ଭୁବନେଶ୍ୱର: ବସନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ସହ ସଂଘ ପରିବାରର ସମ୍ପର୍କ ଭଲ ନାହିଁ । ରାଜ୍ୟରେ ଦଳର ଦୁର୍ବଳ ସଂଗଠନ ପାଇଁ ବସନ୍ତ ପଣ୍ଡାଙ୍କ ନେତୃତ୍ୱକୁ ଦାୟୀ କରିଛି ଆରଏସଏସ୍ । ‘ତୁରନ୍ତ ତାଙ୍କୁ ବଦଳାଅ । ନଚେତ୍ ଆମେ ଆମ କଥା ବୁଝିବୁ ।’ ଏମିତି ତେଡ଼ା ଭାଷାରେ ଆରଏସଏସ ନେତାମାନେ ଜଣାଇ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କୁ । ଶାହା ବି ସେମାନଙ୍କ ଯୁକ୍ତିକୁ ଶୁଣିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଫେରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ଗତ ୧ ତାରିଖରେ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତର ଶେଷ ପର୍ଯ୍ୟାୟରେ ସେ ସଂଘ ପରିବାର ନେତାଙ୍କ ସହ ଆଲୋଚନା କରିଥିଲେ । ମଞ୍ଚେଶ୍ୱରସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଶାହା ପହଞ୍ଚିଥିଲେ ରାତି ପ୍ରାୟ ଆଠଟାରେ । ସାଙ୍ଗରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂଘ ପରିବାରର କର୍ମକର୍ତ୍ତାମାନେ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ସମ୍ପର୍କରେ ଶାହାଙ୍କୁ ଅବଗତ କରାଇଥିଲେ । ଏଠି ବିଜେପି ଠିକଠାକ୍ ଚାଲିନାହିଁ । ବିଜେପୁର ଉପନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବି ସଂଗଠନରେ ସୁଧାର ଆସିନାହିଁ । ମିସନ୍ ୧୨୦ କେବଳ ତୁଣ୍ଡରେ ରହିଯାଇଛି । ଦଳର ଏଭଳି ସ୍ଥିତି ପାଇଁ ସେମାନେ ପରୋକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇଙ୍ଗିତ କରିଥିଲେ । ଆଉ ସିଧାସଳଖ ଟାର୍ଗେଟ୍ କରିଥିଲେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ । ବସନ୍ତ ପଣ୍ଡାଙ୍କୁ ପରିବର୍ତ୍ତନ କରା ନ ଗଲେ ଓଡ଼ିଶାରେ ମିସନ୍ ୧୨୦ ଦିବାସ୍ୱପ୍ନ ହୋଇଯିବ ବୋଲି ସେମାନେ କୁଆଡ଼େ ଜଣାଇ ଦେଇଥିଲେ ।
ସଂଘ ପରିବାର ସହ ନିବିଡ଼ ସମ୍ପର୍କରେ ଥିବା ଜଣେ ବରିଷ୍ଠ ବିଜେପି ନେତାଙ୍କ ସୂଚନା ଅନୁଯାୟୀ, ଦଳର ସାଂଗଠନିକ ସମ୍ପାଦକ ଦାୟିତ୍ୱ ନେଇଥିବା ମାନସ ମହାନ୍ତିଙ୍କୁ ଧର୍ମେନ୍ଦ୍ର ପ୍ରଧାନ-ବସନ୍ତ ପଣ୍ଡା ଗୋଷ୍ଠୀର ସମର୍ଥନ ଓ ସହଯୋଗ ମିଳୁନାହିଁ । ଜଣେ ଦୃଢ଼ ସଂଗଠକ ଭାବେ ପରିଚିତ ମାନସ ମହାନ୍ତି ସଂଘ ପରିବାରର କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା ବେଳେ ବିଜେପି ସଂଗଠନର ସମନ୍ୱୟ ନାହିଁ । ବିଜେପି ସଭାପତି ରବର ଷ୍ଟାମ୍ପ୍ ହୋଇ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଆଡୁ ଯାହା ଇସାରା ଆସୁଛି ତାକୁ କାର୍ଯ୍ୟକାରୀ କରିବା ଛଡ଼ା ତାଙ୍କର ନିଜସ୍ୱ ଏଜେଣ୍ଡା ନାହିଁ । ସାମଗ୍ରିକ ଭାବେ ଦଳକୁ ଏହା ସାଂଘାତିକ କ୍ଷତି ପହଞ୍ଚାଉଛି । ଅମିତ୍ ଶାହାଙ୍କ ସହ ଆଲୋଚନା ବେଳେ ସଂଘ ପରିବାର ପକ୍ଷରୁ ଏକଥା ଜଣାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ସଭାପତି ପରିବର୍ତ୍ତନ ନେଇ ସଂଘ ପରିବାରର କର୍ମକର୍ତ୍ତାମାନେ ଅମିତ୍ ଶାହାଙ୍କୁ ମାସେ ଡେଡଲାଇନ ଦେଇଛନ୍ତି । ଯଦି ସଭାପତି ନ ବଦଳନ୍ତି ତେବେ ସଂଘ ପରିବାର ନିଜ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଚେତାବନୀ ଦିଆଯାଇଛି । ଶାହା ଏହାକୁ ଗମ୍ଭୀରତାର ସହ ଶୁଣିବା ପରେ ତାହାର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଜେପି ରାଜ୍ୟ ନେତୃତ୍ୱ ବିରୋଧରେ ସଂଘ ପରିବାରର ଏଭଳି ବିଷୋଦଗାର ସେଠାରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଡୁଆରେ ପକାଇଥିଲା ।
ସଂଘ ପରିବାର ସହ ଅମିତ୍ ଶାହାଙ୍କ ଏହି ରୁଦ୍ଧଦ୍ୱାର ବୈଠକ ଦଳୀୟ ଫୋରମ୍ ରେ ଚର୍ଚ୍ଚାର ବିଷୟ ହୋଇଛି । ନିର୍ବାଚନ ଆଉ କିଛି ମାସ ବାକିଥିବା ବେଳେ ସଂଗଠନରେ ଏଭଳି ସ୍ଥିତିକୁ ଦଳର ଅନେକ ନେତା ସହଜରେ ହଜମ କରିନାହାନ୍ତି ।
This is the real fact in grass lable news. Change is reqired for our state.