– ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର
– ଆପଣମାନଙ୍କ ଭଲ ପାଇବା ମୋତେ ଋଣୀ କରିଛି: ନବୀନ
– ସବୁ ପ୍ରାୟୋଜିତ: ବିଜେପି
ଭୁବନେଶ୍ୱର: ଭାରତବର୍ଷର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ମାନିତ ହୋଇ ପୁନେରୁ ଭୁବନେଶ୍ୱର ଫେରିଛନ୍ତି ନବୀନ ପଟ୍ଟନାୟକ । ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ଙ୍କୁ ସ୍ୱାଗତ କରିବା ପାଇଁ ଆଜି ଅପରାହ୍ନରେ ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର ପାଲଟିଯାଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ହଜାର ବିଜେଡ଼ି କର୍ମୀଙ୍କ ସମେତ ସାଧାରଣ ଜନତା ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଉତ୍ସାହିତ ହୋଇପଡ଼ିଥିଲେ । ତାଙ୍କ ମିନିଟିକିଆ ଉଦବୋଧନରେ ଓଡ଼ିଶାବାସୀଙ୍କ ଆଦର, ଭଲ ପାଇବା ତାଙ୍କୁ ଋଣୀ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶାକୁ ନମ୍ବର ୱାନ୍ କରିବା ପାଇଁ ସମସ୍ତେ କାମ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଅପରାହ୍ନ ୩.୨୦ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ..ଆଦର୍ଶ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ..ଧ୍ୱନିରେ ପ୍ରକମ୍ପିତ ହୋଇଯାଇଥିଲା ବିମାନବନ୍ଦର ଅଞ୍ଚଳ । ସେଠାରେ ଉପସ୍ଥିତ ଦଳର ସବୁବର୍ଗର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭାବବିହ୍ୱଳ ସମ୍ବର୍ଦ୍ଧିତ କରି ପାଛୋଟି ନେଇଥିଲେ । ଏକ ସୁସଜ୍ଜିତ ଭ୍ୟାନ୍ ର ଆଗରେ ବସି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହାତ ହଲାଇ ହଲାଇ ଆଗକୁ ବଢ଼ିଥିଲେ । ସେଠାରେ ଆୟୋଜିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ତାଙ୍କର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ପୁଣି ଥରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିରାଟ ପଟୁଆରରେ ନବୀନ ନିବାସ ନିଆଗଲା ବେଳେ ଅଞ୍ଚଳ ଜନସମୁଦ୍ର ପାଲଟିଯାଇଥିଲା । ରାସ୍ତାର ଦୁଇପଟେ ପ୍ରସ୍ତୁତ କରାଯାଇଥିବା ୨୨ଟି ମିନି ମଂଚରୁ ପାରମ୍ପରିକ ସ୍ୱାଗତ ସମ୍ଭାଷଣ କରାଯାଇଥିଲା । କେଉଁଠି ବାଜା ବାଜୁଥିଲା ତ କେଉଁଠି ଶଙ୍ଖ ଆଉ ମହୁରୀ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ଶିଳ୍ପୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରୁଥିଲେ । ଅଞ୍ଚଳ ଏତେ ଭିଡ଼ ହୋଇଥିଲା ଯେ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱାଗତ ପର୍ବକୁ ଝାକାସ୍ କରିବାକୁ ବିଜେଡ଼ି ବହୁତ କସରତ୍ କରିଥିଲା । ବିଭିନ୍ନ ଅଞ୍ଚଳରୁ ବସ୍, କାର୍ ଯୋଗେ କର୍ମୀମାନେ ଆସିଥିଲେ ଭୁବନେଶ୍ୱର । କିଛି ଅଞ୍ଚଳରୁ କର୍ମୀମାନେ ମଟରସାଇକେଲ ଶୋଭାଯାତ୍ରାରେ ଆସିଥିଲେ । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରୁ ବିଧାୟକଙ୍କ ଦାୟିତ୍ୱରେ ଆସିଥିଲେ ହଜାର ହଜାର ନେତା ଓ କର୍ମୀ । ବିମାନବନ୍ଦରରୁ ନବୀନ ନିବାସ ରାସ୍ତା ହୋଡିଂ, ବ୍ୟାନରରେ ଛାଇ ହୋଇଯାଇଥିଲା । ଗତଥର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ ହୋଇ ଦିଲ୍ଲୀରୁ ଫେରିବା ବେଳେ ତାଙ୍କୁ କରାଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନାଠରୁ ଏହା ଆହୁରି ଆକର୍ଷଣୀୟ ହୋଇଥିଲା । ସେମାନଙ୍କର ନେତାଙ୍କ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ପାଇଁ ଦଳର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ତଳିଆ କର୍ମୀମାନେ ବେଶ୍ ଉଲ୍ଲସିତ ହୋଇଯାଇଥିଲେ ।
ତେବେ ବିଜେଡ଼ିର ଏହି ସ୍ୱାଗତ ପର୍ବକୁ ବିଜେପି ସମାଲୋଚନା କରିଛି । ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ପ୍ରାୟୋଜିତ କହି ସମାଲୋଚନା କରୁଥିବା ବିଜେପି ଏହି ସ୍ୱାଗତପର୍ବକୁ ବ୍ୟୟବହୁଳ ଓ ଫାର୍ସ କହି ସାନି ସମାଲୋଚନା କରିଛି । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଏହା ଆଉ ଏକ ପ୍ରୟାସ ବୋଲି କୁହାଯାଇଛି ।