ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଗଣମାଧ୍ୟମରେ କେହି ନକରାତ୍ମକ ବୟାନବାଜି କରିବାକୁ । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ନେତା, କର୍ମକର୍ତ୍ତା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ଦେଇଥିବା ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ବୟାନବାଜି କରିଛନ୍ତି । ଅବଶ୍ୟ ତାଙ୍କ ବୟାନ ଉପରେ ତୃତୀୟ ମହଲାର ମୋହର ବାଜିଛି । ଆଉ ମୁଖପାତ୍ରଙ୍କ ମନ୍ତବ୍ୟ ବରିଷ୍ଠ ମନ୍ତ୍ରୀମାନଙ୍କୁ କ୍ଷୁବ୍ଧ କରିଛି । ବିବାଦକୁ ଥମେଇବା ପରିବର୍ତ୍ତେ ଅଧିକ ଜଟିଳ କରିଛି ।
ଗତକାଲି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ତାଗିଦ୍ ଖବର ଟିଭିର ବ୍ରେକିଂ ଖବର ପାଲଟିଥିବା ବେଳେ ଖବରର ବାସ୍ତବତାର ଥଳକୂଳ ନ ଥିଲା । ବରଂ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ଅସ୍ୱୀକାର କରିଥିଲେ । ଜଣେ ପାୱରଫୁଲ୍ ଯୁବମନ୍ତ୍ରୀ ଗୋପନରେ ଏଭଳି ଖବର ଗଣମାଧ୍ୟମକୁ ଛାଡ଼ିଥିବା ଜଣାପଡ଼ିଥିଲା । ସକାଳର ସବୁ ଖବରକାଗଜରେ ବି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଖବର ହେଡ଼ଲାଇନ୍ ପାଲଟିଥିଲା । ତେବେ ପ୍ରଚାରିତ ଏହି ଖବରକୁ ନେଇ ଖୋଦ୍ ମନ୍ତ୍ରୀଙ୍କ ଭିତରେ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ସାମ୍ବାଦିକମାନେ ବି ନିଜେ ଦ୍ୱନ୍ଦରେ ପଡ଼ିଥିଲେ ଲୋକଙ୍କୁ ସେମାନେ ଯାହା ଜଣାଇଛନ୍ତି ତାହା ଠିକ୍ ନା ଭୁଲ୍? ଏଭଳି ଅବସ୍ଥାରେ ଆଜି ସଚିବାଳୟରେ ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଖବର ମିଛ ବୋଲି ପୁଣି ଦୋହରାଇଥିଲେ । ଖାଲି ସେତିକି ନୁହେଁ, ଏଭଳି ଖବରକୁ ନେଇ ଟିଭିରେ ମୁହଁ ଦେଖାଇଥିବା ନେତାଙ୍କୁ ବହେ ବକିଥିଲେ । ସେମାନଙ୍କୁ ସଇତାନ କହିବାକୁ ବି ଦାମ ପଛାଇ ନ ଥିଲେ ।
ବିବାଦ ସାଂଘାତିକ ରୂପ ନେଉଥିଲା ବେଳେ ଦଳର ମୁଖ୍ୟ ମୁଖପାତ୍ର ବୋଲାଉଥିବା ପ୍ରତାପ ଦେବ, ପ୍ରତାପ ଜେନା ଓ ସମୀର ଦାଶ ଯାଇଥିଲେ ତୃତୀୟ ମହଲା । କାହାକୁ ଭେଟିଲେ ଜଣାନାହିଁ । ମାତ୍ର ଫେରିଲା ପରେ କ୍ୟାମେରା ଆଗରେ ଛାତି ଫୁଲାଇ ପ୍ରତାପ ଦେବ କହିଥିଲେ, ହଁ ମୁଖ୍ୟମନ୍ତ୍ରୀ ଦଳର ସବୁ ନେତାଙ୍କୁ ପରାମର୍ଶ ଦେଇଛନ୍ତି ନକରାତ୍ମକ ବୟାନରୁ କ୍ଷାନ୍ତ ରହିବା ପାଇଁ । ନିଜ ବିଭାଗ ଛଡ଼ା ଅନ୍ୟ ବିଷୟରେ ହାଇକମାଣ୍ଡଙ୍କ ବିନା ପରାମର୍ଶରେ କେହି କିଛି କହିପାରିବେ ନାହିଁ । ଏଭଳି କହି ପ୍ରତାପ ଦେବ ସୂଚେଇ ଦେଇଥିଲେ ଯେ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଏହି ପରାମର୍ଶ ସେଠାରେ ଉପସ୍ଥିତ ଦାମବାବୁ ଜାଣିପାରିନାହାନ୍ତି ।
