ଭୁବନେଶ୍ୱର: ଗୋଟେ ପଟେ ସ୍ୱେଚ୍ଛାକୃତ ଅବସର ଆବେଦନ । ଆରପଟେ ରାଜ୍ୟ ନିର୍ବାଚନ କମିଶନର ଭାବେ ନୂଆ ନିଯୁକ୍ତିର ଅନୁମୋଦନ । ଆଜି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଆଉ ରାଜ୍ୟ ନିର୍ବାଚନ କମିଶନର ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅନୁମୋଦନ କରିଛନ୍ତି ।
୧୯୮୩ ବ୍ୟାଚ୍ ର ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ଫେବୃଆରୀ ମାସରେ ଚାକିରିରୁ ଅବସର ନେଇଥାଆନ୍ତେ । ପ୍ରାୟ ୭ ମାସ ଚାକିରି କାଳ ବାକି ଥିବା ବେଳେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ନୂଆ ପଦରେ ନିଯୁକ୍ତି ପାଇଛନ୍ତି । ୨୦୧୫ ନଭେମ୍ବର ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ଭାବେ ନିଯୁକ୍ତି ପାଇଥିଲେ ଶ୍ରୀ ପାଢ଼ୀ । ଜଣେ ଅମାୟିକ ଓ ଦକ୍ଷ ପ୍ରଶାସକ ଭାବେ ଶ୍ରୀ ପାଢ଼ୀଙ୍କର ସୁନାମ ରହିଛି । ମେକ ଇନ ଓଡ଼ିଶା କନକ୍ଲେଭ୍ ଏବଂ ବିଶ୍ୱକପ ହକି ଆୟୋଜନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।
ଶ୍ରୀ ପାଢ଼ୀଙ୍କ ଜାଗାରେ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତ ହେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି । ଶ୍ରୀ ତ୍ରିପାଠୀ ଉନ୍ନୟନ କମିଶନର ସାଙ୍ଗକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରେ ଅଛନ୍ତି ।