ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ବିଜେଡ଼ି ସହ ଡିଲ୍ ଅଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ କଂଗ୍ରେସ ବିଧାୟକଙ୍କ ସ୍ୱରକୁ ସେ ଚାପି ଦେଉଛନ୍ତି । ବିଧାୟକ ପଦରୁ ନଗଦ ଇସ୍ତଫା ଦେଇଥିବା କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ସଗରିଆ ଦୁଇ ଦିନ ତଳେ ଏହି ଅଭିଯୋଗ ଆଣିଥିଲେ । ଏବେ ବିଜେପି ଏଥିରୁ ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରିଛି । ଆଜି ବିଧାନସଭାରେ ବିଜେପି ବିଧାୟକମାନେ ନବୀନ-ନରସିଂହ ସମ୍ପର୍କ ପ୍ରସଙ୍ଗ ଉଠାଇ ନାରାବାଜି କରିବାରୁ ଗୃହ ଚାଲିପାରିନାହିଁ । ଅନ୍ୟପକ୍ଷରେ ବିଜେଡ଼ି-ବିଜେପି ମଧ୍ୟରେ ଭାଇ ଭାଇର ସମ୍ପର୍କ ବୋଲି ନରସିଂହ ପାଲଟା ଜବାବ ଦେଇଛନ୍ତି ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜଣେ ଜ୍ଞାନୀ, ଗୁଣୀ ଭାବେ ଭାରି ଖାତିର ରହିଛି । ତେବେ ତାଙ୍କର ସାଧୁତା ଉପରେ ସନ୍ଦେହ କରି ତାଙ୍କ ବିରୋଧୀ ମହଲରେ ଚର୍ଚ୍ଚା ବି କିଛି କମ ନାହିଁ । ଦୀର୍ଘ ୪ ବର୍ଷ ଧରି ତାଙ୍କ ଟିମ୍ ରେ ସାମିଲ ଥିବା କୃଷ୍ଣ ସଗରିଆ ତାଙ୍କ ବିରୋଧରେ ଖୋଲାଖୋଲି ଅଭିଯୋଗ ଆଣିବା ପରେ ଏହା ତାଙ୍କ ବିରୋଧୀଙ୍କୁ ଅଧିକ ଖୋରାକି ଯୋଗାଇଛି । ବିଜେଡ଼ି ସହ ତାଙ୍କର ଭିତିରିଆ ସମ୍ପର୍କ ଅଛି ବୋଲି କିଛି କହୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଗୋପନ ସମ୍ପର୍କ ଥିବା ବି କହୁଛନ୍ତି । ତେବେ ଏହି ସବୁ ଚର୍ଚ୍ଚାର ସତ୍ୟତାର ପ୍ରମାଣ ବୋଧହୁଏ କାହାରି ପାଖରେ ନାହିଁ ।
ତେବେ ସଗରିଆ ଫାଗରିଆ କେହି ନୁହଁନ୍ତି, ନରସିଂହ ମିଶ୍ରଙ୍କୁ ବଦନାମ କରିବାକୁ ଏହା ଶ୍ରୀକାନ୍ତ ଜେନାଙ୍କ ଚାଲ୍ ବୋଲି କୁହାଯାଉଛି । ଶ୍ରୀକାନ୍ତ ତାଙ୍କ ମନର କଥା ଶିଷ୍ୟ ସଗରିଆଙ୍କ ତୁଣ୍ଡରେ କୁଆଡ଼େ କୁହାଇଛନ୍ତି । ସଗରିଆ ଏହାକୁ ଖଣ୍ଡନ କରିଥିଲେ ମଧ୍ୟ କଂଗ୍ରେସ ମହଲରେ ଏହା ଜୋର୍ ଚର୍ଚ୍ଚା ହେଉଛି । ନରସିଂହ ମିଶ୍ରଙ୍କୁ ପାନେ ଦେବା ପାଇଁ ଶ୍ରୀକାନ୍ତ ଏହି ଜାଲ ବିଛାଇଥିବା ସମସ୍ତଙ୍କର ବିଶ୍ୱାସ । ଯଦି ଏହା ସତ ହୋଇଥାଏ, ତେବେ ଶ୍ରୀକାନ୍ତ ଜେନାଙ୍କ ଚାଲ୍ କୁ ବିଜେପି ଅଧିକ ସଫଳ କରାଇଛି ବୋଲି ଧରାଯିବ । କିଛି କଂଗ୍ରେସ ବିଧାୟକଙ୍କ ଏହା ବି ସନ୍ଦେହ ହେଲାଣି, ବିଜେପି ବିଧାୟକମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପଛରେ ସେହି ଶ୍ରୀକାନ୍ତ ଜେନାଙ୍କ ହାତ ଅଛି ।
ଆହୁରି ମଜ୍ଜାର କଥା, ବିଜେଡ଼ି ଓ ବିଜେପି ମଧ୍ୟରେ ମଧୁଚନ୍ଦ୍ରିକା ଥିବା କଂଗ୍ରେସ ବହୁ ଆଗରୁ ଅଭିଯୋଗ କରିଆସୁଛି । ଜାତୀୟ ଓ ରାଜ୍ୟ ରାଜନୀତିରେ ଘଟୁଥିବା ଘଟଣା ବିଜେଡ଼ି-ବିଜେପି ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚା ସୃଷ୍ଟି କରିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଅନେକବାର ଏହି ପ୍ରସଙ୍ଗ ଉଠାଇଛନ୍ତି । କିନ୍ତୁ ବିଡ଼ମ୍ବନା, ବିଜେଡ଼ି ସହ ସମ୍ପର୍କକୁ ନେଇ ଆଜି ସେହି ନରସିଂହ ମିଶ୍ର ଖାପଚରେ ପଡ଼ିଛନ୍ତି । ତାଙ୍କ ଦଳରେ ତାଙ୍କର ସହଯୋଗୀ ଥିବା ସଗରିଆଙ୍କ ତୁଣ୍ଡରୁ ଛଡ଼ାଇ ବିଜେପି ବିଧାୟକମାନେ ଏହି ପ୍ରସଙ୍ଗରେ ବିଧାନସଭାକୁ ଅଚଳ କରିଛନ୍ତି । ସାଙ୍ଗକୁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇ ପ୍ରସଙ୍ଗର ଗୁରୁତ୍ୱ ବଢ଼ାଇବାକୁ ଉଦ୍ୟମ କରିଛନ୍ତି ।
ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରତିକ୍ରିୟା ଦେଇ ନରସିଂହ ମିଶ୍ର ବିଜେପିକୁ ଚୋର୍ ମଚାଏ ସୋର୍ ବୋଲି କଟାକ୍ଷ କରିଛନ୍ତି । ବିଜେପିକୁ ଜଣ୍ଡିସ୍ ରୋଗ ହୋଇଛି । ତେଣୁ ତାଙ୍କୁ ସବୁ ହଳଦିଆ ଦିଶୁଛି ବୋଲି ସେ କହିଛନ୍ତି । ସେ ପୁଣି କହିଛନ୍ତି, ବିଜେଡି-ବିଜେପି ଭାଇ ଭାଇ ବୋଲି ଆମେ ସବୁବେଳେ ଅଭିଯୋଗ କହି ଆସୁଛୁ । ବିଧାନସଭାରେ ସରକାରଙ୍କୁ ସବୁବେଳେ ବିରୋଧ କରିଆସିଛୁ । ହେଲେ ବିଜେପି ବାଉଳା ହେଉଛି । ଆଗାମୀ ନିର୍ବାଚନରେ ସେମାନେ ଯେଉଁ ସଫଳତାର ସ୍ୱପ୍ନ ଦେଖୁଥିଲେ, ତାହା ଏବେ ମିଳେଇଗଲାଣି । ତେଣୁ ବାଉଳା ହୋଇ ଏଣୁତେଣୁ ଗପୁଛନ୍ତି ।
ବିଜେପି ଅଭିଯୋଗ ଉପରେ ବିଜେଡ଼ି ବି ପ୍ରତିକ୍ରିୟା ରଖିଛି । ଦଳର ମୁଖପାତ୍ର ତଥା ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, ବିଜେଡ଼ିର ଆଭିମୁଖ୍ୟ ସବୁବେଳେ ସ୍ପଷ୍ଟ । କଂଗ୍ରେସ ଓ ବିଜେପି ସହ ବିଜେଡ଼ି ସମଦୂରତା ରଖି ଆସିଛି ଏବଂ ଆଗକୁ ରଖିବ ବୋଲି ସେ କହିଛନ୍ତି ।