାକୁ ଚାହିଁଛନ୍ତି । ନବୀନଙ୍କ ନିଷ୍ପତ୍ତିକୁ ପ୍ରଶ୍ନ କରିବାର ଅଧିକାର କାହାରି ନ ଥିବା ପରୋକ୍ଷରେ ଜଣାଇ କ୍ଷୋଭ ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡ଼ିର ସମର୍ଥନ ନେଇ ଭର୍ତ୍ତୃହରି ତାଙ୍କ ସ୍ତମ୍ଭରେ ଅସନ୍ତୋଷ ଜାହିର କରିଛନ୍ତି । ଠାରରେ ଠାରରେ ଅନେକ କଥା କହିବାକୁ ଚେଷ୍ଟା କରିଛନ୍ତି ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ।
ତଥାଗତଙ୍କ ପରେ ପରେ ଭର୍ତ୍ତୃହରିଙ୍କ ଏହି କଟାକ୍ଷ ବିଜେଡ଼ି ରାଜନୀତିକୁ ଗୋଳିଆ କରିଛି । ନବୀନଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବାକୁ ଦଳର ଦୁଇ ବରିଷ୍ଠ ସାଂସଦ ସାହାସ କରିବା ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କଲାଣି । କେବଳ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ନୁହେଁ, ତଥାଗତ ଓ ଭର୍ତ୍ତୃହରି ଆଜିକାଲି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜ ଖବରକାଗଜ ମାଧ୍ୟମରେ ବିଜେଡ଼ି ନୀତି ଓ ନିଷ୍ପତ୍ତି ବିରୋଧରେ ନିଜର ମତାମତ ରଖୁଛନ୍ତି । ବିଗତ ୧୫ ବର୍ଷ ଧରି ନବୀନଙ୍କ ନିଷ୍ପତ୍ତିକୁ ସେମାନେ ବିରୋଧ କି ଚାଲେଂଜ କରିବାର ସାହାସ ରଖି ନ ଥିଲେ । ମାତ୍ର ପଞ୍ଚାୟତ ନିର୍ବାଚନ ପରେ ଏହି ସମୀକରଣ ବଦଳି ଯାଇଛି । ନବୀନଙ୍କ କାର୍ଯ୍ୟଧାରାକୁ ଦଳୀୟ ସାଂସଦ ନାକ ଟେକୁଛନ୍ତି । ଖାସ୍ କରି ଭର୍ତ୍ତୃହରି ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଧରି ନବୀନଙ୍କୁ ଘେରି ଚାଲିଛନ୍ତି ।
ଖାଲି ତଥାଗତ କି ଭର୍ତ୍ତୃହରି ନୁହଁନ୍ତି, ଦଳର ଅନ୍ୟତମ ହେଭିୱେଟ୍ ସାଂସଦ ବୈଜୟନ୍ତ ପଣ୍ଡା ନବୀନଙ୍କୁ ସିଧାସଳଖ ନ ହେଲେ ବି ଚାଲେଂଜ ଦେଉଛନ୍ତି । ଅବଶ୍ୟ ନବୀନ ତାଙ୍କୁ କେବେଠାରୁ ପର କରିସାରିଥିବାରୁ ଦଳ ଉପରେ ତାହାର ସେତେଟା ପ୍ରଭାବ ପଡୁନି । ହେଲେ ତଥାଗତ ଏବଂ ଭର୍ତ୍ତୃହରି ସେଇ ବୈଜୟନ୍ତଙ୍କ ଲାଇନ୍ ରେ ଚାଲିବା ନବୀନଙ୍କ ପାଇଁ ଟେନସନ୍ ଆଣିଛି । ପରିସ୍ଥିତି ଏଭଳି ହୋଇଛି ଯେ ନବୀନ ସେମାନଙ୍କୁ ଆକଟ କିମ୍ବା କାର୍ଯ୍ୟାନୁଷ୍ଠାନ କଥା ଚିନ୍ତା କରିପାରୁନାହାନ୍ତି । ଆକଟ କରି ହୁଏତ ନବୀନ ସମ୍ଭାଳିବା ଅବସ୍ଥାରେ ନାହାନ୍ତି । କଲେ ବିପଦ ବୋଲି ନବୀନ ବୁଝିସାରିଥିବା ତାଙ୍କ କାର୍ଯ୍ୟକଳାପ କହୁଛି । ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ଦଳର ବରିଷ୍ଠ ସାଂସଦଙ୍କ ଖୁଲମ ଖୋଲା ସମାଲୋଚନା ବିଜେଡ଼ିକୁ କେଉଁ ସ୍ତରକୁ ନେବ ତାହା ରାଜନୈତିକ ମହଲରେ ଉତ୍କଣ୍ଠା ସୃଷ୍ଟି କରିଛି ।