ପୁରୀ: ପୁରୀ ବଡ଼ଦାଣ୍ଡରେ ଏଣେତେଣେ ବୁଲୁଥିଲେ । ଭିକ ମାଗି ପେଟ ପୋଷୁଥିଲେ । ସନ୍ୟାସୀ ବେଶଭୂଷା ଏହି ବ୍ୟକ୍ତିଜଣଙ୍କର ମାନସିକ ବିକୃତ ଥିଲା । ଦୀର୍ଘ ୧୦ ବର୍ଷ ହେଲା ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ମିଳିଲେ ଖାଉଥିଲେ ନହେଲେ ନାଇଁ । ହେଲେ ଆଜି ପବିତ୍ର ଜାଗର ଦିନରେ ପ୍ରଭୁ ମହାଦେବଙ୍କର ଆଶିର୍ବାଦ ତାଙ୍କୁ ମିଳିଛି । ମହାଦେବଙ୍କ ରୂପରେ ତାଙ୍କ ଉଦ୍ଧାର ପାଇଁ ଆସିଛନ୍ତି କଲେଜ ବେଳର ବନ୍ଧୁମାନେ । ବଡ଼ଦାଣ୍ଡରୁ ତାଙ୍କୁ ଖାଲି ଉଦ୍ଧାର କରିନାହାନ୍ତି, ମାନସିକ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ସବୁ ଦାୟିତ୍ୱ ବୁଝିବେ ବୋଲି ସାଙ୍ଗମାନେ ସଂକଳ୍ପ ନେଇଛନ୍ତି ।
ବନ୍ଧୁଙ୍କ ଉଦ୍ଧାର ପାଇଁ ବନ୍ଧୁ ମେଳି କରିବାରେ ଯାହାର ମୁଖ୍ୟ ଭୂମିକା ରହିିଛି ସେ ଅନ୍ୟ କେହି ନୁହଁନ୍ତି । ସେ ହେଉଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଜଣେ ଦାୟିତ୍ୱବାନ ପୁଲିସ ଅଫିସର ଭାବେ ନୁହଁନ୍ତି, ବରଂ ଜଣେ କଲେଜ ବନ୍ଧୁ ଭାବେ ଖୋଲା ହୃଦୟରେ ସେ ଏହି ଦାୟିତ୍ୱ ନିଭାଇଛନ୍ତି । ସାଙ୍ଗକୁ ଭୁଲି ନାହାନ୍ତି ।
ଉଦ୍ଧାର ହୋଇଥିବା ପାଗଳ ଜଣଙ୍କ ହେଉଛନ୍ତି ଶ୍ରୀଜିତ୍ ପାଢ଼ୀ ଓରଫ୍ ବୁଟୁ । ରେଭେନସାରେ ଅର୍ଥନୀତିରେ ପିଜି କଲାବେଳେ ସୁଧାଂଶୁ ଷଡ଼ଙ୍ଗୀଙ୍କର ଥିଲେ କ୍ଲାସମେଟ୍ । ଆଉ ବନ୍ଧୁଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଜାଣି ଶ୍ରୀ ଷଡ଼ଙ୍ଗୀ ତାଙ୍କ ଉଦ୍ଧାର ପାଇଁ ହୃଦୟ ଖୋଲି ଦେଇଛନ୍ତି । ପିଜି ସାଙ୍ଗମାନଙ୍କୁ ଏକାଠି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ।
ଶ୍ରୀଜିତ୍ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ପୁରୀ ଏସସିଏସ୍ କଲେଜରୁ ସ୍ନାତକ କଲା ପରେ ରେଭେନସାରେ ପିଜି କରିଥିଲେ । ଛାତ୍ର ଜୀବନରୁ ସିଭିଲ୍ ସର୍ଭିସ୍ ପ୍ରତି ବେଶ୍ ଆକୃଷ୍ଟ ଥିଲେ । ଆଇଏଏସ୍ ନହେଲେ ଓଏଏସ୍ ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ । ପିଜି ସରିବା ପରେ ଡିଏଭି ବେଦାନ୍ତ ସ୍କୁଲରେ ଚାକିରି ପାଇଥିଲେ ମଧ୍ୟ ସିଭିଲ୍ ସର୍ଭିସ୍ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ଦୁଇଥର ପ୍ରିଲିମ୍ ଓ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ବି ହୋଇଥିଲେ । ପରେ ଡିଏଭି ସ୍କୁଲ ବନ୍ଦ ହୋଇଯିବା ସାଙ୍ଗକୁ ସିଭିଲ୍ ସର୍ଭିସ୍ ରେ ବିଫଳତା ତାଙ୍କୁ ପାଗଳ କରିଦେଲା । ପାଗଳ ହୋଇ କୁଆଡ଼େ ଚାଲିଗଲେ । ଏଇ ୧୦ ବର୍ଷ ହେଲା ପୁରୀ ବଡ଼ଦାଣ୍ଡରେ ବୁଲି ଭିକ ମାଗୁଥିବାର ସାଙ୍ଗମାନେ ଜାଣିଥିଲେ ।
ପୂର୍ବରୁ ପୁରୀକୁ ଆସୁଥିବା ସାଙ୍ଗମାନେ ତାଙ୍କ ସହ ଭେଟ ହୋଇଗଲେ ସେ ଚିହ୍ନି ପାରୁଥିଲେ । ଭଲ କଥାବାର୍ତ୍ତା କରୁଥିଲେ । ଏବେ ବର୍ଷେ ହେଲା ତାଙ୍କର ମାନସିକ ସ୍ଥିତି ଅଧିକ ବିଗିଡ଼ି ଯାଇଥିବା ଲକ୍ଷ୍ୟ କରାଯାଇଥିଲା । ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବା ପାଇଁ କଲେଜ କ୍ଲାସ୍ମେଟ୍ ମାନେ ହ୍ୱାଟସ୍ ଆପ୍ ଗ୍ରୁପ୍ ଜରିଆରେ ଏକାଠି ହୋଇ ଯୋଜନା ପ୍ରସ୍ତୁତ କଲେ । ବନ୍ଧୁଙ୍କୁ ସାହାଯ୍ୟ ପାଇଁ କମିସନର ସୁଧାଂଶୁ ଷଡ଼ଙ୍ଗୀ ବିଶେଷ ଆଗ୍ରହ ଦେଖାଇ ସହଯୋଗର ହାତ ବଢ଼ାଇଥିଲେ ।
ଯୋଜନା ଅନୁଯାୟୀ ପ୍ରାୟ ୧୫ ଜଣ ସାଙ୍ଗ ଗତକାଲିଠାରୁ ପୁରୀରେ ଡେରା ପକାଇଥିଲେ । ଆଜି ବଡି ସକାଳୁ ସେମାନେ ବଡ଼ଦାଣ୍ଡରେ ପହଞ୍ଚି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଉ କିଛି ସମୟ ପରେ ମିଳିଯାଇଥିଲେ ଶ୍ରୀଜିତ୍ । ଯୋଜନା ମୁତାବକ, ସାଙ୍ଗମାନେ ତାଙ୍କୁ ଧରି ସିଧା ପୁରୀ ମେଡ଼ିକାଲ୍ କୁ ନେଇ ଆସିଥିଲେ । ସେଠାରୁ କଟକ ବଡ଼ ମେଡ଼ିକାଲ୍ କୁ ଆଣି ମାନସିକ ରୋଗ ଚିକିତ୍ସା ୱାର୍ଡରେ ଭର୍ତ୍ତି କରିଛନ୍ତି । କମିଶନର ଶ୍ରୀ ଷଡ଼ଙ୍ଗୀ ଏହାର ସୁବନ୍ଦୋବସ୍ତ କରିଛନ୍ତି । ବର୍ଷେ ଦେଢ଼ବର୍ଷ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନିଆଯିବ ବୋଲି ବନ୍ଧୁମାନେ କହିଛନ୍ତି ।
ବନ୍ଧୁମାନଙ୍କ ସୂଚନା ଅନୁଯାୟୀ, ପୁରୀ ବଡ଼ଶଙ୍ଖ ତଳ ନୂଆସାହିରେ ଶ୍ରୀଜିତ୍ ଙ୍କର ଘର । ଏକ ଉଚ୍ଚଶିକ୍ଷିତ ଏବଂ ଆଭିଜାତ୍ୟ ପରିବାର । ତାଙ୍କ ବାପା ରେଲୱେ ସ୍କୁଲରେ ଶିକ୍ଷକ ଥିଲେ । ଦୁଇବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇଛି । ଭାଇମାନେ ପ୍ରତିଷ୍ଠିତ ଇଞ୍ଜିନିୟର । ଭଉଣୀ, ଭିଣୋଇ ପ୍ରଫେସର । ଜଣେ ଭାଇ ଓଏଏସ୍ ଅଛନ୍ତି । ସୁଜିତ୍ ଙ୍କୁ ଭଲ କରିବା ପାଇଁ ପରିବାର ଲୋକ ପୂର୍ବରୁ ଚେଷ୍ଟା କରିଥିବା ସେମାନେ ଶୁଣିଛନ୍ତି । ମାତ୍ର ତାପରେ କ’ଣ ହେଲା ଜାଣନ୍ତିନି । ତାଙ୍କ ପରିବାର ଏବେ କେଉଁଠି ଏବଂ ଭାଇ ଭଉଣୀ ତାଙ୍କ ସହ ସମ୍ପର୍କରେ ଅଛନ୍ତି ନା ନାଇଁ ସେହି ଖବର ନାହିଁ ବୋଲି ସାଙ୍ଗମାନେ କହିଛନ୍ତି ।
କିଛି ଦିନ ତଳେ ନିବିଡ଼ ବନ୍ଧୁତ୍ୱ ପ୍ରେମର ଆଉ ଏକ ଉଦାହରଣ ଲୋକଲୋଚନକୁ ଆସିଥିଲା । ଦୁଇଟି ଯାକ କିଡନୀ ହରାଇ ୯ ବର୍ଷ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଥିବା ସ୍କୁଲ ସାଙ୍ଗ ନୃସିଂହ ଚରଣ ସାହୁଙ୍କର ଦେଖାଶୁଣା କରୁଛନ୍ତି ଯାଜପୁର ଛତିଆ ଅଞ୍ଚଳର ୬୧ ବର୍ଷ ବୟସ୍କ ଧନଞ୍ଜୟ ସାହୁ । ନିଜର ସୀମିତ ରୋଜଗାର ସତ୍ତ୍ୱେ ସେ ବନ୍ଧୁଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ନିଜ ହାତରେ ସେବାଶୁଶ୍ରୁଷା କରୁଛନ୍ତି । ସେଥିପାଇଁ ମନରେ ତାଙ୍କର ଅପୂର୍ବ ଆନନ୍ଦ। ସାଙ୍ଗ ବଞ୍ଚଥିବା ଯାଏଁ ତାଙ୍କର ସେବା କରିଚାଲିବି ବୋଲି କହିଛନ୍ତି ଧନଞ୍ଜୟ । ସତରେ ଆଜିର ଯୁଗରେ ଏମିତି ବି ସାଙ୍ଗ ଅଛନ୍ତି, ଭାବିଲେ କାହାଣୀ ଭଳି ଲାଗୁଛି ।