ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ବିଜେଡ଼ି ନେତାଙ୍କ ପାଇଁ ସତର୍କ ଘଣ୍ଟି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସଂପୃକ୍ତ ନେତାମାନଙ୍କ ତଣ୍ଟି ମୋଡ଼ିକି ଟଙ୍କା ଆଦାୟ କରାଯିବ । ବିଜେପିର ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଆଜି ଏକ ଟିଭିରେ ଏହା ଘୋଷଣା କରିଛନ୍ତି । ଥରେ ନୁହେଁ ତିନି ତିନି ଥର ଏହା ଦମ୍ଭର ସହ କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟ ।
ତାଙ୍କର ମତ, ବିଜେଡ଼ି ସରକାର ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତଙ୍କୁ ଭୂଆଁ ବୁଲାଉଛନ୍ତି । ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ କରିଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଟଙ୍କାଟେ ବି ମିଳିନାହିଁ । ବିଜେପିର ମିଶନ୍ ୧୨୦ ପୂରଣ ହୋଇଗଲେ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଚଟାପଟ ମିଳିଯିବ । ଦାଗି ବିଜେଡ଼ି ନେତାଙ୍କ ସମ୍ପତ୍ତି ବାଡ଼ି ନିଲାମ କରାଯାଇ ଏହି ଟଙ୍କା ଆଦାୟ ହେବ । ହଁ, ହଁ.. ତଣ୍ଟି ମୋଡିକି ଟଙ୍କା ଆଦାୟ କରାଯିବ ।
ସିବିଆଇର ବିଶ୍ୱାସନୀୟତା ଉପରେ ଉଠୁଥିବା ପ୍ରଶ୍ନକୁ ଗୋଳେଇଥିଲେ ବିଜେପି ମୁଖପାତ୍ର । ସିବିଆଇ ସମ୍ପର୍କରେ ବହିପାଠକୁ ଉଦ୍ଧୃତ କରିଥିଲେ । ସିବିଆଇ ଉପରେ ମୋଦି ସରକାରଙ୍କ ଚାପ ନାହିଁ ବୋଲି କହିବାକୁ ଚେଷ୍ଟା କରିଥିଲେ । ତେବେ ଓଡ଼ିଶାର ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତର ଶିଥିଳତାକୁ କଷ୍ଟରେ ମାନିଥିଲେ । ନିର୍ବାଚନ ପୂର୍ବରୁ ହଠାତ ସିବିଆଇ ତତ୍ପର ହେବା ପ୍ରଶ୍ନର ଠୋସ୍ ଉତ୍ତର ଦେଇପାରି ନ ଥିଲେ ।
ଯଦି ସିବିଆଇ ଉପରେ ହସ୍ତକ୍ଷେପ ନାହିଁ, ତେବେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଜେଲ୍ ରେ ପୂରାଇବାକୁ କେନ୍ଦ୍ର ଓ ରାଜ୍ୟ ବିଜେପି ନେତାମାନେ କିଭଳି ଧମକୋଉଛନ୍ତି? କାହା ସାହାସରେ ଧମକୋଉଛନ୍ତି? ଏହି ପ୍ରଶ୍ନର ସିଧା ଜବାବ ଦେଇପାରି ନ ଥିଲେ ବିଜେପି ମୁଖପାତ୍ର । ଦଳର ନେତାମାନଙ୍କ ଧମକକୁ ଯଥାର୍ଥ ବୋଲି ଓଲଟି ଦର୍ଶାଇଥିଲେ ।
ବିତର୍କରେ ଅନ୍ୟତମ ଅତିଥି ଥିବା କଂଗ୍ରେସର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ପ୍ରତିପକ୍ଷ ବିଜେପି ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଆଚାର୍ଯ୍ୟଙ୍କ ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହୋଇଥିଲେ । ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇବା ପାଇଁ ଆଇନରେ ଯଥେଷ୍ଟ ବ୍ୟବସ୍ଥା ରହିଛି । କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରି ପାଉନାହାନ୍ତି ବୋଲି ସେ ଯୁକ୍ତି ଦର୍ଶାଇଥିଲେ । କାହାରିକୁ ତଣ୍ଟି ମୋଡ଼ି ଟଙ୍କା ଆଦାୟ କରିବା.. ଜଣେ ବରିଷ୍ଠ ଆଇନଜୀବୀଙ୍କ ମୁହଁରୁ ଏଭଳି କଥା ତାଙ୍କୁ କେମିତି ଖଟକା ଲାଗିଥିଲା । ଆଇନବହିରେ ଏଭଳି ପାଠ ନାହିଁ ବୋଲି ସେ ବୁଝାଇ ଦେଇଥିଲେ ।
ବିଜେପି ମୁଖପାତ୍ରଙ୍କ ଏଭଳି ମନ୍ତବ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।