ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପାଣ୍ଠି ଓ ଆକାଉଣ୍ଟ ଅନିୟମିତତା ଅଭିଯୋଗ ଉପରେ ବିଜେପି ଓ ବିଜେଡ଼ି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । କେହି କାହାରି ଅଭିଯୋଗର ଜବାବ ରଖିବାକୁ ଫୁରସତ୍ ଦଉନାହାନ୍ତି । ଦଳର ତୁଣ୍ଡ ଭାବେ ଗୋଟେ ପଟେ ବିଜେପିର ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ସଜ୍ଜନ ଶର୍ମା ଲଢ଼ୁଥିବା ବେଳେ ଆରପଟେ ଲଢ଼ୁଛନ୍ତି ବିଜେଡ଼ି ତୁଣ୍ଡ ପ୍ରତାପ ଦେବ ଓ ସାଂସଦ ପିନାକୀ ମିଶ୍ର । ଜୁଏଲ୍ ଓରାମ୍ ଙ୍କ ବିରୋଧରେ ନିର୍ବାଚନୀ ସତ୍ୟପାଠ ଅନିୟମିତତାର ଏକ ବଡ଼ ଖୁଲାସା ଦାବି କରିଥିଲା ବିଜେଡ଼ି । ଅପରାହ୍ନ ୫ଟାରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଖୁଲାସା କରାଯାଇଥିଲା । ମାତ୍ର ଜୁଏଲ୍ ଙ୍କ ବିରୋଧରେ ବିଜେଡ଼ି ଯେଉଁ ଖୁଲାସା କରିଛି ସେଥିରେ ଦମ୍ ନାହିଁ କି ସତ୍ୟତା ନାହିଁ ବୋଲି କୁହାଯାଉଛି । ଜୁଏଲ୍ ଙ୍କ ସତ୍ୟପାଠର କାଗଜ ଦେଖିଲେ ଏହା ବାରି ହୋଇପଡୁଛି ।
ଜୁଏଲ୍ ନିର୍ବାଚନରେ ନିଜସ୍ୱ ପାଣ୍ଠି ଖର୍ଚ୍ଚ ‘ନିଲ୍’ ବୋଲି ଦର୍ଶାଇଛନ୍ତି । ଦଳଠାରୁ ୪୦ ଲକ୍ଷ ଏବଂ ବିଭିନ୍ନ ସୂତ୍ରରୁ ୭ ଲକ୍ଷ ୪୭ ହଜାର ୭୮ ଟଙ୍କା ସଂଗ୍ରହ କରିଥିବା ଦର୍ଶାଇଛନ୍ତି । ସିଡ୍ୟୁଲ୍-୯ ରେ ନିର୍ବାଚନ ଖର୍ଚ୍ଚ ପାଇଁ ବିଭିନ୍ନ ସୂତ୍ରରୁ ଆଣିଥିବା ପାଣ୍ଠିର ବ୍ରେକ୍ ଅପ୍ ଦେଇଛନ୍ତି । କ୍ରମିକ ନଂ ୮ରେ ୧୯ ହଜାର ଟଙ୍କା କ୍ୟାସ୍ ଡିପୋଜିଟ୍ ସେଲଫ୍ ଦେଖାଇଛନ୍ତି । କ୍ରମିକ ନଂ ୧୨,୧୩ ଓ ୧୪ରେ ସର୍ବମୋଟ ୧ ଲକ୍ଷ ୪୦ ହଜାର ଟଙ୍କାର କ୍ୟାସ୍ ଡିପୋଜିଟ୍ ସେଲଫ୍ ଦେଖାଇଛନ୍ତି । ବିଜେଡ଼ିର ଯୁକ୍ତି, ଜୁଏଲ୍ ନିଜସ୍ୱ ପାଣ୍ଠି ନିଲ୍ ଦେଖାଉଥିଲା ବେଳେ ସେଲଫ୍ କ୍ୟାସ୍ ଡିପୋଜିଟ୍ ପୁଣି ଦେଖାଇଲେ କେମିତି? ଏହାଦ୍ୱାରା ନିଜ ଛେପ ନିଜେ ଢ଼ୋକିଛନ୍ତି । ନିର୍ବାଚନ କମିସନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଭୁଲ୍ । ଜୁଏଲ୍ ଗଫଲତି କରିଛନ୍ତି ।
ତେବେ ଚାଟାର୍ଡ ଆକାଉଣ୍ଟମାନଙ୍କ କହିବା କଥା, ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀ ବିଭିନ୍ନ ସୂତ୍ରରୁ ପାଣ୍ଠି ଚେକ୍ କିମ୍ବା କ୍ୟାସ୍ ଆକାରରେ ଆଣିପାରିବେ । ତାହା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଆକାଉଣ୍ଟରେ ଦାଖଲ କରିବା ବାଧ୍ୟତାମୂଳକ । ସେହି ଅନୁଯାୟୀ ସେ ପାଇଥିବା ଚେକ୍ ଓ କ୍ୟାସ୍ କୁ ଆକାଉଣ୍ଟରେ ଡିପୋଜିଟ୍ କଲେ ସେଲଫ୍ ଦର୍ଶାଇବାକୁ ପଡ଼େ । ଯାହା ଜୁଏଲ୍ କରିଛନ୍ତି । ସେଥିରେ କୌଣସି ବ୍ୟତିକ୍ରମ କିମ୍ବା ଅନିୟମିତତା ହୋଇନାହିଁ । ସୁତରାଂ ଜୁଏଲ୍ ମିଛ ସତ୍ୟପାଠ ଦେବା ଅଭିଯୋଗର ସତ୍ୟତା ନାହିଁ । ଜୁଏଲ୍ ଦିଲ୍ଲୀରେ ଏହି ଢ଼ଙ୍ଗରେ ବିଜେଡ଼ିକୁ ଚାଲେଂଜ କରିବା ସହ ଓଲଟି ନବୀନଙ୍କ ଇସ୍ତଫା ଦାବି କରିଛନ୍ତି ।
Nabin Babu should clarify his own view about BJP’s allegation