ଭୁବନେଶ୍ୱର: ବିଜେପିର ୪ ଜଣିଆ ମୁଖପାତ୍ର ଟିମ୍ ଓ ୨୨ ଜଣିଆ ପ୍ୟାନେଲିଷ୍ଟ ନାଁ ଘୋଷଣା ହେଲା ପରେ ଦଳରେ ବିଦ୍ରୋହ ଦେଖାଦେଇଛି । ଅଭିଜ୍ଞତା, ଜ୍ଞାନ, ଗାରିମାକୁ ସମ୍ମାନ ନ ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଖ୍ୟାତ ଚେଲାଚାମୁଣ୍ଡାଙ୍କୁ ତାଲିକାରେ ରଖାଯାଇଥିବାରୁ ଦଳର ଅନେକ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।
ନୂଆ ତାଲିକାରେ ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତିଙ୍କୁ ମୁଖପାତ୍ର ନିଯୁକ୍ତି ଦିଆଯାଇଛି । ଧର୍ମେନ୍ଦ୍ରଙ୍କ ପ୍ରତି ଏମାନଙ୍କର ପ୍ରବଳ ଭକ୍ତି ଓ ଆନୁଗତ୍ୟ ଜଣାଶୁଣା । ସଜ୍ଜନ ଓ ଗୋଲକଙ୍କ କଥା ଅଲଗା ହେଲେ ସୁଦୀପ୍ତ ଓ ଦିଲ୍ଲୀପଙ୍କ ନିଯୁକ୍ତିକୁ ଦଳର ଅନେକ ନେତା ବିରୋଧ କରିଛନ୍ତି । ମୁଖପାତ୍ର ଭାବେ ସୁଦୀପ୍ତଙ୍କର ସେଭଳି କୌଣସି କଳା ନ ଥିଲା ବେଳେ ଦିଲ୍ଲୀପଙ୍କ କ୍ଷେତ୍ରରେ ଚେକ୍ ଆଣ୍ଡ ବାଲାନ୍ସ ଥିଓରିକୁ ସେମାନେ ନାପସନ୍ଦ କରିଛନ୍ତି । ପ୍ୟାନେଲିଷ୍ଟ ତାଲିକାରେ ପଶିଥିବା କାଳିନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଟଙ୍କଧର ତ୍ରିପାଠୀ, ସୁରଥ ବିଶ୍ୱାଳ, ପିଙ୍କି ପ୍ରଧାନ ପ୍ରଭୃତିଙ୍କ ନାଁ ସ୍ୱାଭିମାନୀ ବିଜେପି ନେତାଙ୍କୁ ଆଘାତ ଦେଇଛି । କଂଗ୍ରେସରୁ କାଲି ଆସିଥିବା ରାଜେନ୍ଦ୍ର ପଣ୍ଡାଙ୍କୁ ପ୍ୟାନେଲିଷ୍ଟ ଭାବେ ଚୟନ କରାଯିବା ସେମାନଙ୍କୁ ଭୀଷଣ ଅପମାନିତ କରିଛି ।
ବିଜେପିରେ ଟାଲେଣ୍ଟେଡ୍ ନେତାଙ୍କ ଅଭାବ ନାହିଁ । ଦଳରେ ପୁରୁଖା, ଅଭିଜ୍ଞ ନେତା ଭର୍ତ୍ତି ହୋଇଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ମନମୋହନ ସାମଲ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ସମୀର ଦେ, ନୟନ କିଶୋର ମହାନ୍ତି, ମୁରଲୀ ଶର୍ମା, ସୁରମା ପାଢ଼ୀଙ୍କ ଭଳି ଅଭିଜ୍ଞ ନେତା ଅଛନ୍ତି । ବିଷ୍ଣୁ ଦାସ, ଯତୀନ ମହାନ୍ତିଙ୍କ ଭଳି ଯୁବପୀଢ଼ିର ଟାଲେଣ୍ଟ ଅଛନ୍ତି । ସୁବାସ ଚୌହାନଙ୍କ ଭଳି ଫାୟାର ବ୍ରାଣ୍ଡ ନେତା ବି ଅଛନ୍ତି । ହେଲେ ମୁଖପାତ୍ର କି ପ୍ୟାନେଲିଷ୍ଟ ଯୋଗ୍ୟତାର ମାପକାଠି ସେମାନଙ୍କୁ ଛୁଇଁପାରିନି । ଧର୍ମେନ୍ଦ୍ରଙ୍କ ମାମଲତକାରଙ୍କ ପାଖରେ ଗୋଡ଼ଭାଙ୍ଗି ସେମାନେ ଛିଡ଼ା ହୋଇପାରିନାହାନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।
ଦଳର ଜଣେ ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ମତରେ ଏଠିକା ବିଜେପିରେ ଗଣତନ୍ତ୍ର ନାହିଁ କି ଟାଲେଣ୍ଟର ସମ୍ମାନ ନାହିଁ । ଯିଏ ତୋଷାମଦି ଜାଣିଲା ସେ ବଡ଼ ନେତା ହେଲା । ପାର୍ଟିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ତିନି ନମ୍ବରରୁ ପ୍ରସ୍ତୁତ ହୋଇଛି । ଧର୍ମେନ୍ଦ୍ରଙ୍କ ଗୁମାସ୍ତା ଓ ଜଣେ ବଡ଼ ଚାଟୁକାର ତାଙ୍କ ଇଚ୍ଛାରେ ତାଲିକା ପ୍ରସ୍ତୁତ କରିଛନ୍ତି । ଏହାକୁ ବରଦାସ୍ତ କରାଯିବନି । ଆଗକୁ ଏହା ଭୟଙ୍କର ରୂପ ନେବ ବୋଲି ସେ ଚେତାଇ ଦେଇଛନ୍ତି ।