ଭୁବନେଶ୍ୱର: ବିଜେଡ଼ିର ଏକଘରିଆ ସାଂସଦ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କୁ କୁଆଡେ ଭାରି ଲାଜ ଲାଗିଛି । ତେଲଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ସମର୍ଥକ ହରତାଲ୍ ନାଁରେ ଗୁଣ୍ଡାଗର୍ଦ୍ଦି କରିଥିବାରୁ ସେ ଲଜ୍ଜିତ ହୋଇଛନ୍ତି । ରାଗି ବି ଯାଇଛନ୍ତି । ତାଙ୍କ ମତରେ, ବିଜୁବାବୁ ଆଜି ବଞ୍ଚିଥିଲେ ସେ ବି ଏହା ଅନୁଭବ କରିଥାଆନ୍ତେ । ୨୦ ବର୍ଷ ତଳେ ସେ ଯେଉଁ ପାର୍ଟି ଗଢ଼ିଥିଲେ, ଏ(ବିଜେଡ଼ି) ସେ ପାର୍ଟି ନୁହେଁ । ଘଟଣାରେ ଜଡ଼ିତ ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ । ଆରାମ୍ ଚେୟାର ନୀତି ନିର୍ଦ୍ଧାରଣକାରୀ ବିଦା ହେବା ଦରକାର ବୋଲି ଟୁଇଟ୍ ମାଷ୍ଟର୍ ବୈଜୟନ୍ତ ନିଜ ଟୁଇଟ୍ ରେ ବର୍ଷି ପକାଇଛନ୍ତି ।
ଗତମାସରେ ଅଜିତ୍ ଯୋଗୀଙ୍କ ଆଟାକ୍ ପରେ ନିରବି ଯାଇଥିବା ବୈଜୟନ୍ତଙ୍କର ଟୁଇଟ୍ ଖୋଲିଛି ବିଜେଡ଼ିର ହରତାଲ୍ ପ୍ରସଙ୍ଗରେ । ବିଜେଡ଼ି କର୍ମୀଙ୍କ ଆଚରଣ ପାଇଁ କୁଆଡେ ଲାଜ, ରାଗ ସମ୍ଭାଳି ପାରିନାହାନ୍ତି । ତେବେ ନିଜ ଟିଭି ପରଦାରେ ବ୍ରେକିଂ ନ୍ୟୁଜ୍ ପାଲଟିଥିବା ବୈଜୟନ୍ତଙ୍କ ଲାଜ ଓଡ଼ିଶାର କୋଟି କୋଟି ଲୋକଙ୍କୁ ଅଧିକ ଲଜ୍ଜିତ କରିଛି । ଲୋକଙ୍କ ପେଟରେ ନାତ ମାରି ପେଟ୍ରୋଲ୍, ଡିଜେଲ୍ ଦର ହୁ ହୁ ବଢ଼ୁଥିବା ବେଳେ ବୈଜୟନ୍ତଙ୍କୁ ଲାଜ କେମିତି ଲାଗୁନି ବୋଲି ପ୍ରଶ୍ନ ଉଠିଛି । ପ୍ରତିବାଦର ହିଂସାରେ ଲଜ୍ଜିତ ହେବା ପୂର୍ବରୁ ପେଟ୍ରୋଲ୍ ଦର ବୃଦ୍ଧି ବିରୋଧରେ ପଦୁଟିଏ ଟୁଇଟ୍ କରିଥିଲେ ତାଙ୍କର ସମ୍ମାନ ବଢ଼ିଥାଆନ୍ତା ଏବଂ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ହୃଦୟର ବିଶାଳତା ଜଣାପଡ଼ିଥାଆନ୍ତା । କିନ୍ତୁ କେଉଁ ରାଜନୈତିକ ବାଧ୍ୟବାଧକତା ତାଙ୍କର ପାଟି ଚୁପ୍ କରିଛି ତାହା ଓଡ଼ିଶାବାସୀଙ୍କୁ ଜଣାଇପାରିବେ ତ ବୋଲି ବୁଦ୍ଧିଜୀବୀମହଲ ପ୍ରଶ୍ନ କରିଛନ୍ତି ।
ବିଜେଡ଼ିର ଉତ୍ସୃଙ୍ଖଳିତ କର୍ମୀଙ୍କ ଅସଭ୍ୟ ଆଚରଣକୁ ଲୋକେ ପସନ୍ଦ କରିନାହାନ୍ତି । ନିନ୍ଦା କରିଛନ୍ତି । ତେବେ ବୈଜୟନ୍ତ ନିଜର ରାଜନୈତିକ ରାଗ ଶୁଝାଇବାକୁ ଯାଇ ଏହାର ଶସ୍ତା ଫାଇଦା ନେବାରୁ ବିରତ ରହିବାକୁ କିଛି ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି । ଆରାମ୍ ଚେୟାର ନୀତି ନିର୍ଦ୍ଧାରକଙ୍କୁ ବିଦା କରିବାର ବୈଜୟନ୍ତଙ୍କ ଜୋର ଜବରଦସ୍ତ ବିଳାପ ତାଙ୍କର ପୁରୁଣା ରାଗ ଓ ଅସଲ ଚେହେରା ଖୋଲିଦେଇଛି । ଔଷଧ ବିକଳରେ ବୈଜୟନ୍ତଙ୍କର ଏହା ତାଟିଆ କାମୁଡ଼ା ବୋଲି କୁହାଯାଉଛି ।
ଆହୁରି ଗୁରୁତର କଥା ହେଉଛି, ଦୁଇଦିନ ତଳେ ଛତ୍ରପୁରର ଯୁବ ବିଜେଡ଼ି ନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଅତି ବିଭତ୍ସ ଭାବେ ତାଙ୍କ ଘର ଭିତରେ ହତ୍ୟା କରାଗଲା । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଖୋଦ୍ ବୈଜୟନ୍ତଙ୍କ ଟିଭି ହତ୍ୟାକାଣ୍ଡର ସିସିଟିଭି ଫୁଟେଜକୁ ଅତି ନିଖୁଣ ଭାବେ ଦେଖାଇ ହୃଦୟ ବିଦାରକ ଦୃଶ୍ୟ ବୋଲି କହୁଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆର୍ଶିବାଦପ୍ରାପ୍ତ ବିଜେପି ସମର୍ଥକମାନେ ସଂଘବଦ୍ଧ ଭାବେ ଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ମଧ୍ୟ ଟିଭିରେ ଦେଖାଇଛି । ମାତ୍ର ସେହି ହୃଦୟ ବିଦାରକ, ବିଭତ୍ସ ରାଜନୈତିକ ହତ୍ୟା ବୈଜୟନ୍ତଙ୍କୁ ବିଚଳିତ କରିନି । ସଭ୍ୟ ସମାଜରେ ଘଟିଥିବା ଏଭଳି ଅମାନବୀୟ, ବର୍ବର କାଣ୍ଡ ତାଙ୍କୁ ଲଜ୍ଜିତ କରୁନି । ହତ୍ୟାକାରୀଙ୍କ ପାଇଁ ତାଙ୍କ ମନ କ୍ଷୁବ୍ଧ ହେଉନି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପାଟି ଦାବି କରୁନି ।
ବୈଜୟନ୍ତଙ୍କ ଦୁର୍ଭାଗ୍ୟ, ସେ ଏ କୂଳର ହେଉନାହାନ୍ତି କି ସେକୂଳର ହେଉନାହାନ୍ତି । ବିଚଳିତ ହୋଇପଡ଼ିଛନ୍ତି । ତେଲଦର ବୃଦ୍ଧି ଓ ବିଜେପି କର୍ମୀଙ୍କ ଦ୍ୱାରା ଛତ୍ରପୁରରେ ବିଭତ୍ସ ମର୍ଡର ଉପରେ ବୈଜୟନ୍ତଙ୍କ ନିରବତା ଏବଂ ତେଲଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ତଥାକଥିତ ହରତାଲ୍ ଓ ହିଂସାକାଣ୍ଡ ଉପରେ ବୈଜୟନ୍ତଙ୍କ ପ୍ରତିକ୍ରିୟାର ରାଜନୈତିକ ବାଚାଳାମି କେଉଁ ମହଲରେ ଅଛପା ନାହିଁ । ବିଲେଇ ଲୁଚି ଲୁଚି କ୍ଷୀର ପିଇ ଧରାପଡ଼ିଲା ଭଳି ବୈଜୟନ୍ତ ଧରାପଡ଼ିଛନ୍ତି । ବିଜେଡ଼ିରେ ବିଭୀଷଣମାର୍କା ବୈଜୟନ୍ତଙ୍କ ରାଜନୈତିକ ଚାଲବାଜି ଏବେ ଖାଲି ସହର ନୁହେଁ ଗାଁ ଗଣ୍ଡାରେ ବି ଚର୍ଚ୍ଚା ହେଲାଣି ।