ଭୁୁବନେଶ୍ୱର: ଶ୍ରୀମନ୍ଦିର ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଧରଣର ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ର ସ୍ଥାନାନ୍ତରିତ ବାସଗୃହ, ଦୋକାନ ଘର ଓ ଲଜ୍ ମାଲିକମାନଙ୍କ ନିମନ୍ତେ ୨୦୧୩ରେ ଘୋଷିତ ଥଇଥାନ ନୀତି ସହିତ ଅତିରିକ୍ତ ଭାବରେ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଓ ସହାୟତା ପ୍ରଦାନ କରାଯିବ ।
ବାସଗୃହ : ପ୍ୟାକେଜ୍ ଅନୁଯାୟୀ, ବିସ୍ଥାପିତ ପରିବାରଗୁଡ଼ିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପାଇବେ । ତେବେ ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଜୁଯ୍ୟ ହେବ ନାହିଁ । ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ତଥା ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ ମଧ୍ୟ ୫୦ ହଜାର ଟଙ୍କା ତୁରନ୍ତ ଦିଆଯିବ ।
ପୁନର୍ବାସ ସହାୟତା: ବିସ୍ଥାପିତ ପରିବାରଙ୍କ ପୁର୍ନବାସ ଯୋଜନାରେ ତିନୋଟି ଇଚ୍ଛାଧୀନ ସହାୟତା ରଖାଯାଇଛି । ପ୍ରତି ବିସ୍ଥାପିତ ପରିବାର ସେଥିମଧ୍ୟରୁ ଗୋଟିଏ ବାଛିପାରିବେ । ଇଚ୍ଛାଧୀନ ସହାୟତାଗୁଡ଼ିକ ହେଲା
(୧) ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ । କିମ୍ବା
(୨) ମନ୍ଦିରର ୧.୫ କିମି ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଓ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର ନେଇପାରିବେ । କିମ୍ବା
(୩) ମନ୍ଦିରର ୨ କିମି ମଧ୍ୟରେ ୪୦x୨୫ ଫୁଟର ଏକ ଜାଗା ନେଇପାରିବେ ।
ଦୋକାନ ଘର ପାଇଁ ମଧ୍ୟ ୨ ପ୍ରକାର ସହାୟତା ଘୋଷଣା କରାଯାଇଛି । ତାହା ହେଲା
(୧) ୨୦୦ ବର୍ଗଫୁଟରୁ କମ୍, ୨୦୦ରୁ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗଫୁଟରୁ ଅଧିକ ବିଲ୍ଟ ଅପ୍ ଏରିଆରେ ଥିବା ଦୋକାନ ପାଇଁ ମାସିକ ଯଥାକ୍ରମେ ୫ ହଜାର, ୧୦ ହଜାର ଓ ୧୫ ହଜାର ଟଙ୍କା ଘରଭଡ଼ା ଦିଆଯିବ । କିମ୍ବା
(୨) ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ ।
କ୍ଷତିଗ୍ରସ୍ତମାନେ ସେଥିରୁ ଯେ କୌଣସି ଗୋଟିଏ ବାଛିପାରିବେ । ସୁରକ୍ଷା ଜୋନ୍ ରେ ଥିବା ପ୍ରତ୍ୟେକଟି ଦୋକାନ ଘର ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ।
ଲଜ୍: ୧୫୦୦ ବର୍ଗଫୁଟରୁ ଅଧିକ ଲଜ୍ ଗୁଡ଼ିକ ପାଇଁ କ୍ଷତିପୂରଣ ଓ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ୩ ହଜାର ବର୍ଗଫୁଟରୁ ଅଧିକ ଅଞ୍ଚଳରେ ଥିବା ଲଜ୍ ଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଏବଂ ୩ ହଜାର ବର୍ଗଫୁଟ୍ ରୁ କମ୍ ଅଞ୍ଚଳରେ ଥିବା ଲଜ୍ ଗୁଡ଼ିକ ପାଇଁ ୫ ଲକ୍ଷ ଟଙ୍କା ତୁରନ୍ତ ସହାୟତା ଦିଆଯିବ । ଏହାଛଡ଼ା ପ୍ରତି ଲଜ୍ କୁ ବର୍ଗଫୁଟ ପିଛା ୨୫ ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା ୧୮ ମାସ ପର୍ଯ୍ୟନ୍ତ ଦିଆଯିବ ।
