ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଡାକ୍ତର ମୋତିଲାଲ ଗୌଡ଼ଙ୍କ ସମ୍ପତ୍ତି ବାଡ଼ିର ଖୋଳତାଡ଼ କରିବ ଭିଜିଲାନ୍ସ । ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ବିଭାଗକୁ ଡେପୁଟେସନ୍ରେ ଯାଇଥିବା ମୋତିଲାଲଙ୍କ ବିରୋଧରେ ଭିଜିଲାନସ୍ ତଦନ୍ତ ପାଇଁ ଆଜି ଶ୍ରମ ବିଭାଗ ସୁପାରିଶ କରିଛନ୍ତି । ରାଜ୍ୟ ସରକାର ଏହାକୁ ତୁରନ୍ତ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜାଲ୍ ମାଷ୍ଟର ମୋତିଲାଲଙ୍କ ଜାଲିଆତିର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ବାହାରୁଥିବା ବେଳେ ଅସାଧୁ ଉପାୟରେ ସେ ପ୍ରଚୁର ସମ୍ପତ୍ତି ଠୁଳ କରିଥିବା ସୁରାକ୍ ମିଳିଛି । ସରକାରଙ୍କ ନିର୍ଦ୍ଦେଶ ପରେ ଭିଜିଲାନସ୍ ଆସନ୍ତାକାଲିଠାରୁ ତାହାର ଖୋଳତାଡ଼ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।
ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସର ସହକାରୀ ନିର୍ଦ୍ଦେଶକ ପଦରେ ଥିବା ମୋତିଲାଲ ଗତ ମେ ୨୯ ତାରିଖରେ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଜାଲ୍ ସରକାରୀ ବିଜ୍ଞପ୍ତି ଜାରି କରି ସେ କୋଟିଏରୁ ଅଧିକ ଟଙ୍କା ଠକି ନେବା ଅଭିଯୋଗ ଆସିଛି । ଜୁନ୍ ୬ ତାରିଖରେ ରାଜ୍ୟ ସରକାର ତାଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ତାଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କଲା ପରେ ବର୍ତ୍ତମାନ ମୋତିଲାଲ ଫେରାର ହୋଇଯାଇଛନ୍ତି । କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନ ଖାନତଲାସୀ ଚଳାଇଥିବା ବେଳେ ନଗଦ ଯୋଡିହୋଇଛି ଭିଜିଲାନସ୍ କୀଳା ।
ଠକେଇରେ ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ମୁନ୍ନା ଭାଇ ଏମ୍ବିବିଏସ୍ ଡାକ୍ତର ମୋତିଲାଲ ଗୌଡ଼ ସରକାରଙ୍କୁ ଚୂନ ମାରି ତିନି ତିନିଟି ପ୍ରକାଣ୍ଡ ଜାଲିଆତି କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଓ ଛାତ୍ର ବିଜେଡ଼ି ସଭାପତି ବାପି ରାୟଙ୍କ ଅତ୍ୟନ୍ତ ବିଶ୍ୱସ୍ତ ମୋତିଲାଲଙ୍କ ଏହି କଳା କାରନାମା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ତାଙ୍କ ଗହନ ସମ୍ପର୍କର ବି ପର୍ଦ୍ଦାଫାସ ହୋଇଛି । ଏହି ପ୍ରଭାବଶାଳୀ ମନ୍ତ୍ରୀ ଓ ବିଧାୟକଙ୍କ ଛତ୍ରଛାୟା ତଳେ ରହି ଅସମ୍ଭବକୁ ସମ୍ଭବ କରିଥିବା ମୋତିଲାଲଙ୍କ ଅପରାଧିକ ଓ ଜାଲିଆତି କାର୍ଯ୍ୟକଳାପର ଛାନଭିନ୍ କ୍ରାଇମ୍ବ୍ରାଞ୍ଚ ଆରମ୍ଭ କଲାବେଳକୁ ସମ୍ପତ୍ତିବାଡ଼ିର ଖୋଳତାଡ଼ କରିବ ଭିଜିଲାନସ୍ ।