ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଲା । ସୂର୍ଯ୍ୟ ଉଇଁବା ପୂର୍ବରୁ ତିହାର ଜେଲ୍ ର ଫାଶୀ ଖୁଣ୍ଟରେ ଝୁଲିଛନ୍ତି ଯୌନରାକ୍ଷସ ମୁକେଶ, ପବନ, ବିନୟ ଏବଂ ଅକ୍ଷୟ । ପ୍ରାଣରକ୍ଷା ପାଇଁ ଶେଷ ମୁହୁର୍ତ୍ତ ଯାଏଁ ସେମାନେ ଚାଲ୍ ଲଗାଇଥିଲେ ବି ତାହା ଆଉ ସଫଳ ହେଲା ନାହିଁ । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଏକାଥରେ ୪ ଜଣ ଅପରାଧୀ ଫାଶୀଖୁଣ୍ଟରେ ଝୁଲିଛନ୍ତି । ରେପିଷ୍ଟ୍ ମାନେ ଫାଶୀ ଖୁଣ୍ଟରେ ଝୁଲିବା ପରେ ଦେଶବ୍ୟାପୀ ଲୋକମାନେ ଖୁସି ସେଲିବ୍ରେସନ୍ କରିଛନ୍ତି । ନିର୍ଭୟାଙ୍କ ମାଆ ଆଶା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଳମ୍ବରେ ହେଲେ ବି ମୋ ଝିଅକୁ ନ୍ୟାୟ ମିଳିଲା । ଅନ୍ୟମାନଙ୍କୁ ଏହା ଉଚିତ ଶିକ୍ଷା ।
ଆଇନ ଆଖିରେ ଦୋଷୀ ସାବ୍ୟସ୍ତ ହେଲା ପରେ ବି ଦଣ୍ଡରୁ ବର୍ତ୍ତିବା ପାଇଁ ଏହି ଅପରାଧୀମାନେ ତାମସା ଚଳାଇଥିଲେ । ଆଇନର ଗଳାବାଟରେ ସମୟ ଗଡ଼ାଇ ଖସିଯିବାକୁ ଚାଲ୍ ଖେଳୁଥିଲେ । ପୃଥକ୍ ଭାବେ ରିଭ୍ୟୁ, ମର୍ସି, କ୍ୟୁରେଟିଭ ପିଟିସନ୍ କୁ ସେଥିପାଇଁ ହତିଆର କରିଥିଲେ । ଶେଷରେ ସ୍ଥିରୀକୃତ ମାର୍ଚ୍ଚ ୨୦ ଫାଶୀଦିନକୁ ଟାଳିବା ପାଇଁ ଦିଲ୍ଲୀର ପତିଆଲା କୋର୍ଟ, ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ରାତି ତମାମ ଲଢ଼େଇ କରିଥିଲେ । ରାତି ୩.୩୦ ମିନିଟ୍ ରେ ସୁପ୍ରିମ୍ କୋର୍ଟ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଯାଇ ଫାଶୀ ସୁନିଶ୍ଚିତ ହୋଇଥିଲା ।
ଭୋର୍ ଠିକ୍ ୫.୩୦ ମିନିଟ୍ ରେ ତିହାର ଜେଲ୍ ପରିସରରେ ଏକାଥରକେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା ମୁକେଶ, ପବନ, ବିନୟ ଏବଂ ଅକ୍ଷୟକୁ । ଏହି କଳଙ୍କିତ ଓ ଜଘନ୍ୟ ଚରିତ୍ରଙ୍କ ବିଲୋପ ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶବାସୀ ।
୨୦୧୨ ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଦିଲ୍ଲୀର ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂ(ନିର୍ଭୟା)ଙ୍କୁ ଏକ ଚଳନ୍ତା ବସ୍ ରେ ଏମାନେ ଗଣଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ପରେ ସେମାନେ ତାଙ୍କୁ କିଲିବିଲି କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ଡାକ୍ତରଖାନାରେ ୧୨ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଆଖି ବୁଜି ଦେଇଥିଲେ ନିର୍ଭୟା । ଏହି ବର୍ବରକାଣ୍ଡ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଅନ୍ତର୍ଜାତୀୟସ୍ତରରେ ଭାରତର ଛବି ମଳିନ ପଡ଼ିଯାଇଥିଲା ।