ଭୁବନେଶ୍ୱର: ପ୍ରତାପ ଦେବଙ୍କ ମଧ୍ୟସ୍ଥତାରେ ଗୋଟିଏ ଗାଡ଼ିରେ ତଥାଗତ ଶତପଥୀ ଓ ଦେବୀ ମିଶ୍ର ନବୀନ ନିବାସ ଆସି ନବୀନଙ୍କୁ ଭେଟିବା ରାଜନୈତିକ ମହଲରେ କୌତୁକ ଖେଳାଇଛି । ୧୦ ଦିନ ତଳେ ତଥାଗତ ହିନ୍ଦୋଳରେ ଦେବୀ ମିଶ୍ରଙ୍କ ନାଁ ଧରି ତାଙ୍କୁ ଚୋର କହିଥିଲେ । ନିକଟରେ ଆଉ ୩/୪ ଜଣ ଚୋରଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବିଦା କରିଥିବା ତଥାଗତ କହିଥିଲେ । ଅନ୍ୟମାନଙ୍କ ନାଁ କହି ନ ଥିଲେ ମଧ୍ୟ ପ୍ରଣବ ପ୍ରକାଶ ଦାସ(ବବି), ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଆଡକୁ ତାଙ୍କର ଇଙ୍ଗିତ ଥିଲା । ଆଜି ନବୀନ ନିବାସରେ ବବି ମଧ୍ୟ ଉପସ୍ଥିତ ଥାଇ ତଥାଗତଙ୍କ ସହ କୁତୁକୁତୁ ହବା ରୋଚକ ଦୃଶ୍ୟ ତୋଳିଥିଲା । ଚୋର ଆଖ୍ୟାୟିତ ଦେବୀ ମିଶ୍ର ଓ ବବି ଦାସ ତଥାଗତଙ୍କ ସହ ସେଲଫି ଉଠାଇ ନିଜକୁ ଗୌରବ ମଣିଥିଲେ ।
ତଥାଗତଙ୍କ କହିବା କଥା, ସେଦିନ ଦେବୀ ମିଶ୍ରଙ୍କ ନାଁ ତାଙ୍କ ପାଟିରୁ ସ୍ଲିପ୍ କରିଗଲା । ଦେବୀ ବାବୁ ତାଙ୍କର ଭଲ ବନ୍ଧୁ ବୋଲି ସେ ଦୋହରାଇଥିଲେ । ହଁ ତଥାଗତଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଜୋର ପ୍ରଚାର ହେଲା ପରେ ନବୀନ ତାଙ୍କ ଉପରେ ଭୀଷଣ ବିଗିଡ଼ି ଥିଲେ । ତାଙ୍କୁ କୈଫୟତ ମଗାଯିବ ବୋଲି କହିଥିଲେ । ଅବଶ୍ୟ ସୁପ୍ରିମୋଙ୍କ ପାଖେ ଦେବୀ ମିଶ୍ର ଶରଣ ପଶିଲା ପରେ ଯାଇ ସୁପ୍ରିମୋଙ୍କ ପାଟିରୁ ଏହି ପ୍ରତିକ୍ରିୟା ଆସିଥିଲା । ଆଉ ତଥାଗତ ମଧ୍ୟ ଟ୍ୱିଟ୍ ରେ ତାଙ୍କର ମନ୍ତବ୍ୟ ପାଇଁ ଅନୁତାପ କରିଥିଲେ । ଆଜି ମଧ୍ୟ ଦେବୀ ମିଶ୍ରଙ୍କୁ ଧରି ଅନୁତାପ ଆଚରଣ ଦେଖାଇଥିଲେ । ଏଠାରେ କହିବା ବାହୁଲ୍ୟ ଯେ ଖୋଦ୍ ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିଲା ତଥାଗତ ଓ ଦେବୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ । ସୁପ୍ରିମୋଙ୍କ ନିର୍ଦ୍ଦେଶକୁ ପ୍ରତାପ ଦେବ ଆଜି କ୍ୟାରି ଆଉଟ୍ କରିଥିଲେ ।
ତଥାଗତ କାହିଁକି ଚୋର କହିଥିଲେ ଏବଂ କାହିଁକି ଅନୁତାପ କଲେ ତାହା ତ ରାଜନୀତିର ଗହନ କଥା । ତଥାଗତଙ୍କ ଭଳି ବିଚକ୍ଷଣ ରାଜନେତା, ସମ୍ପାଦକଙ୍କ ମୁହଁରୁ ଏତେବଡ଼ କଥା ଯେ ସ୍ଲିପ୍ ହୋଇଯାଇଥିବ ତାହା ଜମାରୁ ବୋଧଗମ୍ୟ ନୁହେଁ । ସେ ଯାହା ହେଉ, ନବୀନ ନିବାସ ଯାଇ ପରଷ୍ପର ଭିତରେ ମନ ମିଳାଇବାରେ ବ୍ୟକ୍ତିଗତ ଲାଭକ୍ଷତି ଯାହା ହେଉନା କାହିଁକି, ଦଳ ପାଇଁ ହିତ ହେଲା ବୋଲି କୁହାଯାଉଛି । ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ଭାବେ କାହାରିକୁ ଗୋଇଠା ମାରି ବିଷ୍ଣୁ କହିଦେଲେ ତାହା ପାପରେ ଯିବ ନାହିଁ । ତଥାଗତ ଏହି ନ୍ୟାୟରେ ଯାଇଥିବାରୁ ତାଙ୍କୁ ଅନେକ ସାବାସି ଦେଇଛନ୍ତି ।
ତେବେ ତଥାଗତଙ୍କ ଅନୁତାପରେ ଦେବୀ ମିଶ୍ର ନିଜ ମନକୁ ଯେତେ ହସାଇଲେ ବି ତାଙ୍କ ଦେହରେ ଯେଉଁ ଚୋର ଟ୍ୟାଗ୍ ଲାଗିଲା ତାହା ଜମାରୁ ପୋଛି ହେବ ନାହିଁ ବୋଲି କୁହାଯାଉଛି । ଖାଲି ଦେବୀ ନୁହଁନ୍ତି, ମନ୍ତ୍ରୀମଣ୍ଡଳରୁ ବିତାଡ଼ିତ ୪ ଯୁବମନ୍ତ୍ରୀଙ୍କ କ୍ଷେତ୍ରରେ ବି ସେୟା । ନିଜ ଦଳର ଜଣେ ବରିଷ୍ଠ ସାଂସଦଙ୍କ ମୁହଁରୁ ସେମାନେ ଚୋର ଉପାଧି ପାଇସାରିଛନ୍ତି । ତେଣିକି ସେମାନେ ନିଜକୁ କେମିତି ବୁଝିଛନ୍ତି ବୁଝିଥାଆନ୍ତୁ । କିନ୍ତୁ ଏହା ସତ ଯେ ସର୍ବସାଧାରଣରେ ସେମାନେ ଚୋର ହୋଇଯାଇଛନ୍ତି । ଲୋକଙ୍କଠାରୁ ନିଜ କର୍ମୀମାନେ ବି ଟାହି ଟାପରା ପାଉଛନ୍ତି । ସୁତରାଂ ଏହି ଯେଉଁ କ୍ଷତ ତାହା ଯେ ସ୍ଲିପ୍ ଅଫ ଟଙ୍ଗ ସଫେଇରେ ଶୁଖିଯିବ ତାହା ଜମାରୁ ନୁହେଁ ।