ଭୁୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟିକ, ସମାଲୋଚକ, ପ୍ରାବନ୍ଧିକ ତଥା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କର ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଯକୃତ କର୍କଟ ରୋଗରେ ପୀଡ଼ିତ ଥିବା ପ୍ରଫେସର ଶତପଥୀଙ୍କର ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ତଳେ ଅତ୍ୟନ୍ତ ଖରାପ ହୋଇପଡ଼ିଥିଲା । ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅନ୍ତର୍ଗତ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା କଲେଜରୁ ଓଡ଼ିଆରେ ଏମଏ ପାସ୍ କଲା ପରେ ସେହିଠାରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୭୬ ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ । ସତ୍ୟବାଦୀ ଚେୟାରରେ ପ୍ରଫେସର ଥାଇ ୧୯୯୭ ମସିହାରେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।
ଉଚ୍ଚକୋଟୀର ଅଧ୍ୟାପନା ପାଇଁ ବେଶ୍ ଜଣାଶୁଣା ପ୍ରଫେସର ଶତପଥୀଙ୍କର ସୃଜନଶୀଳତା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆଦି ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ଶାରଳା ପୁରସ୍କାର ତାଙ୍କ ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।
ସ୍ୱର୍ଗତ ଶତପଥୀଙ୍କର ପତ୍ନୀ ହେଉଛନ୍ତି ଅବସରପ୍ରାପ୍ତ ପ୍ରଫେସର ତଥା ବିଶିଷ୍ଟ କବି ପ୍ରତିଭା ଶତପଥୀ । ତାଙ୍କର ଚାରି ଝିଅ ପାରମିତା, ମଧୁବ୍ରତା, ଅସିତା ଏବଂ ଇପସିତା ଉଚ୍ଚ ପ୍ରତିଷ୍ଠିତ ।
ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ଆଉ ଜଣେ ବାଗ୍ନୀଙ୍କୁ ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି ।