ଭୁବନେଶ୍ୱର: ବିଜେଡ଼ିରେ ପତିଆରା ପାଇବାକୁ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡା ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ବସିବାକୁୁ ତାଙ୍କର କୁଆଡ଼େ ମନ । ସବୁ କଥାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଚାରନ୍ତୁ । କାହାକୁ କେଉଁଠାରେ ଟିକେଟ ଦିଆଯିବ ପରାମର୍ଶ ନିଅନ୍ତୁ । ସର୍ବୋପରି ସେ ହୁଅନ୍ତୁ ଦଳର କାର୍ପଟଦାର । ସମ୍ଭବତଃ ଏୟା ହିଁ ସୌମ୍ୟଙ୍କ ଇଚ୍ଛା । କ୍ଷମତାଶାଳୀ ଗୋଷ୍ଠୀକୁ ସଫା ନ କଲା ପର୍ଯ୍ୟନ୍ତ ଏହା ସମ୍ଭବପର ନୁହେଁ ବୋଲି ସେ ବୁଝିଛନ୍ତି । ତେଣୁ ନିର୍ବାଚନ ଯେତିକି ପାଖୋଉଛି ମନ ଭାରି ହେଉଛି । ବର୍ତ୍ତମାନ ଏହା ଭୂତ ହୋଇ ତାଙ୍କଠାରେ ସବାର ହୋଇସାରିଥିବା ପାଖଲୋକମାନେ କହିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବାକୁ ସେ ତାଙ୍କ ଖବରକାଗଜ ଓ ଟିଭିକୁ ଅସ୍ତ୍ର କରିଛନ୍ତି ।
ଟାର୍ଗେଟ୍ ରେ ରହିଛନ୍ତି ବିଜେଡ଼ିର ତଥାକଥିତ କାର୍ପଟଦାର ଗୋଷ୍ଠୀ(ତାଙ୍କ ଖବରକାଗଜ ଭାଷାରେ) । ତାଙ୍କ କାଗଜର ଆକଳନ କହୁଛି, ୧୨୦ ଟି ଆସନରେ ବିଜେଡ଼ିର ଏକାଧିକ ନେତା ପ୍ରାର୍ଥୀ ହେବା ପାଇଁ ଆଶାୟୀ । ସମସ୍ତଙ୍କୁ ଟିକେଟ୍ ବଟିକା ଖୁଆଇଛନ୍ତି କାର୍ପଟଦାର ଗୋଷ୍ଠୀ । ଯାହାକୁ ଟିକେଟ ମିଳିବନି ସେ ବିଦ୍ରୋହୀ ଭୂମିକା ନେବେ । କଂଗ୍ରେସ କିମ୍ବା ବିଜେପି ସହ ହାତ ମିଳାଇ ବିଜେଡ଼ି ପ୍ରାର୍ଥୀଙ୍କୁ ହରାଇଦେବେ । କାର୍ପଟଦାରଙ୍କୁ ନିପାତ ନକଲେ ବିଜେଡ଼ି ପଞ୍ଚମ ଥର କ୍ଷମତାକୁ ଫେରିବାର ସମ୍ଭାବନା ନାହିଁ । ରୋକଠୋକ୍ ବାକ୍ୟରେ ସୌମ୍ୟଙ୍କ ଖବରକାଗଜ ବିଜେଡ଼ି ମୁଖିଆଙ୍କୁ ଏହା ଖାଲି ଜଣାଇନି ବରଂ ଚେତାବନୀ ଦେଇଛି ।
ଖବରଟିକୁ ନେଇ ସହରଠାରୁ ଗାଁ ଗହଳି ଯାଏଁ ବିଜେଡ଼ି କର୍ମୀମାନେ ଚର୍ଚ୍ଚା କରୁଛନ୍ତି । ଖାଲି ଚର୍ଚ୍ଚା ନୁହେଁ, ବିଜେଡ଼ି ସାଂସଦଙ୍କ ଖବରକାଗଜ ହୋଇଥିବାରୁ କର୍ମୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଛି । ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅସନ୍ତୁଷ୍ଟ ଗୋଷ୍ଠୀ ଅଧିକ ସକ୍ରିୟ ହୋଇଥିବା ଦଳର ବହୁ ଆଗଧାଡ଼ି ନେତା ସ୍ୱୀକାର କରିଛନ୍ତି । ଆଗରୁ ସୌମ୍ୟବାବୁ ବିଜେଡ଼ି ବିରୋଧରେ କ୍ରମାଗତ ଲେଖୁଥିଲେ, ମାତ୍ର ଲୋକମାନେ ବିରୋଧୀ କାଗଜ ହିସାବରେ ଗ୍ରହଣ କରି ଗୁରୁତ୍ୱ ଦେଉ ନ ଥିଲେ । ମାତ୍ର ଏବେ ସେ ବିଜେଡ଼ିର ସାଂସଦ ହୋଇଥିବାରୁ କଥା ସେଭଳି ନାହିଁ । ବିରୋଧୀ ଦଳ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡ଼ିର ଯେତିକି କ୍ଷତି କରୁନାହାନ୍ତି, ସୌମ୍ୟବାବୁ ରାଜ୍ୟସଭା ଆସନ ସାଙ୍ଗକୁ କୋଟି କୋଟି ଟଙ୍କାର ବିଜ୍ଞାପନ ନେଇ ବିଜେଡ଼ିର ଅଧିକ କ୍ଷତି କରୁଛନ୍ତି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
ରାଜନୈତିକ ସମୀକ୍ଷକଙ୍କ ମତରେ କ୍ରମାଗତ ଏଭଳି ଖବର ପଛରେ ସାଂସଦଙ୍କର ନିର୍ଦ୍ଦିଷ୍ଟ ଏଜେଣ୍ଡା ବାରି ହୋଇପଡୁଛି । ଯାହା ସାମଗ୍ରିକ ଭାବେ ବିଜେଡ଼ି ପାଇଁ ଆତ୍ମଘାତୀ ସଦୃଶ । ରାଜନୀତିରେ ସ୍ଥିତି ହରାଇ ସାରିଥିବା ଏହି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଭରସାରେ ବିଜେଡ଼ିକୁ ଆଣି ରାଜ୍ୟସଭା ଆସନରେ ଥଇଥାନ କରିଥିଲେ ତାହା ଏବେ ବୁମେରାଂ ହୋଇଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ଆସନ ଦେଲେ । ତାଙ୍କ ଟିଭି, ଖବରକାଗଜକୁ କୋଟି କୋଟି ଟଙ୍କାର ସରକାରୀ ବିଜ୍ଞାପନ ଢ଼ାଳିଲେ । ଅଥଚ ତାଙ୍କୁ ମନେଇ ନିଜ ପଟରେ ରଖିପାରିଲେ ନାହିଁ । ବୈଜୟନ୍ତ ପଣ୍ଡାଙ୍କ ପରେ ସୌମ୍ୟବାବୁ ଏବେ ବିଜେଡ଼ି ପାଇଁ ବଡ଼ ବିପଦ ବୋଲି ଅଧିକାଂଶଙ୍କ ମତ । ମୋଦିଙ୍କ ଉଚ୍ଚତା ମାପି ସରିଥିବା ସୌମ୍ୟ ନବୀନଙ୍କ ଉଚ୍ଚତା ମାପିବାକୁ ଆଉ ବେଶୀ ଦିନ ନୁହେଁ ବୋଲି ସେମାନେ କଟାକ୍ଷ କରିଛନ୍ତି ।
ସେପଟେ ବିଜେଡ଼ିରେ ସୌମ୍ୟଙ୍କ ଅସଲ ଭୂମିକା ଖଣ୍ଡପଡ଼ା ଓ ବେଗୁନିଆ ନିର୍ବାଚନମଣ୍ଡଳୀ ବୁଲିଲେ ବୁଝି ହୋଇଯିବ ବୋଲି କୁହାଯାଉଛି । ସେଠାରେ ତାଙ୍କର ପୁରୁଣା ଦଳ ଆମ ଓଡ଼ିଶା ସଂଗଠନକୁ ସେ ବିଜେଡ଼ିରେ ବିଲୀନ କରାଇନାହାନ୍ତି । ବରଂ ବିଜେଡ଼ି ବିଧାୟକଙ୍କ ବିରୋଧରେ ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକ ଓ ବେଗୁନିଆରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନିଜ କର୍ମୀଙ୍କୁ ସଜ୍ଜିତ କରାଇଛନ୍ତି । ଖଣ୍ଡପଡ଼ାରେ ସେ ନିଜେ ଏବଂ ବେଗୁନିଆରେ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିବାକୁ କୁଆଡ଼େ ଜିଦ୍ ଧରିଛନ୍ତି । ଖାଲି ସେତିକି ନୁହେଁ, ପାଖାପାଖି ୨୦ଟି ବିଧାନସଭା ଆସନରେ ସେ ନିଜ ମନୋନୀତ ପ୍ରାର୍ଥୀ ଦେବାକୁ ଚାପ ପକାଉଥିବା ଦଳ ଭିତରେ ଚର୍ଚ୍ଚା ହେଉଛି । ଏହି ବଳ ଯୋଗେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ସ୍ୱପ୍ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।