ପୁନର୍ବାସ ସହାୟତା: ଲଜ୍ ମାଲିକମାନେ ବିଲ୍ଟ ଅପ୍ ଏରିଆର ପ୍ରତି ବର୍ଗଫୁଟ ପାଇଁ ୨ ହଜାର ଟଙ୍କା ଲେଖାଏଁ ଏକକାଳୀନ ସହାୟତା ନେଇପାରିବେ । କିମ୍ବା ବଡ଼ଦାଣ୍ଡର ଉଭୟ ପାଶ୍ୱର୍ର ୩୦୦ ମିଟର ମଧ୍ୟରେ ସେମାନେ ଚାହିଁଲେ ୫୦x୩୦, ୫୦x୪୦, ୫୦x୬୦ ବର୍ଗଫୁଟ ଜାଗା ଯୋଗାଇ ଦିଆଯିବ । ଏଥିରେ ଲଜ୍ ନିର୍ମାଣ ପାଇଁ ବର୍ଗଫୁଟ ପିଛା ୭୫୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ: ଅସ୍ଥାୟୀ କ୍ଷୁଦ୍ର ବ୍ୟବସାୟୀ ବା ଉଠା ଦୋକାନୀଙ୍କୁ ଏକକାଳୀନ ସହାୟତା ୩୦ ହଜାର ଟଙ୍କା ଦିଆଯିବ । ସେମାନଙ୍କ ବ୍ୟବସାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଜାଗା ଯୋଗାଇ ଦେବେ ।
ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ଭିତରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନ୍ ରେ ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମଠ : ସୁରକ୍ଷିତ ଜୋନ୍ ମଧ୍ୟରେ ଥିବା ମଠ ପାଇଁ ମଧ୍ୟ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ମାତ୍ର ତାହା ଜିଲ୍ଲାପାଳଙ୍କ ନିଷ୍ପତ୍ତି ଉପରେ ଛଡ଼ାଯାଇଛି । ଜିଲ୍ଲାପାଳ ସଂପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ । ତେବେ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ ମଠର ଗାଦି ଏବଂ ପ୍ରତିଷ୍ଠିତ ଦେବାଦେବୀ ପୀଠର ସଂରକ୍ଷଣ କରାଯିବ । ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ଥିବାରୁ ସେଗୁଡ଼ିକର ପୁନର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବା ପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ । ଏହି ମଠଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ସହିତ ସେମାନଙ୍କର ଆର୍ଥିକ ସୁରକ୍ଷା ପାଇଁ ମାର୍କେଟ୍ କମ୍ପ୍ଲେକ୍ସ ମାନଙ୍କରେ ଦୋକାନ ଘର ଯୋଗାଇ ଦିଆଯିବ ।
ଜଷ୍ଟିସ୍ ବି. ପି. ଦାସ କମିଶନଙ୍କ ସୁପାରିଶକୁ ଗ୍ରହଣ କରି ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ ମିଟର ପ୍ରସ୍ଥ ବିଶିଷ୍ଟ ଏକ ସୁରକ୍ଷା ଜୋନ୍ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ସୁରକ୍ଷିତ ଜୋନ୍ ମଧ୍ୟରେ ଘର, ଦୋକାନ ଓ ମଠଗୁଡ଼ିକର ସ୍ଥାନାନ୍ତରଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ପୁରୀର ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । ଶ୍ରୀମନ୍ଦିର ଆମର ଏକ ପ୍ରମୁଖ ଐତିହ୍ୟସ୍ଥଳ ହୋଇଥିବାରୁ ଏହାର ସୁରକ୍ଷାରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି ।