– ପଳାସପଲ୍ଲୀରେ ସଂଧ୍ୟାରୁ ପଡ଼ିଲା କବାଟ
– କାରଗିଲ୍ ରାସ୍ତାରେ ଯିବାକୁ ଲୋକ ଡରିଲେ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହରରେ ବାଘ । କଥାଟି ନିହାତି ଅବିଶ୍ୱାସ ଲାଗୁଥିଲେ ବି ସତ । ସହରର ଅନ୍ୟତମ ଭିଆଇପି ଅଞ୍ଚଳ କୁହାଯାଉଥିବା ପଳାସପଲ୍ଲୀରେ ଗୋଟେ କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ତାହା ପୁଣି ନବୀନ ନିବାସଠାରୁ ମାତ୍ର ଗୋଟିଏ କିଲୋମିଟର ଭିତରେ । ଗତକାଲି ରାତିରେ ବାଘଟି ଏୟାରପୋର୍ଟ ପାଚେରି ଡେଇଁ ପଳାସପଲ୍ଲୀ ଭିତରକୁ ପଶିଥିଲା । ଆଜି କଥା ପ୍ରଘଟ ହେଲା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପଳାସପଲ୍ଲୀରେ ସଂଧ୍ୟାରୁ ଲୋକଙ୍କ ଘର କବାଟ ବନ୍ଦ ହୋଇଯାଇଥିବା ବେଳେ ପୋଖରୀପୁଟରୁ କାରଗିଲ୍ ରାସ୍ତାରେ ଲୋକ ଯିବାକୁ ଡରିଛନ୍ତି ।
ପଳାସପଲ୍ଲୀର ସି-୭/୧ । ଏୟାରପୋର୍ଟ ପାଚେରୀକୁ ଲାଗିଛି ଏହି ବିଲଡିଂ । ସେଠାରେ ବ୍ରିକସେଡ ବିଲଡକନ୍ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥାର ଅଫିସ ଚାଲୁଛି । ଅଫିସ୍ ର କିଛି କର୍ମଚାରୀ ସେଠାରେ ରହନ୍ତି ମଧ୍ୟ । ଅଫିସ କାମ ନେଇ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନଙ୍କର ଏକ ମିଟିଂ ଚାଲିଥିଲା । ମିଟିଂ ସରିବା ପରେ ପରେ ସଂସ୍ଥା କର୍ମଚାରୀ ବାଂଞ୍ଚାନିଧିଙ୍କ ମୋବାଇଲ୍ କୁ ତାଙ୍କ ଘରୁ ଏକ ଫୋନ୍ ଆସିଲା । ସେ ରୁମ୍ ବାହାରକୁ ଆସି ଖୋଲାରେ କଥା ହେଉଥିବା ବେଳେ ଏୟାରପୋର୍ଟ ପାଚେରୀ ପଟୁ କିଏ ଡେଇଁବାର ଶବ୍ଦ ଶୁଣିଲେ । ସେତେବେଳକୁ ରାତି ପ୍ରାୟ ୧୧ଟା ବାଜିଥିଲା । ବାଂଛାନିଧି ଫୋନ୍ ରେ ବ୍ୟସ୍ତ ଥିବାରୁ ବିଶେଷ ଧ୍ୟାନ ଦେଇ ନ ଥିଲେ । ତେବେ ତାଙ୍କଠାରୁ ମାତ୍ର ଦୁଇ ତିନି ହାତ ଦୂରରେ ଏକ କଲରାପତରିଆ ବାଘ ଚାଲି ଯାଉଥିବା ତାଙ୍କ ନଜରରେ ପଡ଼ିଥିଲା । ସେ ବାଘକୁ ଦେଖି ଥମ୍ ହୋଇଗଲେ । ପାଟିରୁ କଥା ବାହାରିଲାନି । ଭିତରୁ ତାଲା ପଡ଼ିଥିବା ଗେଟ୍ ଆଡକୁ ବାଘ ଚାଲିଲା । ଗେଟ୍ ପାଖରେ ଏକ ଚଉରା ମୂଳରେ ଅଟକି ବାଂଛାନିଧିଙ୍କ ଆଡକୁ କଟମଟ କରି ଚାହିଁଲା । ତାପରେ ଗେଟ୍ ପାଚେରୀ ଡେଇଁ ବାହାରକୁ ପଳାଇଲା ।
ବାଘ କବଳରୁ ନିଜକୁ ବଞ୍ଚାଇଥିବା ବାଂଛାନିଧି ପ୍ରକୃତିସ୍ଥ ହେଲା ପରେ ସହଯୋଗୀଙ୍କୁ ଡାକ ଛାଡ଼ିଲେ । ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ ହେଲେ କେହି ବିଶ୍ୱାସ କଲେନି । ଥଟ୍ଟାମଜ୍ଜାରେ ଉଡ଼ାଇ ଦେଲେ । ନିଜ ଆଖିରେ ବାଘକୁ ଦେଖିଥିବା ବାଂଛାନିଧି ନିରୁପାୟ ହୋଇଗଲେ । ଆଜି ସକାଳୁ ଉଠି ଅଫିସ୍ ରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପାଇଁ ଅଡ଼ି ବସିଲେ । ଶେଷରେ ସିସିଟିଭି ଯାଞ୍ଚ ହେଲା । ସେଥିରେ କଏଦ ହୋଇଥିବା ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଦେଲା । ବାଂଛାନିଧି ଯାହା କହିଥିଲେ ଅକ୍ଷରେ ଅକ୍ଷରେ ସତ ବୋଲି ସିସିଟିଭି ଫୁଟେଜ୍ ରୁ ସ୍ପଷ୍ଟ ହୋଇଗଲା ।
ଗଣମାଧ୍ୟମରେ ଏହି ଖବର ସହ ସିସିଟିଭି ଦୃଶ୍ୟ ପ୍ରସାର ହେଲା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଖପାଖରେ ବାଘ କେଉଁଠି ଛପି ରହିଥିବା ଲୋକ ଆଶଙ୍କା କରୁଛନ୍ତି । ଖବର ପାଇ ପୁଲିସ ଓ ବନବିଭାଗ କର୍ମଚାରୀମାନେ ଛାନଭିନ୍ ଚଳାଇଛନ୍ତି । ବାଘର ସନ୍ଧାନ ମିଳିଲେ ତାକୁ ଟ୍ରାଙ୍କୁଲାଇଜର୍ ଦେବା ବ୍ୟବସ୍ଥା କରାଯିବ ବୋଲି ସିଟି ଡିଏଫଓ ଅଶୋକ ମିଶ୍ର କହିଛନ୍ତି । ତେବେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବାଘଟି କୁଆଡୁ କେମିତି ସହର ଭିତରକୁ ଆସିଲା କେହି ବୁଝିପାରୁନାହାନ୍ତି । ସମଗ୍ର ରାଜଧାନୀରେ ଏହା ଆଲୋଡ଼ନ ସୃଷ୍ଟି କରିଛି ।