ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଛି ମାସ ତଳେ ଜଣେ ଯୁବତୀଙ୍କୁ ହ୍ୱାଟସ୍ ଆପ୍ ରେ ଅଶ୍ଲୀଳ ମେସେଜ୍ ଦେଉଥିବା ଅଭିଯୋଗ ଆସିଥିଲା ତାଳଚେରର ବିଜେଡ଼ି ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ । ହେଲେ ମାମଲାକୁ ରଫାଦଫା କରିବାରେ ସଫଳ ହୋଇଥିଲେ ସେ । ଏଥର କିନ୍ତୁ ବିଧାୟକ ମହୋଦୟ ସାଂଘାତିକ ଅଭିଯୋଗ ଜାଲରେ ପଡ଼ିଯାଇଛନ୍ତି । ଜଣେ ଯୁବତୀଙ୍କୁ ପ୍ରେମ ଜାଲ୍ ରେ ଫସାଇ ମନ୍ଦିରରେ ବିବାହ କରିଥିବା ବିଧାୟକ କୁଆଡେ ତାଙ୍କଠାରୁ ମୁହଁ ବୁଲାଇ ନେଇଛନ୍ତି । ଦୁଇବର୍ଷ ଧରି ପତ୍ନୀ ଭାବେ ସାନ୍ନିଧ୍ୟ ଲାଭ କରିବା ପରେ ବିଧାୟକ ତାଙ୍କୁ ଧିକ୍ ମାର୍ କରି ତଡ଼ିପାର୍ କରିଛନ୍ତି । ନ୍ୟାୟ ପାଇଁ ଅସହାୟ ଯୁବତୀ(ମହିଳା) ଜଣଙ୍କ ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାମଲାଟି ରାଜନୈତିକ ମାହୋଲକୁ ସରଗରମ କରିଛି ।
ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳର ଏହି ଯୁବତୀଙ୍କ ସହ ବିଧାୟକଙ୍କର ପରିଚୟ ହୋଇଥିଲା ୨୦୧୫ ମସିହାରେ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ନିଜର ଜଣେ ବନ୍ଧୁଙ୍କୁ ମୋବାଇଲ୍ ଫୋନ୍ ଲଗାଇବା ବେଳେ ଭୁଲ୍ ରେ ଆଉ ଏକ ନମ୍ବର ଲାଗିଯାଇଥିଲା । ଆପଣ କିଏ ବୋଲି ବିଧାୟକ ତାଙ୍କୁ ସେପଟୁ ପଚାରିଲା ପରେ ଯୁବତୀ ଜଣଙ୍କ “ସରି’ କହି କ୍ଷମା ମାଗିଥିଲେ । ହେଲେ ନାରୀ ସ୍ୱରରେ ବିଧାୟକ ଭୋଳ ହୋଇଯାଇଥିଲେ । ଉପରେ ପଡ଼ି ନିଜର ପରିଚୟ ଦେଇଥିଲେ ଏବଂ “ସରି’ କ’ଣ କହୁଛନ୍ତି ବୋଲି ଅଭିମାନଭରା କଣ୍ଠରେ କହିଲେ । ଭୁଲ୍ ରେ ଲାଗିଲା ତ ଅସୁବିଧା କ’ଣ ? ଆମେ ଦୁହେଁ ବନ୍ଧୁ ହେବାଟା କ’ଣ ପାପ ବୋଲି ବିଧାୟକ ତାଙ୍କୁ ଶୁଣାଇ ଦେଲେ । ବାସ୍ ସେବେଠାରୁ ଦୁହେଁ ବନ୍ଧୁ ହୋଇଗଲେ । ବନ୍ଧୁତ୍ୱ ନିବିଡ଼ ହେବା ପରେ ବିଧାୟକ ତାଙ୍କୁ ପ୍ରେମ ନିବେଦନ କଲେ ଏବଂ ସଫଳ ହେଲେ । ତାପରେ ପ୍ରେମିକାରୁ ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିନେଲେ । ୨୦୧୫ ଏପ୍ରିଲ୍ ୫ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବିଧାୟକ ଫୁଲମାଳ ପିନ୍ଧାଇ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ।
ସେଇଠୁ ତାଙ୍କୁ ସିଧା ଆଣିଲେ ଭୁବନେଶ୍ୱରରେ ଥିବା ନିଜର ସରକାରୀ କ୍ୱାଟରକୁ । କିଛି ଦିନ ସେଠାରେ ରଖିଲା ପରେ ଖୋର୍ଦ୍ଧା ଫାୟାର ଷ୍ଟେସନ୍ ଛକରେ ଏକ ଘରଭଡ଼ା ନେଇ ରଖିଥିଲେ । ଯୁବତୀଙ୍କ ସହ ତାଙ୍କର ବିଧବା ମାଆ ସେହି ଘରେ ରହୁଥିଲେ । ତେବେ ହଠାତ୍ କ’ଣ ହେଲା କେଜାଣି ବିଧାୟକ ଏବେ ତାଙ୍କଠାରୁ ମୁହଁ ଫେରାଇ ଆଣିଥିବା ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି । ବିଧାୟକ କୁଆଡେ ତାଙ୍କୁ ପତ୍ନୀ ଭାବେ ମାନୁନାହାନ୍ତି । ବିଧାୟକଙ୍କଠାରୁ ଧୋକ୍କା ଖାଇଲା ପରେ ଯୁବତୀଜଣଙ୍କ ଶେଷରେ ଆଜି ମହିଳା ଥାନାରେ ଏତଲା ଦେଇଛନ୍ତି । ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।