ପୁରୀ: ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଭକ୍ତ । ସମ୍ଭାବ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହି ସୂଚନା ଦେଇଛନ୍ତି । ଆବଶ୍ୟକତା ଦୃଷ୍ଟିରୁ ପ୍ରତିଷେଧକମୂଳ ବ୍ୟବସ୍ଥା ଭାବେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଥିବା ସେ କହିଛନ୍ତି ।
ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଥିଲେ ମଧ୍ୟ ଠାକୁରଙ୍କ ନୀତିକାନ୍ତି ଯଥାବିଧି ଚାଲିବ । ତେଣୁ ସେବାୟତମାନଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା କରାଯାଇନି । ସେମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
କରୋନା ସଂକ୍ରମଣର ପ୍ରତିହତ ପାଇଁ ପୂର୍ବରୁ ଗତ ୧୫ ତାରିଖରେ ଶ୍ରୀମନ୍ଦିରରେ ବ୍ୟାପକ କଟକଣା ଜାରି ହୋଇଥିଲା । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶ ନିଯୋଗର ଏକ ଜରୁରୀ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଭକ୍ତମାନେ ଫର୍ମ ପୂରଣ କରି ଶ୍ରୀମନ୍ଦିର ଯିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁବା ଏବଂ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରିବା ଉପରେ କଟକଣା ଜାରି କରାଯାଇଥିଲା । ସେବାୟତ ଓ ପୂଜାପଣ୍ଡାମାନେ ମାସ୍କ ପିନ୍ଧି ଶ୍ରୀମନ୍ଦିର ଯିବାକୁ କୁହାଯାଇଥିଲା ।