– ତିନି ଆକ୍ରାନ୍ତଙ୍କ ଘର ବମିଖାଲ
– ଗୋଟିଏ ଦିନରେ ୪ ପଜିଟିଭ୍
– ମୋଟ ଆକ୍ରାନ୍ତ-୯, ସୁସ୍ଥ-୨, ଆକ୍ଟିଭ୍-୭
ଭୁବନେଶ୍ୱର: ଗମ୍ଭୀର ହେଲା କରୋନା ସ୍ଥିତି । ଆଜି ସଂଧ୍ୟାରେ ଆଉ ୩ ଜଣଙ୍କର କରୋନା କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଆକ୍ରାନ୍ତ ତିନିଜଣ ଯାକ ହେଉଛନ୍ତି ଭୁବନେଶ୍ୱର ବମିଖାଲ ଅଞ୍ଚଳର । ସମ୍ପର୍କରେ ସେମାନେ ତିନି ଭାଇ ବୋଲି କୁହାଯାଉଛି । ତେବେ ସେମାନଙ୍କ ବିଷୟରେ ଅନ୍ୟ କୌଣସି ସୂଚନା କିମ୍ବା ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ ।
ଏହି ତିନିଜଣଙ୍କୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । କେବଳ ଭୁବନେଶ୍ୱରରୁ ୭ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ଇତିମଧ୍ୟରେ ଅବଶ୍ୟ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଉଦବେଗର କଥା, କେବଳ ଆଜି ଦିନରେ କଟକରୁ ଜଣେ ଓ ଭୁବନେଶ୍ୱରର ତିନି ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଲଗାତର ତୃତୀୟ ଦିନ ପାଇଁ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ମାର୍ଚ୍ଚ ୩୧ ତାରିଖରେ ଭଦ୍ରକରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ୧ ତାରିଖରେ ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି ।
ପ୍ରଥମ କେସ୍ ଭାବେ ସୂର୍ଯ୍ୟନଗର ଅଞ୍ଚଳର ଚିହ୍ନଟ ପଞ୍ଚମ ଆକ୍ରାନ୍ତ ବ୍ୟକ୍ତିଙ୍କ ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ କିମ୍ବା ରାଜ୍ୟ ବାହାର ଗସ୍ତ ନାହିଁ । ଯାହାକି ସରକାରଙ୍କୁ ବେଶୀ ଚିନ୍ତାରେ ପକାଇଛି । ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ସମଗ୍ର ସୂର୍ଯ୍ୟନଗର ଅଞ୍ଚଳକୁ ଗତକାଲି ରାତିରୁ ସିଲ୍ କରାଯାଇ କଡ଼ା ନଜରରେ ରଖାଯାଇଥିବା ବେଳେ ଆଜି କଟକରୁ ଚିହ୍ନଟ ଆକ୍ରାନ୍ତଙ୍କ ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ୍ ସମସ୍ୟାକୁ ଆହୁରି ଗମ୍ଭୀର କରିଥିଲା । ଭୁବନେଶ୍ୱର, କଟକ ଓ ଭଦ୍ରକକୁ ସଟ୍ ଡାଉନ୍ ରେ ରଖିଲା ବେଳକୁ ବମିଖାଲରୁ ଏକାଥରକେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି ।