ଭୁବନେଶ୍ୱର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଆଜି ବିଜୁ ଜନତା ଦଳରୁ ସମ୍ପର୍କ ଛିନ୍ନ କରିଛନ୍ତି । ବିଜେଡ଼ି ଉପସଭାପତି ଏବଂ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ନ ପୂରୁଣୁ ସେ ବିଜେଡ଼ିରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ହୋଇଛି । ରଘୁ ତାଙ୍କ ଦଳୀୟ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ ମଧ୍ୟ ବିଜେଡ଼ି ଉପରେ ଥିବା କ୍ଷୋଭ ଓ ଅସନ୍ତୋଷକୁ ଚାପି ପାରିନାହାନ୍ତି । ବିଜେଡ଼ି ଆଜି ପଥଭ୍ରଷ୍ଟ ହୋଇଛି ବୋଲି କହିଛନ୍ତି ।
ରଘୁ ତାଙ୍କର ପୁରୁଣା ଆସନ ବସ୍ତାରୁ ଲଢ଼ିବା ପାଇଁ ସ୍ୱାଭାବିକ ଭାବେ ଆଶାୟୀ ଥିଲେ । ମାତ୍ର ତାଙ୍କୁ ସେଥିପାଇଁ କୁଆଡ଼େ ସିଗନାଲ୍ ମିଳି ନ ଥିଲା । ବାଲେଶ୍ୱର ବିଜେଡ଼ି ରାଜନୀତିରେ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ କୁଚକ୍ରାନ୍ତରେ ସେ ଫସିଗଲେ । ଗତକାଲି ନବୀନ ନିବାସ ଯାଇଥିବା ରଘୁ ଗତଥର ଭଳି ଏଥର ବି ଟିକେଟ ପାଉନାହାନ୍ତି ବୋଲି ଆଭାସ ପାଇଥିଲେ । ଅସନ୍ତୁଷ୍ଟ ରଘୁ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ନବୀନ ନିବାସରୁ ବାହାରିଥିଲେ । ବିଜେଡ଼ିରୁ ଇସ୍ତଫା ଦେଉନାହାନ୍ତି ବୋଲି ସାମ୍ବାଦିକଙ୍କୁ ଜଣାଇଥିଲେ । ମାତ୍ର ଆଜି ସେ କଠୋର ନିଷ୍ପତ୍ତି ନେଇଛନ୍ତି ।
ନିଜର ରାଜନୈତିକ ଭବିଷ୍ୟତ ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ରଘୁ ସଫେଇ ଦେଇଥିଲେ ମଧ୍ୟ ଆଜି ଅପରାହ୍ନରେ ସେ ବିଜେପିରେ ଯୋଗଦେଉଥିବା ଜଣାପଡ଼ିଛି । ବିଜେପି ଅଫିସରେ ଏଥିପାଇଁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି । ସମ୍ଭବତଃ ବସ୍ତାରୁ ସେ ବିଜେପି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବେ ।
ବସ୍ତାରୁ ଲଗାତର ୫ ଥର ବିଧାୟକ ଥିଲେ ରଘୁନାଥ ମହାନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ଥିଲେ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ବୋଲି ବିଚାର କରାଯାଉଥିଲା । ଅନେକ କ୍ଷେତ୍ରରେ ଦଳ ଓ ସରକାରରେ କୌଣସି ସଙ୍କଟ ଦେଖାଦେଲେ ରଘୁଙ୍କୁ କ୍ରାଇସିସ୍ ମ୍ୟାନେଜର ଦାୟିତ୍ୱରେ ଦେଖିବାକୁ ମିଳୁଥିଲା । ମାତ୍ର ୨୦୧୩ ମସିହାରେ ବୋହୁ ନିର୍ଯ୍ୟାତନା ମାମଲା ତାଙ୍କ ରାଜନୈତିକ କ୍ୟାରିୟର୍ କୁ ବ୍ରେକ୍ ଲଗାଇଥିଲା । ମନ୍ତ୍ରୀ ପଦ ହରାଇବା ସହ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଏହି କାରଣରୁ ୨୦୧୪ ରେ ଦଳ ଟିକେଟରୁ ସେ ବଞ୍ଚିତ ହୋଇଥିଲେ । ୪ ବର୍ଷ କାଳ ନିର୍ବାସନ ଦଣ୍ଡ ଭୋଗୁଥିବା ରଘୁନାଥଙ୍କୁ ଗତବର୍ଷ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ପୁନର୍ବାର ବିଶ୍ୱାସକୁ ନେଇଥିଲେ । ତାଙ୍କୁ ଦଳର ଉପସଭାପତି ଓ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଉଠା ଜଳସେଚନ ବିଭାଗର ଅଧ୍ୟକ୍ଷ ପଦ ଦିଆଯାଇଥିଲା ।