ଭୁବନେଶ୍ୱର: ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ନିର୍ଦ୍ଧାରିତ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରେସନ୍ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶାବଳୀର ମାତ୍ର ୨୪ ଘଣ୍ଟା ଭିତରେ ୧୨୩୯ ଜଣ ବିଦେଶ ଫେରନ୍ତା ତାଙ୍କର ରେଜିଷ୍ଟ୍ରସନ୍ କରିଥିଲେ । ଆଜି ଏହି ତାଲିକାରେ ଯୋଡି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ବିଦେଶରୁ ଆସିଥିବା ଭଉଣୀଙ୍କର ସମସ୍ତ ବିବରଣୀ ସହ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।
ଏଥିସହ କାହାରି ବି ବିଦେଶରୁ ଫେରୁଥିବା ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କର ସମସ୍ତ ତଥ୍ୟ ଦେଇ ଉଦ୍ଦିଷ୍ଟ ସରକାରୀ ୱେବସାଇଟ୍ ରେ ରେଜିଷ୍ଟ୍ରସନ୍ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପୁନର୍ବାର ଅପିଲ୍ କରିଛନ୍ତି । ଓଡ଼ିଶାକୁ ଏହା କରୋନା ଭାଇରସ୍ ରୁ ରକ୍ଷା କରିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବିଦେଶ ଫେରନ୍ତାଙ୍କ ପାଇଁ ଅନଲାଇନ୍ ରେଜିଷ୍ଟ୍ରସନ୍ ବାଧ୍ୟତାମୂଳକ କରାଯାଇ ଆବଶ୍ୟକ ପ୍ରତିଷେଧକ ଏବଂ ଚିକିତ୍ସା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଆବଶ୍ୟକତାକୁ ଚାହିଁ ନିଜ ଘରେ ବା ହସ୍ପିଟାଲ୍ ରେ ସେମାନଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ରେଜିଷ୍ଟ୍ରେସନ୍ ଏବଂ ହୋମ୍ କ୍ୱାରେଣ୍ଟାଇନ୍ ପାଇଁ ସରକାରଙ୍କ ପକ୍ଷରୁ ୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି ।
ସପରିବାର ବିଦେଶରୁ ଫେରିବା ପରେ ଗତକାଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସରକାରୀ ୱେବସାଇଟ୍ ରେ ନିଜର ଓ ପରିବାର ସଦସ୍ୟଙ୍କର ରେଜିଷ୍ଟ୍ରେସନ୍ କରାଇ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଲଣ୍ଡନରୁ ଫେରିଥିବା ତାଙ୍କ ପୁଅର ରେଜିଷ୍ଟ୍ରସନ୍ କରାଇ ହୋମ୍ କ୍ୱାରେଣ୍ଟାଇନ କରାଇଥିବା ବେଳେ ଆଇଏଏସ୍ ଅଧିକାରୀ ତଥା ଭୁବନେଶ୍ୱର ସ୍ମାର୍ଟ ସିଟିର ସିଇଓ ଆର.ଭିନୀଲ୍ କ୍ରିଷ୍ଣା ରେଜିଷ୍ଟ୍ରେସନ୍ କରାଇ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ଉଦ୍ୟମ ଓ ତତ୍ପରତାକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ସରକାର ବିଶେଷକରି ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଭୂୟସୀ ପ୍ରଶଂସା କରିଛନ୍ତି । କରୋନା ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡ଼େଲ ସାଜିଥିବା ରାଜ୍ୟପାଳ କହିଛନ୍ତି ।