ଭୁବନେଶ୍ୱର() ଆଇନ ମନ୍ତ୍ରୀ ଅରୁଣ ସାହୁ ଏବଂ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କର ଯତିପାତ ଏବେ ଜମିଛି । ଗୋଟେ ସମୟରେ ଦୁହିଁଙ୍କ ଭିତରେ ନାକ ଟେକାଟେକି ଚାଲିଥିଲା । ହେଲେ ଏବେ ସେଇ ପରିସ୍ଥିତି ନାହିଁ । ଭାରି ହସଖୁସିରେ ସମୟ କାଟୁଛନ୍ତି ଦୁଇ ଯୁବମନ୍ତ୍ରୀ । ପଞ୍ଚାୟତ ନିର୍ବାଚନରେ ଦଳର କାଟତି କମିଥିଲେ ମଧ୍ୟ ଜମାରୁ ଟେନସନ୍ ନେଇନାହାନ୍ତି ଦୁହେଁ । ଦୀର୍ଘ ସମୟ ଧରି କଳାହାଣ୍ଡିର ପର୍ଯ୍ୟବେକ୍ଷକ ଥିଲେ ଅରୁଣ । ସଞ୍ଜୟ ଥିଲେ ମୟୁରଭଞ୍ଜର ପର୍ଯ୍ୟବେକ୍ଷକ । କିନ୍ତୁ ଦଳକୁ ଏମିତି ସଜାଡ଼ି ଆସିଥିଲେ ଯେ ପଞ୍ଚାୟତ ପବନରେ ଫୁସ୍ କିନା ଭୁଷୁଡ଼ିଗଲା । ଦୁଇଟି ଯାକ ଜିଲ୍ଲାରେ ଦଳ ସଫା ହୋଇଗଲା । ସେଥିପାଇଁ ନିଜକୁ ଦୋଷୀ ଭାବିବେ କ’ଣ ଓଲଟି କଉତୁକିଆ ସିଂହ ପରି ହଉଛନ୍ତି । ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁରେ ଉଠିଥିବା ସେକ୍ସ କେଳେଙ୍କାରିକୁ ଘଣ୍ଟ ଘୋଡାଇବାରେ ମିଳିଥିବା ସଫଳତା ବି ସେମାନଙ୍କୁ ଖୁସି କରିଛି । ଖାଲି ନବୀନଙ୍କୁ ସଫା ସଫା ବୁଝେଇ ସଫଳ ହୋଇନାହାନ୍ତି ବରଂ ମିଡ଼ିଆକୁ ମ୍ୟାନେଜ୍ କରି ଖବରକୁ ଚାପିଦେବାରେ ନିଜର ସାମର୍ଥତା ଦୁହିଁଙ୍କୁ ଖୁସିରେ ଗଦ୍ ଗଦ୍ କରିଛି । ଏସବୁ ଉଦ୍ଧ୍ୱର୍ରେ ଧର୍ମେନ୍ଦ୍ରଙ୍କ ମନ ଜିଣିବାରେ ସଫଳତା ଦୁହିଁଙ୍କୁ ଆକାଶ ଛୁଆଁଇଛି । ସେଇ ଖୁସିରେ ଚଳିତବର୍ଷ ରଙ୍ଗର ପର୍ବ ହୋଲିକୁ ଦୁଇ ବନ୍ଧୁ ଜବରଦସ୍ତ ରଙ୍ଗୀନ କରିଥିଲେ । ଅବିର ବୋଳା ମୁହଁରେ ଦୁଇଚକିଆ ଗାଡ଼ିକୁ ଗାଡ଼ି ଯୋଡି ଦୁହେଁ ରାଜଧାନୀ ରାସ୍ତାରେ ମସଗୁଲ୍ ହୋଇଯାଇଥିଲେ । ସେମାନଙ୍କ ଏହି ମନଫୁଲାଣିଆ ହୋଲି ପଇଁତରା ବିଜେଡ଼ି ମହଲରେ ଚର୍ଚ୍ଚାର ଖୋରାକି ହୋଇଛି । ଧର୍ମେନ୍ଦ୍ରଙ୍କ ପେଟ୍ରୋଲ୍ ଦୁହିଁଙ୍କୁ ମାତାଲ କରିଛି ବୋଲି ଦଳର କିଛି ବଗୁଲିଆ ଟୋକା କହୁଛନ୍ତି ।
ଧର୍ମେନ୍ଦ୍ରଙ୍କ ପେଟ୍ରୋଲ୍ କ’ଣ ? ଏହି ପ୍ରଶ୍ନର ସାଧାସିଧା ଜବାବ ଆମେ ଶୁଣିଥିଲୁ ବିଜେଡ଼ିର ଜଣେ ମୁଣ୍ଡିଆଳ ଯୁବନେତାଙ୍କଠାରୁ । ତାଙ୍କ ଭାଷାରେ ପାଜେରୋ ଜାଲରୁ ମୁକୁଳିବାର ବାଟ ସେଇ ଧର୍ମେନ୍ଦ୍ରଙ୍କ ପାଖରେ । ଦଳ ପଛେ ଚୁଲିକି ଯାଉ ହେଲେ ଆପେ ବଞ୍ଚିଲେ ବାପର ନାଁ ଘୋଷା ଧରିଛନ୍ତି ସଞ୍ଜୟ । ଅରୁଣ ବି ଯୋଡି ହୋଇଛନ୍ତି ଚିଟଫଣ୍ଡରେ । ଆଗକୁ ବିପଦ ଅଛି ଜାଣି ଶରଣଂ ଗଚ୍ଛାମି ନୀତି ଆପଣେଇଛନ୍ତି । ଦିଲ୍ଲୀରେ ଏକ ହୋଟେଲରେ ଧର୍ମେନ୍ଦ୍ରଙ୍କ ସହ ଡିଲ୍ କରିଥିବା ବିଜେଡ଼ି ନେତାଙ୍କ ଭିତରେ କେଉଁ ମନ୍ତ୍ରୀ ଅଛନ୍ତି ତାହା କ’ଣ ବୁଝିପାରୁନାହାନ୍ତି କି ? ଦାମବାବୁଙ୍କ ସହ ଯୋଗାଯୋଗ କରିବାକୁ ସଂପୃକ୍ତ ଯୁବ ବିଜେଡ଼ି ନେତା ପରାମର୍ଶ ଦେଇଛନ୍ତି । ଅନେକ ଗହନ କଥା ସେଠାରୁ ଜାଣିପାରିବେ ବୋଲି ସେ କହିଛନ୍ତି ।