ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଜିଠାରୁ ୱାଇଫାଇ ସହର ପାଲଟିଛି । ସହରବାସୀ ଏଣିକି ମାଗଣାରେ ଇଣ୍ଟରନେଟ୍ ସୁବିଧା ପାଇପାରିବେ । ୧୦୦ଟି ହଟ୍ ସ୍ପଟ୍ ଏବଂ ୨୭୫ ଆକସେସ୍ ପଏଣ୍ଟ ରୁ ଏହା କାର୍ଯ୍ୟକାରୀ ହୋଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ଏଥିନିମନ୍ତେ “ ଭୁବନେଶ୍ୱର ମି ୱାଇଫାଇ” ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସହର ପାଇଁ ଆଜିର ଦିନକୁ ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ଦିନ ଭାବେ ଅଭିହିତ କରିଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମନ୍ଦିର ମାଳିନୀ ସହର ବିଶ୍ୱର ଶ୍ରେଷ୍ଠ ଅଗ୍ରଣୀ ସହର ସହ ତୁଳନୀୟ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ପ୍ରକଳ୍ପରେ ସମଗ୍ର ଭୁବନେଶ୍ୱର ସହରରେ ୫୧୮ ହଟ୍ ସ୍ପଟ୍ ଏବଂ ୧୮୦୦ ଆକସେସ୍ ପଏଣ୍ଟ କାର୍ଯ୍ୟକ୍ଷମ ହେବ । ୨ ଏମବିପିଏସ୍ ସ୍ପିଡ୍ ରେ ଜଣେ ବ୍ୟବହାରକାରୀ ୨୫୦ ଏମବି ମାଗଣା ଡାଟା ପାଇପାରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଥ୍ରୀ-ଟି ସଂକଳ୍ପ (ଟେକ୍ନୋଲୋଜି, ଟ୍ରାନସପେରେନ୍ସି ଏବଂ ଟିମ୍ ୱାର୍କ)କୁ ଦୋହରାଇବା ସହ ଆଗାମୀ ଦିନରେ ଭୁବନେଶ୍ୱର ଭଳି କଟକ, ସମ୍ବଲପୁର, ବ୍ରାହ୍ମପୁର, ରାଉରକେଲା ଏବଂ ପୁରୀ ସହରରେ ୱାଇଫାଇ ସହ ମାଗଣାରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ ବୋଲି କହିଥିଲେ ।
ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ତଥା ସ୍ମାର୍ଟ ସିଟି ଲିମିଟେଡ଼ ର ଅଧ୍ୟକ୍ଷ ଆର.ବାଲକ୍ରିଷ୍ଣନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।