ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ୬୮.୭୯%, ବାଣିଜ୍ୟରେ ୭୪.୯୮% ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୨.୬୧% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳା ଓ ଧନ୍ଦାମୂଳକ ଶିକ୍ଷାରେ ଗତବର୍ଷ ତୁଳନାରେ ପରୀକ୍ଷା ଫଳ ଖରାପ ହୋଇଥିବା ବେଳେ ବାଣିଜ୍ୟ ପରୀକ୍ଷା ଫଳ ଗତବର୍ଷ ତୁଳନାରେ ଭଲ ହୋଇଛି । ଗତବର୍ଷ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ଥିଲା ୭୦.୧୭%, ୭୧.୪୩% ଏବଂ ୬୮.୨୨% । ଏବର୍ଷ କଳାରେ ଛାତ୍ରଙ୍କ ତୁଳନାରେ ବାଜି ମାରିଛନ୍ତି ଛାତ୍ରୀ ।
ଯୁକ୍ତ ଦୁଇ କଳାରେ ଛାତ୍ରଙ୍କ ପାସ୍ ହାର ୬୦.୮୮% ଥିଲା ବେଳେ ଛାତ୍ରୀଙ୍କ ପାସ୍ ହାର ଅଛି ୭୫.୩୯% । ଅର୍ଥାତ୍ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୧୫% ଅଧିକ । ପୁରୀ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୯.୮୭% ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୭.୫୮% ପାସ୍ ହାର ରହିଛି ।
ବାଣିଜ୍ୟରେ ସମୁଦାୟ ୨୬,୯୮୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୩,୦୮୯ ଛାତ୍ର ପାସ୍ କରିଥିବା ବେଳେ ୭,୧୨୭ ଛାତ୍ରୀ ପାସ୍ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୯୫.୫୯% ଏବଂ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୪୫.୦୭% ରେଜଲ୍ଟ ହୋଇଛି ।
ଆଜି ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସଠାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ରେଜଲ୍ଟ ପୁସ୍ତିକା ଫଳ ଉନ୍ମୋଚନ କରିଛନ୍ତି । ରି-ଚେକିଂ ପାଇଁ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ଜୁନ୍ ୨୫ ତାରିଖ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଜୁଲାଇ ଦ୍ୱିତୀୟ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ହେବ ।