ଭୁବନେଶ୍ୱର: ରାଜଧାନୀରେ ଆଜି ଶକ୍ତି ଦେଖାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ରୋଡ ସୋ କରି ଲୋକଙ୍କଠାରୁ ଭୋଟ ଭିକ୍ଷା କରିଛନ୍ତି । ଏୟାରପୋର୍ଟରୁ ଗଙ୍ଗନଗର, ଓୟୁଏଟି, ସୌଭାଗ୍ୟନଗର ରାସ୍ତା ହୋଇ ବରମୁଣ୍ଡା ଯାଇଥିଲେ ମୋଦି । ମୋଦିଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ହଜାର ହଜାର ଲୋକ ଛିଡ଼ା ହୋଇଥିଲେ ଏବଂ ସେମାନଙ୍କ ପ୍ରିୟ ନେତାଙ୍କୁ ସ୍ୱାଗତ ଜଣାଇଥିଲେ । ନରେନ୍ଦ୍ର ମୋଦି ଜିନ୍ଦାବଦ ଧ୍ୱନିରେ ଫାଟି ପଡ଼ିଥିଲା ଭୁବନେଶ୍ୱର ରାଜରାସ୍ତା । ମୋଦି ହାତ ହଲାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବରମୁଣ୍ଡା ଖେଳପଡ଼ିଆରେ ଆୟୋଜିତ ସଭାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଥିଲେ ମୋଦି ।
କଂଗ୍ରେସକୁ ଲକ୍ଷ୍ୟ କରି ମୋଦି କହିଥିଲେ, ବିରୋଧୀଙ୍କର ଏବେ ଗୋଟିଏ ଏଜେଣ୍ଡା ହୋଇଛି ମୋଦି ହଟାଓ । ସକାଳ, ସଂଧ୍ୟା ମୋଦି ହଟାଇବାକୁ ମାଳା ଜପୁଛନ୍ତି । ସେମାନଙ୍କ ପାଇଁ ଦେଶ ଏଜେଣ୍ଡା ନୁହେଁ, ଦେଶର ବିକାଶ ଲକ୍ଷ୍ୟ ନୁହେଁ । ସେହି କାରଣ ପାଇଁ କଂଗ୍ରେସ ଆଜି ଲୋକଙ୍କ ଆସ୍ଥା ହରାଇଛି । ମୋଦି ତାଙ୍କ ଭାଷଣରେ ପାକିସ୍ଥାନ ପ୍ରସଙ୍ଗ ଆଣଇଥିଲେ । କହିଥିଲେ, ପାକିସ୍ଥାନକୁ ଉଚିତ ଜବାବ ଦେବାକୁ କଂଗ୍ରେସ ପ୍ରସ୍ତୁତ ନ ଥିଲା । ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ଯେ କୌଣସି ସ୍ତରକୁ ଯାଇ ପାରୁଥିଲା । ଗାଦି ପାଇଁ ଦେଶକୁ ଭାଗ ଭାଗ କରିବାକୁ ବି ପଛାଉ ନ ଥିଲା । ସେହି କାରଣରୁ କଂଗ୍ରେସକୁ ଏବେ ଦେଶରେ କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । କଂଗ୍ରେସ ଷଡ଼ଯନ୍ତ୍ରର ମୁକାବିଲା ପାଇଁ ଏ ଚୌକିଦାର ଜାଗତିଆର ବୋଲି ମୋଦି କହିଥିଲେ ।
ଓଡ଼ିଶାରେ ବିଜେଡ଼ି ସରକାରକୁ ସମାଲୋଚନା କରି ମୋଦି କହିଥିଲେ, ଆପଣ ଏଠାରେ ୨୦ ବର୍ଷ ଗୋଟିଏ ଲୋକ ଉପରେ ଭରସା କଲେ । ଓଡ଼ିଶାରେ ଯେତିକି ବିକାଶ ହେବା କଥା ସେତିକି ହୋଇନାହିଁ । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର କୌଣସି ଅସହଯୋଗ କରିନି । ୫ ବର୍ଷରେ ବିକାଶ ପାଇଁ ୩ ଲକ୍ଷ କୋଟି ପ୍ରଦାନ କରାଯାଇଛି । ପୂର୍ବ ତୁଳନାରେ ୫ ଗୁଣା ଅର୍ଥ ବିକାଶ ପାଇଁ ଦିଆଯାଇଛି । ହେଲେ ଏଠିକା ସରକାର ଧୀରେ ଧୀରେ ଚାଲିଛି । ଆମକୁ ୫ ବର୍ଷ ସୁଯୋଗ ଦିଅନ୍ତୁ, ବିକାଶ କେମିତି ହୁଏ ଦେଖାଇବୁ । ଓଡ଼ିଶାରେ ବିକାଶ ପାଇଁ ଡବଲ୍ ଇଂଜିନ୍ ଦରକାର ବୋଲି ମୋଦି କହିଥିଲେ ।
ପୂର୍ବାହ୍ନରେ ମୋଦି ସମ୍ବଲପୁରରେ ନିର୍ବାଚନ ପ୍ରଚାର ସଭାରେ ମଧ୍ୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିଥିଲେ ।