ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନଙ୍କ ଗୁମର ଖୋଲିଛନ୍ତି ଭର୍ତ୍ତୃହରି ମହତାବ । କଂଗ୍ରେସ ସହ ବିଜେଡ଼ି ମେଣ୍ଟ ସମ୍ପର୍କରେ ସେ ଯାହା କହିଥିଲେ ତାହା କୁଆଡେ ମୁଖ୍ୟମନ୍ତ୍ରୀଙ୍କ ମନର କଥା ଥିଲା । ତାଙ୍କ କହିବା ଅନୁସାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ଭର୍ତ୍ତୃହରି କହିଛନ୍ତି । ବିଜେପିକୁ ଟକ୍କର ଦେବାକୁ ଏହା ହିଁ ବିକଳ୍ପ ବୋଲି ନବୀନ ବିଚାର କରୁଥିବା ସେ ସୂଚାଇ ଦେଇଛନ୍ତି । ଖାଲି ସେତିକି ନୁହେଁ, ବିଜେପି ସହ ତାଙ୍କ ଦଳର ସଲାସୁତୁରାର ସମ୍ପର୍କ ଥିବା କହିଛନ୍ତି ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି । ସିବିଆଇ ଟେନସନରୁ ବର୍ତ୍ତିବା ପାଇଁ ଏଭଳି ସଲାସୁତୁରା ରହିଥିବା ସେ ଇଙ୍ଗିତ ଦେଇଛନ୍ତି ।
ଭର୍ତ୍ତୃହରିଙ୍କ ଏହି ସାଂଘାତିକ ବୟାନ ଖାଲି ବିଜେଡ଼ି କାହିଁକି ସମଗ୍ର ରାଜନୈତିକ ମହଲକୁ ଆଲୋଡିତ କରିଛି । ଭର୍ତ୍ତୃହରିଙ୍କ ଭଳି ଜଣେ ଦାୟିତ୍ୱବାନ ସାଂସଦ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କଥା ଉଠାଇଲା ବେଳେ ବିଜେଡ଼ି ପକ୍ଷରୁ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କୁହାଯାଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ କାଳବିଳମ୍ବ ନ କରି ଏହାକୁ ଅସ୍ୱୀକାର କରିଥିଲେ । ପୂର୍ବଥର ଭର୍ତ୍ତୃହରି କହୁ କହୁ ପାଟିରୁ ଏଭଳି କଥା ଖସାଇ ଦେଇଥିଲେ ବୋଲି ଯଦି ଧରାଯିବ ତେବେ ଏବେ ? ଏବେ ତ ସେଭଳି ଗାଲୁଆମି କରାଯାଇ ପାରିବ ନାହିଁ । ଏବେ ଭର୍ତ୍ତୃହରିଙ୍କ ବୟାନ ଏତିକି ସ୍ପଷ୍ଟ କରୁଛି ଯେ ଆଗରୁ ସେ ଯାହା କହିଥିଲେ ଟ୍ରେଲର୍ ଥିଲା । ଏବେ ପୂରା କାହାଣୀ ବଖାଣିଛନ୍ତି ।
ଏଥର ବିଜେଡ଼ି ତୁଣ୍ଡମାନେ ଭର୍ତ୍ତୃହରିଙ୍କର ଏହା ବ୍ୟକ୍ତିଗତ ମତ କହି ଏଡାଇ ପାରିବେ ତ ? ବିଜେଡ଼ି ସୁପ୍ରିମୋ ଏହାକୁ ଅସ୍ୱୀକାର କରି ମୁହଁ ଖୋଲିବେ ତ ? ଆମ ବିଚାରରେ ମୁଖ୍ୟମନ୍ତ୍ରୀ ଯଦି ସତରେ ଏଭଳି କୁଟୀଳ ରାଜନୀତିରେ ନାହାନ୍ତି ତେବେ ଚୁପ୍ ନ ରହି ଆଗକୁ ଆସିବା ଦରକାର । ଗୁମୁରେଇ ମୁହଁ ଜାକିଦେଲେ ଲୋକେ ଗ୍ରହଣ କରିପାରିବେ ନାହିଁ । ନବୀନଙ୍କୁ ଭଲ ପାଇ ଭୋଟ ଦେଉଥିବା ଲୋକେ ତାଙ୍କର ଅସଲ ମୁଖା ଜାଣିଦେବେ । ଆଉ ଯଦି ଭର୍ତ୍ତୃହରିଙ୍କ କଥା ମିଛ ବୋଲି କହିବାର ଅଛି ନବୀନ ହଲପ୍ କରନ୍ତୁ । ବିଶୃଙ୍ଖଳା ଏବଂ ଦଳ ଭାଙ୍ଗିବା ଷଡ଼ଯନ୍ତ୍ରର ବାଡି ଧରନ୍ତୁ । ଖାଲି ଧାଡିକରେ ବାଆଁରେଇ ଦେଲେ ହେବନାହିଁ । ସତର ସାମନା କରି ଭର୍ତ୍ତୃହରିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ପ୍ରଫୁଲ୍ଲ ଘଡ଼ାଇଙ୍କୁ ଯଦି ବିଶୃଙ୍ଖଳତାର ମାପକାଠିରେ ଦଳରୁ ବହିଷ୍କାର କଲେ ତେବେ ଭର୍ତ୍ତୃହରିଙ୍କୁ କାହିଁକି କରି ନ ପାରିବେ ? ହଁ କି ନାଁ ଏହି ଦୁଇଟି କଥାରୁ ନବୀନ କେଉଁ ବାଟରେ ଯିବେ ତାହା ସ୍ପଷ୍ଟ ହୋଇଯିବା ଉଚିତ୍ । ନଚେତ ନବୀନଙ୍କ ଦୋମୁହାଁ ନୀତି ଧରାପଡ଼ିଯିବ । ବିଜେଡ଼ିକୁ ଭଲ ପାଉଥିବା କୋଟି କୋଟି ଓଡ଼ିଶାବାସୀଙ୍କର ବିଶ୍ୱାସ ତୁଟିଯିବ ।