ଭୁବନେଶ୍ୱର: ରୋଗ କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଦୁର୍ଘଟଣା କ’ଣ ବିପିଏଲ୍ କାର୍ଡ ଦେଖି କି ଆସେ? ଯାହାର ବିପିଏଲ୍ କାର୍ଡ ନାହିଁ, ସେ କ’ଣ କରିବ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ନାଁ ନ ନେଇ ବିଜେପିକୁ ଏମିତି ଭାଷାରେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ୍ କାର୍ଡ ହୋଲଡର ମାନେ ସୁବିଧା ପାଇବେ । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶାର ସବୁ ନାଗରିକ ସୁବିଧା ପାଇବେ । ଓଡ଼ିଶାର ଲୋକମାନେ ରାଜ୍ୟ ବାହାରେ ମଧ୍ୟ ଚିକିତ୍ସା ସୁବିଧା ପାଇବେ । ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ମଧ୍ୟ ଏ ସୁବିଧା ପାଇବେ ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ପରିବର୍ତ୍ତେ ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ପରେ ବିଜେପି କଟୁ ସମାଲୋଚନା କରୁଥିବାରୁ ମୁଖ୍ୟମନ୍ତ୍ରୀ ଆଜି ବିଜେଡ଼ି ପଦଯାତ୍ରା ଅବସରରେ ଏଭଳି ଶାଣିତ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆମର ଏକ ଐତିହାସିକ ପଦକ୍ଷେପ । ବିପିଏଲ,ଏପିଏଲ ସମସ୍ତେ ଏ ସୁବିଧା ପାଇବେ । ଆୟୁଷ୍ମାନ ଯୋଜନାଠାରୁ ଆମର ଯୋଜନା ବହୁତ ଭଲ ।’
ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଣ୍ଡପସାହିଠାରେ ବିଜୁ ଜନତା ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ- ‘ଆମ ସରକାର କଥା ନୁହେଁ, କାମରେ ବିଶ୍ୱାସ କରୁ । ମୁଁ ଆପଣମାନଙ୍କୁ ୪ଟି କଥା କହିଥିଲି । ତାହାହେଲା, ୧-ଖାଦ୍ୟ ସୁରକ୍ଷା,୨-ଘର, ୩-ସ୍ୱାସ୍ଥ୍ୟ ଓ ୪- ସାମାଜିକ ନିରାପତ୍ତା । ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ଏ ସବୁ ସୁବିଧାରୁ ବଞ୍ଚିତ ହେଲେ, ଏହା ମୋତେ ବାଧିଲା । ଆପଣଙ୍କ ଟଙ୍କାରେ ଓଡ଼ିଶାବାସୀଙ୍କ ଟଙ୍କାରେ ଆମେ ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନସନ୍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା ଆରମ୍ଭ କଲୁ ।’
ବସ୍ତିର ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।
ବିଜେଡ଼ିର ଏହି ଜନସମ୍ପର୍କ ପଦଯାତ୍ରା ସମାବେଶରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଭାଷଣ ଦେଇଥିଲେ ।