କଟକ: ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଭୟ ଆଜି ଅପରାହ୍ନରେ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଅନ୍ତରୀଣ ଡିଜି ସତ୍ୟଜିତ୍ ମହାନ୍ତିଙ୍କଠାରୁ ସେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ସମ୍ଭାଳିଛନ୍ତି । ବିଜୟ କୁମାର ଶର୍ମାଙ୍କୁ ରାତିଅଧିଆ ବିଦା କଲା ପରେ ରାଜ୍ୟ ସରକାର ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ପଦରେ ଥିବା ଅଭୟଙ୍କୁ ଡିଜି ପଦରେ ନିଯୁକ୍ତି ଦେଇଥିଲେ ।
ଡିଜିପି ଦାୟିତ୍ୱ ଗ୍ରହଣ କଲା ପରେ ଅଭୟ ୬ ସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ । ୫-ଟି କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯିବ । ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର କରାଯିବ । ମହିଳା ବିରୋଧୀ ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ । ନକ୍ସଲ ଓ ସଂଗଠିତ ଅପରାଧିଗୁଡ଼ିକର ଦୃଢ଼ ମୁକାବିଲା କରାଯିବ । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ଅଭୟ ଏହି ସୂଚନା ଦେଇଛନ୍ତି ।