ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଦେଶର ସ୍ମାର୍ଟ ସିଟି ପ୍ରଥମ ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇବ ରାଉରକେଲା । ଆରମ୍ଭରୁ ଭୁବନେଶ୍ୱରକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ରାଉରକେଲା ତାକୁ ପଛରେ ପକାଇ ବାଜି ମାରିନେବ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । “ମିଡ଼-ଡ଼େ ଓଡ଼ିଶା’କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସ୍ତୁତି ପର୍ଯ୍ୟାୟରେ ଭୁବନେଶ୍ୱରକୁ ବହୁ ପଛରେ ପକାଇଦେଇଛି ରାଉରକେଲା । ଭୁବନେଶ୍ୱରକୁ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରିବାକୁ କିଛି ଦିନ ଧରି ବେଶ୍ କସରତ୍ ଚାଲିଥିଲା । ବହୁ ଆଡମ୍ବର ଧରି ଶେଷରେ ୪୫୦୦ କୋଟି ଟଙ୍କାର ସ୍ମାର୍ଟ ସିଟି ଡିମାଣ୍ଡ ରଖାଯାଇଛି । ଅନ୍ୟପଟେ ରାଉରକେଲା ପାଇଁ ଏହି ଡିମାଣ୍ଡ ରହିଛି ଅଧା ମାନେ ୨୩୪୧ କୋଟି ଟଙ୍କା । ତାଲିକାରେ ଭୁବନେଶ୍ୱରକୁ ଅନ୍ତର୍ଭୁକ୍ତ କରିବାକୁ ତରବରିଆ ପ୍ରସ୍ତୁତି କରାଯାଇଥିଲା । ତେବେ ସବୁ ମାନଦଣ୍ଡ ପୂରଣ ସହ ରାଉରକେଲା ନିଜର ପ୍ରେଜେଣ୍ଟେସନ୍ ଯେଉଁ ତରିକାରେ କରିଛି ସେଥିରେ ଭୁବନେଶ୍ୱର ବହୁ ପଛରେ ପଡ଼ିଥିବା ସ୍ପଷ୍ଟ ହୋଇଛି । ସୋମବାର ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହାଇଲେଭଲ୍ କମିଟି ବୈଠକରେ ଭୁବନେଶ୍ୱର ଓ ରାଉରକେଲା ପ୍ରସ୍ତାବ କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ସ୍ମାର୍ଟ ସିଟି ତାଲିକା ଘୋଷଣା କରିବ କେନ୍ଦ୍ର ।!