ଟଙ୍କା ୫୦୦ରେ ସାମ୍ବାଦିକମାନଙ୍କୁ କିଣିହବ । ଆଜିକାର ପଇସାବାଲା ନେତାଙ୍କ ମୁଣ୍ଡରେ ଏମିତିକା ଧାରଣା ପଶିଛି । ହାତଗଣତି ସାମ୍ବାଦିକ ସକାଳ ପାଇଲେ ମନ୍ତ୍ରୀ, ବିଧାୟକଙ୍କ ଘରେ ଲୁଟୁରୁ ପାଟୁରୁ ହୋଇ ଟଙ୍କା ୫୦୦ କି ହଜାରରେ ଗଦ୍ ଗଦ୍ ହେଉଥିବାରୁ ସେହି ନେତାମାନେ ସବୁ ସାମ୍ବାଦିକଙ୍କ ମୁଣ୍ଡକୁ ୫୦୦ ଟଙ୍କିଆ ଭାବିନେଇଛନ୍ତି । ଅଢ଼େଇ ବର୍ଷ ତଳେ ପୁରୀରେ ବିଜେଡ଼ି ସାଂସଦ ପିନାକୀ ମିଶ୍ର ଏମିତି ୫୦୦ ଟଙ୍କାରେ ସାମ୍ବାଦିକଙ୍କ ମୁଣ୍ଡ କିଣିବାକୁ ଉଦ୍ୟମ କରିଥିଲେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ ପରଠାରୁ ଏହି ଟ୍ରେଣ୍ଡ ଅତିଶୟ ହୋଇଥିବା କୁହାଯାଉଛି ।
ପେଟ୍ରୋଲ୍ ପଇସାରେ ଡୁବିଥିବା ଧର୍ମେନ୍ଦ୍ର ଗଣମାଧ୍ୟମକୁ ବଲି କା ବକରା ଭାବୁଛନ୍ତି । ଖାଲି ଭାବୁନାହାନ୍ତି କାମରେ କରି ଦେଖାଉଛନ୍ତି । ନିର୍ଦ୍ଦିଷ୍ଟ କିଛି ଗଣମାଧ୍ୟମ ମାଲିକଙ୍କୁ ସେ ପକେଟରେ ପୂରାଇ ସାରିଥିଲା ବେଳେ ଆଉ କିଛି ଚାମଚା ସାମ୍ବାଦିକଙ୍କୁ ମାସିକିଆ ପେ ରୋଲ୍ ରେ ରଖିଛନ୍ତି । ବାଇ ଚାନସ୍ ସେହି ସାମ୍ବାଦିକ ତାଙ୍କ ବିରୋଧରେ ନିଉଜ୍ ଲେଖିଦେଲେ ଧର୍ମେନ୍ଦ୍ର ନାଲିଆଖି ଦେଖାଇବାକୁ ପଛାଉନାହାନ୍ତି । ତାଙ୍କ ଲୋକ ଜନ୍ମ କଲା ବାପ ଭଳି ସାମ୍ବାଦିକଙ୍କୁ ଧମକୋଉଛନ୍ତି । ଏକଥା ଆମେ କହୁନୁ, ଓଡ଼ିଶାର ଜଣେ ନାମୀ ଗଣମାଧ୍ୟମ ମାଲିକଙ୍କ ମନର କଥା ଇଏ । ଜାତୀୟ ଗଣମାଧ୍ୟମକୁ ବିଜେପି କିଣିବାରେ ସଫଳ ହେବା ପରେ ଓଡ଼ିଶାରେ ଧର୍ମେନ୍ଦ୍ର ଏହି ଥିଓରି ଆପଣେଇଛନ୍ତି । ଏମିତିକି କିଏ କେଉଁ ଟିଭି ଚାନେଲ୍ ର ଦାୟିତ୍ୱ ନେବ ତାହା ଧର୍ମେନ୍ଦ୍ର ଓ ତାଙ୍କ ଟିମ୍ ସ୍ଥିର କରୁଛନ୍ତି । ଏହା ଆଉ ଅଭିଯୋଗ ହୋଇ ରହିନାହିଁ ବରଂ ବାସ୍ତବତା ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।
ଗତକାଲି(ଶୁକ୍ରବାର) ଅନୁଗୁଳରେ ଯେଉଁ ଘଟଣା ଘଟିଲା ତାହା ଯେତିକି ମାରାତ୍ମକ ସେତିକି ଲଜ୍ଜାଜନକ । ତିନି ତିନି ଜଣ ପାୱାରଫୁଲ୍ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ୫୦୦ ଟଙ୍କାରେ କିଣିବାକୁ ଉଦ୍ୟମ ହେଲା । ଧର୍ମେନ୍ଦ୍ର, ଜୁଏଲ୍ ଙ୍କ ଉପସ୍ଥିତିରେ ନୀତିନ୍ ଗଡ଼କରୀଙ୍କ ଦ୍ୱାରା ଜାତୀୟ ରାଜପଥର ଚାରିଲେନ୍ ପ୍ରକଳ୍ପର ଭୂମିପୂଜାକୁ ଭଲ ଭାବେ ହାଇଲାଇଟ୍ କରିବାକୁ ସାମ୍ବାଦିକଙ୍କ ମୁଣ୍ଡ ପିଛା ୫୦୦ ଟଙ୍କା ଲାଞ୍ଚ ଧାର୍ଯ୍ୟ କରାଯାଇଥିଲା । ଆୟୋଜକଙ୍କ ଏତେ ସାହସ ଯେ ଖୋଦ୍ ଜାତୀୟ ରାଜପଥ ପ୍ରାଧିକରଣ ଯନ୍ତ୍ରୀ ଶୁଭେନ୍ଦ୍ର ସିଂହ ପ୍ରେସ୍ ଗ୍ୟାଲେରିକୁ ଆସି ଗୋଟେ ଗୋଟେ ଧଳା ଲଫାପାରେ ୫୦୦ ଟଙ୍କା ପୂରାଇ ସାମ୍ବାଦିକଙ୍କୁ ଫୋଲଡର ଧରାଇଦେଲେ । ସାମ୍ବାଦିକଙ୍କୁ ଏହି ଲାଞ୍ଚ ଗଡ଼କରୀ ନ ଜାଣିଲେ ନାହିଁ ଧର୍ମେନ୍ଦ୍ର ଟିମ୍ ଙ୍କ ଅଜାଣତରେ ଯେ ଦିଆଯାଇଥିବ ତାହା ଅନେକ ବିଶ୍ୱାସ କରୁନାହାନ୍ତି । ଗର୍ବର କଥା, ସେଠାରେ ଉପସ୍ଥିତ ସାମ୍ବାଦିକମାନେ ନିଜର ଆତ୍ମସମ୍ମାନ ଜଗି ଏହାକୁ ତୀବ୍ର ବିରୋଧ କରିଥିଲେ । ଥାନାରେ ଯାଇ ଲାଞ୍ଚ ଦେଉଥିବା ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି । ପୁଲିସ ଏହାର ତଦନ୍ତ କରି କାହାରିକୁ କ’ଣ ଦଣ୍ଡ ଦେବ ତାହା ଭିନ୍ନ କଥା । ହେଲେ ସାମ୍ବାଦିକଙ୍କୁ ପଇସା ଦେଇ କିଣିବାର ପ୍ରଥା ଗଣତନ୍ତ୍ର ପାଇଁ ସାଂଘାତିକ ବିପଦଜ୍ଜନକ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି ।
ଆଗରୁ କାଁ ଭାଁ ଏମିତି ଘଟଣା ଘଟୁଥିଲେ ମଧ୍ୟ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସାମ୍ବାଦିକଙ୍କୁ ଲୋଭ ଓ ଭୟ ଦେଖାଇବାର ପରମ୍ପରା ଉତ୍କଟ ରୂପ ନେଇଥିବା ଓଡ଼ିଶା ଗଣମାଧ୍ୟମ ଜଗତରେ ଚର୍ଚ୍ଚା ହେଉଛି । ଏହାଦ୍ୱାରା ସାମ୍ବାଦିକଙ୍କ ସ୍ୱାଧୀନତା ଓ ସ୍ୱାଧୀନ ଭାବେ ନିର୍ଭିକ ସମ୍ବାଦ ପରିବେଷଣ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହେଉଛି । ୧୯୭୫ ଦେଶର ଜରୁରୀକାଳୀନ ଅବସ୍ଥା ଭଳି ଗଣମାଧ୍ୟମରେ ଏକପ୍ରକାର ଜରୁରୀକାଳୀନ ସ୍ଥିତି ଜାରି ହୋଇଛି । ସ୍ୱାଧୀନ ଓ ସତ୍ୟ ଖବର ପରିବେଷଣର ଅଧିକାର ଖନନ କରିବାକୁ ଉଦ୍ୟମ ହେଉଛି । ଅନେକ ସାମ୍ବାଦିକ ଚାପ, ଲୋଭ କିମ୍ବା ଭୟର ବଶବର୍ତ୍ତୀ ନ ହୋଇ କାମ କରୁଥିବା ବେଳେ ଆଉ କିଛି ସାମ୍ବାଦିକ ପଇସା ଲୋଭରେ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଇ ଏହି ପବିତ୍ର ପ୍ରଫେସନକୁ କଳୁଷିତ କରୁଛନ୍ତି । ଅବଶ୍ୟ ଖୋଦ୍ କିଛି କୋଟିପତି ମାଲିକ ପ୍ରଚୁର ଅର୍ଥଲୋଭରେ ନିଜର ଇଜ୍ଜତକୁ ବାଜି ଲଗାଉଥିବାରୁ ତଳତଳିଆ ସାମ୍ବାଦିକଙ୍କୁ ଭୁଲ୍ ଦେଇ ଲାଭ ନାହିଁ । ଦିନରାତି ଖଟି ମାଲିକଙ୍କ ଶୋଷଣର ଶିକାର ସାମ୍ବାଦିକ ଭାଇ ନିଜ ପରିବାରପୋଷଣ ପାଇଁ ଯଦି କୁଆଡୁ ଦି ପଇସା ରୋଜଗାର କଲେ ସେଥିରେ ପାପ ନାହିଁ ବୋଲି କିଛି ମହଲ ଯୁକ୍ତି କରିଛନ୍ତି ।