ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାବାସି ଦେବା କଥା । ତାଙ୍କ ପାଇଁ ବିଜେପୁର ବିଜେଡ଼ି କଳି ବି ତୁଟିଯାଇଛି । ଅସନ୍ତୁଷ୍ଟ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ଧର୍ମେନ୍ଦ୍ର ମନାଇ ଲାଇନ୍ କୁ ଆଣିବା ପରେ ତାଙ୍କ ଦେଖାଦେଖି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ମନାଇ ଦେଇଛନ୍ତି । ରୀତା ସାହୁଙ୍କ ବିଜେଡ଼ିରେ ଯୋଗଦାନ ଓ ପ୍ରାର୍ଥୀତ୍ୱକୁ ଦଳର ଆଶାୟୀ ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ବିରୋଧ କରୁଥିଲେ । ବିଦ୍ରୋହ ଡାକରା ଦେଇ ମେଳି କରୁଥିଲେ । ହେଲେ ଆଜି ନବୀନଙ୍କୁ ଭେଟିବା ପରେ ଲାଇନ୍ ଧରିଦେଇଛନ୍ତି । ରୀତା ସାହୁଙ୍କୁ ସମର୍ଥନ ଓଜାଡ଼ିଛନ୍ତି । ବିଜେପୁରରେ ବିଜେଡ଼ିର ଇଜ୍ଜତ ରଖିବୁ କହି ନବୀନଙ୍କ ସହ ଏକକାର ହୋଇଛନ୍ତି ।
ବିଜେପୁର ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଆଜି ଅପରାହ୍ନରେ ବିଜେଡ଼ି ଅଫିସ୍ ଠାରେ ତଥାକଥିତ ମାନଭଂଜନ ପର୍ବ ଅନୁଷ୍ଠିତ ହୋଇଥିଲା । ସୁପ୍ରିମୋଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେଠି ଦଳର ଗେହ୍ଲାପୁଅ ହୋଇଥିଲେ ପ୍ରଭାତ ଆଦିତ୍ୟ । ଶତାଧିକ ସମର୍ଥକଙ୍କ ସହ ବିଜେପୁରରୁ ତାଙ୍କୁ ଡକରା ହୋଇଥିଲା । ନବୀନଙ୍କ ଆଗରେ ସେ କିମ୍ବା ତାଙ୍କ ସମର୍ଥକ ମନର ଅସନ୍ତୋଷ ରଖିବା ଆଗରୁ ହିଁ ସନ୍ତୁଷ୍ଟ ହୋଇଯାଇଥିଲେ । ତାଙ୍କ କହିବା କଥା, ହାଇକମାଣ୍ଡ ଆମ ସହ ଆଲୋଚନା କରି ନ ଥିବାରୁ ଅଭିମାନ ଥିଲା । ନବୀନଙ୍କୁ ଦେଖିଲା ପରେ ରାଗ, ଅଭିମାନ ଦୂର ହୋଇଗଲା । ରୀତା ସାହୁଙ୍କୁ ଜିତାଇବା ପାଇଁ ଆମେ ସମସ୍ତେ ଫୁଲ୍ ଦମ୍ ଖଟାଇବୁ ବୋଲି ପ୍ରଭାତ ଗଣମାଧ୍ୟମକୁ କହିଛନ୍ତି । ବିଜେପୁର ବିଜେଡ଼ିରେ ଆଉ କୌଣସି ଅସନ୍ତୋଷ କି ବିଦ୍ରୋହ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ପାର୍ଟି ଅଫିସ ମିଟିଂ ପୂର୍ବରୁ ମଧ୍ୟାହ୍ନରେ ନବୀନ ନିବାସରେ ବିଜେପୁର ଏଜେଣ୍ଡା ନେଇ ଏକାଠି ହୋଇଥିଲେ ଦଳର ପ୍ରଭାବୀ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଣବ ପ୍ରକାଶ ଦାସ(ବବି) ପ୍ରଭୃତି । ଅସନ୍ତୁଷ୍ଟ ପ୍ରଭାତ ଆଦିତ୍ୟଙ୍କୁ ସୁପ୍ରିମୋଙ୍କ ସହ ଭେଟେଇବା ଏବଂ ଦଳୀୟ କନ୍ଦଳ ତୁଟାଇ ବିଜେପୁର ମିସନ୍ ଆଗକୁ ବଢ଼ାଇବା ପାଇଁ ହୋଇଥିଲା ଯୋଜନା । ନବୀନ ନିବାସ ଆଲୋଚନାରୁ ଫେରିଲା ପରେ ଦଳର ସବୁ ଯୋଜନା ଠିକଠାକ କାର୍ଯ୍ୟକାରୀ ହୋଇଛି । ବିଜେଡ଼ି ରାସ୍ତାକୁ ଆଉ କେହି ରୋକିପାରିବେ ନାହିଁ ବୋଲି ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦମ୍ଭ ଦେଖାଇଛନ୍ତି ।