ତେବେ ପ୍ରତାପ ଦେବଙ୍କ ମନ୍ତବ୍ୟ ରାଜନୀତିରେ ରୁଚି ରଖୁଥିବା ସାଧାରଣ ଲୋକଙ୍କୁ ବି ବିସ୍ମିତ କରିଛି । ଦଳୀୟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଯଦି କିଛି ପରାମର୍ଶ ଦେବାର ଥିଲା ତେବେ କ୍ୟାବିନେଟ୍ ବୈଠକ କ’ଣ ଫୋରମ୍? କ୍ୟାବିନେଟ୍ ବୈଠକରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ହୁଏ । ସେଠାରେ ଦଳୀୟ ପ୍ରସଙ୍ଗରେ ଆଲୋଚନା ହେବାର ବିଧି କି ସୁଯୋଗ ନାହିଁ । ହଁ ମୁଖ୍ୟମନ୍ତ୍ରୀ ଯଦି କଥାଛଳରେ ମନ୍ତ୍ରୀମାନଙ୍କୁ କିଛି କହିଥାଇପାରନ୍ତି । କେବେ ସେ ଦଳୀୟ ନେତା କି କର୍ମକର୍ତ୍ତାଙ୍କ ଉଦ୍ୟେଶରେ କିଛି ପରାମର୍ଶ ବା ତାଗିଦ୍ କରିବା ବିଲକୁଲ୍ ଗ୍ରହଣୀୟ ନୁହେଁ । ମାତ୍ର ଦଳର ୩ ମୁଖିଆ ମୁଖପାତ୍ର ତୃତୀୟ ମହଲା ସହ ମନ୍ତ୍ରଣା କଲା ପରେ ଅଫିସିଆଲି ଯାହା କହୁଛନ୍ତି ତାହା ନିଶ୍ଚିତ ଭାବେ ବିବାଦକୁ ଜଟିଳ କରୁଛି ପଛେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇନି । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ଦଳୀୟ ଫୋରମ୍ ରେ ହିଁ ଏହି ଆଲୋଚନା କରିଥାନ୍ତେ ଏବଂ ମନ୍ତ୍ରୀ ଓ ନେତାମାନେ ବିବାଦୀୟ ମନ୍ତବ୍ୟ ନ ଦେବାକୁ ତାଗିଦ୍ କରିଥାନ୍ତେ । ମାତ୍ର କ୍ୟାବିନେଟ୍ ବୈଠକରେ ଦଳର ସବୁ ନେତାଙ୍କ ଉଦ୍ୟେଶରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋକହସା କଥା ଛଡ଼ା କିଛି ନୁହେଁ ।
ଦଳ ଭିତରେ ସୃଷ୍ଟି ହୋଇଥିବା ସିନିୟର୍-ଜୁନିୟର୍ କଳିକୁ ଆୟତ୍ତକୁ ଆଣି ତାଳି ପକାଇବା ପାଇଁ ତୃତୀୟ ମହଲାରୁ ଏଭଳି ଉଦ୍ୟମ ହୋଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏଭଳି କୁହନ୍ତୁ କି ନ କହନ୍ତୁ ଅନ୍ତତଃ ଗଣମାଧ୍ୟମ ଜରିଆରେ ଏଭଳି ବାର୍ତ୍ତା ଦେଇ ନେତାଙ୍କୁ ନିୟନ୍ତ୍ରଣରେ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏଭଳି ଯୋଜନା କରିଥିବା କୁହାଯାଉଛି । ଅନ୍ୟପକ୍ଷରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କିମ୍ବା କ୍ୟାବିନେଟ୍ ଆଲୋଚନା ଉପରେ ସରକାରୀ ପ୍ରତିନିଧି ନ କହି ଦଳୀୟ ମୁଖପାତ୍ର କଥା କହିବା ଖୋଦ୍ ସରକାରଙ୍କୁ ଉପହାସରେ ପକାଇଛି ।